ନୂଆଦିଲ୍ଲୀ, ୧୫ା୩: ଭାରତୀୟ ଗଣତନ୍ତ୍ର ସଙ୍କଟରେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼ ଉଠିଥିବାବେଳେ ଦରିଆପାରି କଂଗ୍ରେସ ମୁଖ୍ୟ ସାମ୍ ପିଟ୍ରୋଡା ଏହାକୁ ସମାଲୋଚନା କରିଛନ୍ତି। ରାହୁଲ ସହାୟତା ପାଇଁ କୌଣସି ବିଦେଶୀ ରାଷ୍ଟ୍ରକୁ କଦାପି ଆମନ୍ତ୍ରଣ କରିନାହାନ୍ତି। ମିଥ୍ୟା ଏବଂ ଭୁଲ୍ ତଥ୍ୟ ଆଧାରରେ ତାଙ୍କ ଉପରେ ସୁବ୍ୟବସ୍ଥିତ ବ୍ୟକ୍ତିଗତ ଆକ୍ରମଣ କରାଯାଉଥିବା ପିଟ୍ରୋଡ଼ା ଅଭିଯୋଗ କରିଛନ୍ତି। ବ୍ରିଟେନରେ ରାହୁଲଙ୍କ ମନ୍ତବ୍ୟକୁ ନେଇ ଦୁଇଦିନ ହେଲା ପାର୍ଲାମେଣ୍ଟର ଉଭୟ ଗୃହ ଅଚଳ ରହିଛି। ଅନେକେ କେନ୍ଦ୍ରମନ୍ତ୍ରୀ ରାହୁଲଙ୍କ ବିରୋଧରେ ଅଭିଯୋଗ ଆଣି ସେ କ୍ଷମା ମାଗନ୍ତୁ ବୋଲି ଦାବି କରୁଛନ୍ତି। ଅନ୍ୟପକ୍ଷରେ ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବିରେ କଂଗ୍ରେସ ଅଟଳ ରହିଛି। ରାହୁଲଙ୍କ ଲଣ୍ଡନ ଗସ୍ତ ବେଳେ ତାଙ୍କ ସହ ପିଟ୍ରୋଡା ଉପସ୍ଥିତ ଥିଲେ। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ମିଥ୍ୟା ପ୍ରଚାର ବନ୍ଦ କରିବାକୁ ସେ ଅନୁରୋଧ କରିଛନ୍ତି। ପ୍ରକୃତରେ ରାହୁଲ କହିଥିଲେ, ଭାରତୀୟ ଗଣତନ୍ତ୍ର ସାରା ବିଶ୍ୱରେ ସମସ୍ତଙ୍କ ପାଇଁ ଭଲ। ଭାରତରେ ଗଣତନ୍ତ୍ରର ସ୍ଥିତି ଚିନ୍ତାଜନକ। ଏହା ଭାରତୀୟଙ୍କ ସମସ୍ୟା ଓ ଆମେ ଏହାର ସମାଧାନ କରିବୁ ବୋଲି ରାହୁଲ କହିଥିବା ପିଟ୍ରୋଡା ସଫେଇ ଦେଇଛନ୍ତି।