Categories: ଜାତୀୟ

ଚଣ୍ଡିଗଡ଼କୁ ନେଇ ପଞ୍ଜାବ, ହରିୟାଣା ମୁହଁ।ମୁହିଁ

ଚଣ୍ଡିଗଡ଼,୪।୪: ରାଜ୍ୟ ରାଜଧାନୀ ଚଣ୍ଡିଗଡ଼କୁ ନେଇ ପଞ୍ଜାବ ଏବଂ ହରିୟାଣା ସରକାର ଏବେ ମୁହଁ।ମୁହିଁ ହୋଇଛନ୍ତି। ଚଣ୍ଡିଗଡ଼କୁ ପଞ୍ଜାବକୁ ହସ୍ତାନ୍ତର କରାଯାଉ ଦାବି କରି ସେଠାର ଆମ୍‌ ଆଦ୍‌ମୀ ପାର୍ଟି ସରକାର ବିଧାନସଭାରେ ପ୍ରସ୍ତାବ ଗୃହୀତ କରାଇଥିଲେ। ଏହା ପରେ ହରିୟାଣାର ଭାଜପା ସରକାର ମଧ୍ୟ ୫ ତାରିଖରେ ଏଥିପାଇଁ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଡାକିଛନ୍ତି। ଚଣ୍ଡିଗଡ଼ ସମେତ ହିନ୍ଦୀ ଭାଷାଭାଷୀ ଅଞ୍ଚଳ ହରିୟାଣାକୁ ହସ୍ତାନ୍ତର କରିବା ଲାଗି ଦୀର୍ଘଦିନର ଦାବିକୁ ସେମାନେ ପୁଣିଥରେ ଉଠାଇଛନ୍ତି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟାରଙ୍କ ବାସଭବନରେ କ୍ୟାବିନେଟ ବୈଠକ ବସି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ନିଷ୍ପତ୍ତି ହୋଇଛି। ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଏହି ଅଧିବେଶନ ବସିବ। ପଞ୍ଜାବ ଚଣ୍ଡିଗଡ଼କୁ ନେବା ଲାଗି ପ୍ରସ୍ତାବ ଗୃହୀତ କରାଇବାରେ ହରିୟାଣା ସରକାର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏଭଳି ଦାବି କରିବା ପୂର୍ବରୁ ପଞ୍ଜାବ ସରକାର ସମସ୍ତ ଷ୍ଟେକ୍‌ହୋଲ୍ଡରଙ୍କ ମତ ନେବା ଆବଶ୍ୟକ ଥିଲା ବୋଲି ଖଟ୍ଟାର କହିଛନ୍ତି। ଇତିମଧ୍ୟରେ ହରିୟାଣା ଗୃହମନ୍ତ୍ରୀ ଅନିଲ ଭିଜ୍‌ ପଞ୍ଜାବ ସରକାରଙ୍କ ଉଦ୍ୟମକୁ ସମାଲୋଚନା କରିବା ସହ ଆମ୍‌ ଆଦ୍‌ମୀ ପାର୍ଟିକୁ ଏକ ‘ବଚ୍ଚା ପାର୍ଟି’ ବୋଲି କହିଛନ୍ତି। ଏହା ଏକ ପିଲାଳିଆ ଦଳ, ଦୁଇ ରାଜ୍ୟ ମଧ୍ୟରେ ରହିଥିବା ପ୍ରକୃତ ପ୍ରସଙ୍ଗ ସମ୍ପର୍କରେ ଏହି ଦଳ ଅବଗତ ନୁହେଁ ବୋଲି ଭିଜ୍‌ କହିଛନ୍ତି।

Share