କୋକସରା,୨୦ା୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର ମହକୁମା କୋକସରା ପଞ୍ଚାୟତର ୯ ନମ୍ବର ଓ୍ବାର୍ଡର ମହିଳାମାନେ ବୁଧବାର କୋକସରା ବିଡିଓଙ୍କୁ ଭେଟି ପାନୀୟ ଜଳ ଯୋଗାଣ ପାଇଁ ଦାବି କରିଛନ୍ତି। କୋକସରା ଗ୍ରାମର ୯ ନମ୍ବର ଓ୍ବାର୍ଡର ଠାକୁରାଣୀ ମନ୍ଦିର ପଡ଼ାରେ ୨୫ ପରିବାର ବସବାସ କରୁଥିବା ବେଳେ ଏହି ପଡ଼ା ବସୁଧା ଯୋଜନାରେ ପାଇପ ପାଣି ଯୋଗାଣ ହୋଇନାହିଁ। ଫଳରେ ପ୍ରଚଣ୍ଡ ଖରାରେ ପାନୀୟ ଜଳ ସଂଗ୍ରହ ପାଇଁ ମହିଳାମାନଙ୍କୁ ଦୀର୍ଘଘଣ୍ଟା ଧରି ଅନ୍ୟ ସ୍ଥାନକୁ ଯାଇ ପିଇବା ପାଣି ପାଇଁ ଅପେକ୍ଷା କରିବାକୁ ପଡୁଛି। କେତେ ବେଳେ ମିଳୁଛି ତ କେତେ ବେଳେ ନିରାଶ ହେବାକୁ ପଡୁଛି। ସମସ୍ୟାର ସମାଧାନ ପାଇଁ ଆଜି ଏହି ଓ୍ବାର୍ଡର ମହିଳା ସଭ୍ୟା ନଳିନୀ ପ୍ରଭା ପଣ୍ଡାଙ୍କ ସମେତ ପଡ଼ାର ଅନ୍ୟ ମହିଳରା କୋକସରା ବିଡିଓ ମନୀଷା ଦାସଙ୍କୁ ଅଭିଯୋଗ କରିବା ସହ ପଡ଼ାକୁ ଯୁଦ୍ଧକାଳୀନ ଭିତ୍ତିରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ବିଡିଓ ଗ୍ରାମ୍ୟ ଜଳ ଯୋଗାଣର କନିଷ୍ଠ ଯନ୍ତ୍ରୀ ଓ ସରପଞ୍ଚଙ୍କୁ ଶୀଘ୍ର ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।