ଜରୁରୀ କାଳୀନ ସ୍ଥିତିରେ ପ୍ରୟୋଗ କରାଯିବ ଫାଇଜର-ବାୟୋଏନ୍‌ଟେକ୍‌ ଟିକା: ଡିସିଜିଆଇ ମଞ୍ଜୁରୀକୁ ଅପେକ୍ଷା

ନୂଆଦିଲ୍ଲୀ, ୬।୧୨: ଭାରତରେ ଜରୁରୀକାଳୀନ ସ୍ଥିତିରେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକାକୁ ପ୍ରୟୋଗ କରାଯିବ ଲାଗି ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ)ର ମଞ୍ଜୁରୀ ଲୋଡ଼ାଯାଇଛି। ଏବେ ଡିସିଜିଆଇ ମଞ୍ଜୁରୀକୁ ଅପେକ୍ଷା କରାଯାଇଛି। ଜର୍ମାନୀର ବାୟୋଫାର୍ମାସି୍ୟଟିକାଲ କମ୍ପାନୀ ବାୟୋଏନ୍‌ଟେକ୍‌ ଏବଂ ଏହାର ଆମେରିକା ସହଯୋଗୀ ଫାଇଜର ପକ୍ଷରୁ ଔପଚାରିକ ଭାବେ ଡିସିଜିଆଇ ନିକଟରେ ଏନେଇ ଆବେଦନ କରାଯାଇଛି। ଫାଇଜର ଟିକା କରୋନା ଭୁତାଣୁ ବିରୋଧରେ ୯୫ ପ୍ରତିଶତରୁ ଅଧିକ ସୁରକ୍ଷା ପ୍ରଦାନ କରିବାକୁ ସକ୍ଷମ ହେଉଥିବା କୁହାଯାଉଛି। ଭାରତରେ ଜରୁରୀକାଳୀନ ସ୍ଥିତିରେ ଟିକା ଉପଲବ୍ଧ କରାଇବା ପାଇଁ ଡିସିଜିଆଇର ମଞ୍ଜୁରୀ ମିଳିଲେ ପରବର୍ତ୍ତୀ ସମୟରେ ଟିକାକରଣ ଆରମ୍ଭ ହେବ ବୋଲି କୁହାଯାଉଛି। ଇତିମଧ୍ୟରେ ଫାଇଜର-ବାୟୋଏନ୍‌ଟେକ୍‌ ଟିକାକୁ ବ୍ରିଟେନରେ ଦିଆଯିବା ଅନୁମତି ମିଳିସାରିଛି। ଲଣ୍ଡନରେ ଟିକାକରଣ ମଙ୍ଗଳବାର ଅର୍ଥାତ୍‌ ଡିସେମ୍ବର ୮ରୁ ଆରମ୍ଭ ହେବ। ସେହିପରି ପୃଥିବୀର ଦ୍ୱିତୀୟ ଦେଶ ଭାବେ ବାହାରିନ୍‌ରେ ଟିକାକରଣ ଲାଗି ଫାଇଜର-ବାୟୋଏନ୍‌ଟେକ୍‌ ଟିକାକୁ ସ୍ବୀକୃତି ମିଳିଛି।

Share