Categories: Uncategorized

ମୃତ ପୋଷା ବିଲେଇ ପାଇଁ ୨ଲକ୍ଷ ଖର୍ଚ୍ଚ

ପୋର୍ଟଲାଣ୍ଡ: ବର୍ତ୍ତମାନ ସମୟରେ ଲୋକେ ପୋଷା ପ୍ରାଣୀ ରଖିବାକୁ ପସନ୍ଦ କରୁଛନ୍ତି। ସେମାନଙ୍କ ପାଇଁ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ହେଲେ ନିକଟରେ ଜଣେ ମହିଳା ତାଙ୍କ ପୋଷା ବିଲେଇକୁ ଏତେ ଭଲ ପାଉଥିଲେ ଯେ ତା’ ଅନ୍ତିମ ସଂସ୍କାର ମଧ୍ୟ କରିନାହାନ୍ତି। ଏବେ ବି ସେ ତାକୁ ତାଙ୍କ ପାଖରେ ରଖିଛନ୍ତି। ତା’ ଶରୀର ଶଢିବାକୁ ନ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡ଼ିଛି। ରିପୋର୍ଟ ମୁତାବକ, ଅରିଗନ ପୋର୍ଟଲାଣ୍ଡର ୩୫ ବର୍ଷୀୟା ଫ୍ୟାଶନ ଡିଜାଇନର ସୋରେନ ହାଈ ସୋସିଆଲ ମିଡିଆ ଜରିଆରେ ଏହା ଜଣାଇଛନ୍ତି। ସେଥିରେ କହିଛନ୍ତି, ସେ ଗତ ୧୬ ବର୍ଷ ହେବ ତାଙ୍କ ପୋଷା ବିଲେଇ ଲୋକିକୁ ପାଳିଛନ୍ତି। ଦିନେ ହଠାତ୍‌ ଗୋଟେ କୁକୁର ତାଙ୍କ ଲୋକିକୁ ଆକ୍ରମଣ କଲା। ଫଳରେ ସେ ମରିଗଲା। ସୋରେନଙ୍କ ଆଗରେ ଲୋକି ଛଟପଟ ହୋଇ ମରିଯାଇଥିଲେ ମଧ୍ୟ ସେ ତା’ ପାଇଁ କିଛି କରିପାରି ନ ଥିଲେ। ସେଥିପାଇଁ ସେ ନିଷ୍ପତ୍ତି କଲେ ଯେ ଲୋକିଙ୍କୁ ନିଜଠାରୁ ଅଲଗା କରିବେନି। ତେଣୁ ଲୋକି ମରିବା ପରେ ତାକୁ ସେ ଫ୍ରିଜ୍‌ରେ ଭର୍ତ୍ତି କରିଦେଲେ। ତା’ ଶରୀର ଗନ୍ଧ ନ ହେବା ସହ ଯେପରି ନଷ୍ଟ ନ ହେବ ସେଥିପାଇଁ ସେ ଇଣ୍ଟରନେଟ୍‌ ସାହାଯ୍ୟରେ ଲୋକିକୁ କିପରି ରଖାଯାଇପାରିବ ଉପାୟ ଖୋଜି ବାହାରକଲେ। ସୋରେନ ଫ୍ୟାମିଲି ପେଟ୍‌ ପ୍ରିଜରଭେଶନ ସହ ସମ୍ପର୍କ କରି ତାଙ୍କ ଜରୁରୀ କଥା ଜଣାଇଲେ। ଏଥିପାଇଁ ୩,୨୦୦ ଡଲାର ଅର୍ଥାତ୍‌ ୨.୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜାଣିବା ପରେ ସୋରେନ ରାଜି ହୋଇଗଲେ। ସେମାନେ ହୃଦୟ ଏବଂ ଶରୀରର କିଛି ଅଙ୍ଗକୁ ମିଶାଇ ନୂଆ ଏକ ଲୋକି ପ୍ରସ୍ତୁତ କଲେ। ଏହାକୁ ଦେଖି ସୋରେନ ବହୁତ ଖୁସି ହୋଇଗଲେ।