Categories: ଫୁରସତ

ପ୍ରେମ ପାଇଁ…

ପ୍ରେମର ସ୍ମାରକୀଭାବେ ଦିନେ ଶାହଜାହାନ ପତ୍ନୀ ମମତାଜଙ୍କ ସ୍ମୃତିରେ ଗଢ଼ିଥିଲେ ତାଜମହଲ। ଯାହା ଏବେ ବି ସେହି ଅମର ପ୍ରେମର ଗାଥା କହେ। କିନ୍ତୁ ଏଠାରେ ଯେଉଁ ବ୍ୟକ୍ତିବିଶେଷଙ୍କ କଥା କୁହାଯାଉଛି, ସେମାନେ ବି ପ୍ରେମ କ୍ଷେତ୍ରରେ କିଛି ପଛରେ ନାହାନ୍ତି। ନିଜ ଭଲପାଇବାକୁ ଅମର କରିବାକୁ ଆଉ ସେହି ସ୍ମୃତିକୁ ମନରେ ସାଇତି ରଖିବାକୁ ସେମାନେ ଏମିତି କିଛି କାମ କରିଛନ୍ତି; ଯାହାକି ଅନ୍ୟମାନଙ୍କୁ ଚକିତ କରୁଛି। କେଉଁଠି ସ୍ବାମୀ ସ୍ତ୍ରୀଙ୍କ ସ୍ମୃତିରେ ମନ୍ଦିର ଗଢ଼ିଛନ୍ତି ତ ଆଉ କେଉଁଠି ଘରେ ସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ସେମିତି ଆଉ କେଉଁଠି ସ୍ତ୍ରୀ ବି ସ୍ବାମୀ ପାଇଁ ମନ୍ଦିର ଗଢ଼ି ପ୍ରେମ ଓ ଭଲପାଇବାର ଉଦାହରଣ ସୃଷ୍ଟି କରିଛନ୍ତି…

ସ୍ତ୍ରୀଙ୍କ ଇଚ୍ଛା ପାଇଁ ତାଙ୍କ ପ୍ରତିମୂର୍ତ୍ତି ଗଢ଼ିଲେ ସ୍ବାମୀ: ତାପସ ସାଣ୍ଡିଲ୍ୟ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଘର ତାଙ୍କର ପଶ୍ଚିମବଙ୍ଗରେ। ସ୍ତ୍ରୀ ଇନ୍ଦ୍ରାଣୀଙ୍କୁ ସେ ଖୁବ୍‌ ଭଲ ପାଉଥିଲେ। ଚାକିରି ଜୀବନରେ ଧର୍ମପତ୍ନୀଙ୍କୁ ନେଇ ଅନେକ ସ୍ଥାନ ସେ ବୁଲିବାକୁ ମଧ୍ୟ ଯାଇଥିଲେ। ଥରେ ମାୟାପୁର ଇସ୍କନ ମନ୍ଦିରକୁ ବୁଲିଯିବା ଅବସରରେ ସେମାନେ ସେଠାରେ ଇସ୍କନର ପ୍ରାଣପ୍ରତିଷ୍ଠାତା କୁହାଯାଉଥିବା ଅଭୟଚରଣାରବିନ୍ଦ ଭକ୍ତିବେଦାନ୍ତ ସ୍ବାମୀ ପ୍ରଭୁପାଦଙ୍କର ଏକ ସୁନ୍ଦର ପ୍ରତିମୂର୍ତ୍ତି ଦେଖିଲେ; ଯାହାକି ଏତେ ଜୀବନ୍ତ ଲାଗୁଥିଲା ଯେ ଇନ୍ଦ୍ରାଣୀଙ୍କର ଆଖି ସେଠାରୁ ହଟୁ ନ ଥିଲା। ପରେ ସେ ତାଙ୍କ ସ୍ବାମୀଙ୍କୁ କହିଲେ, ଯଦି ତାଙ୍କର ଆଗୁଆ ମୃତ୍ୟୁ ହୋଇଯାଏ ତା’ହେଲେ ତାଙ୍କର ବି ଏହିଭଳି ଏକ ଜୀବନ୍ତ ପ୍ରତିମୂର୍ତ୍ତି ଗଢ଼ି ଘରେ ରଖିବେ। ସତକୁ ସତ ୨୦୨୧ ମସିହାରେ କରୋନା ରୋଗରେ ପୀଡ଼ିତ ହେଲେ ଇନ୍ଦ୍ରାଣୀ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା। ତାପସ ଇନ୍ଦ୍ରାଣୀଙ୍କ ସହ ମିଶି ରହୁଥିବାରୁ ତାଙ୍କୁ ବି ଆଇସୋଲେଶନ୍‌ରେ ରହିବାକୁ ବାଧ୍ୟ କରାଗଲା। ଯଦ୍ଦ୍ବାରା ତାପସ ଆଉ ଇନ୍ଦ୍ରାଣୀଙ୍କୁ ଦେଖିପାରିଲେ ନାହିଁ। ତା’ରି ଭିତରେ ଇନ୍ଦ୍ରାଣୀଙ୍କର ସ୍ବାସ୍ଥ୍ୟ ବେଶି ଖରାପ ହୋଇ ଦେହାନ୍ତ ହେଲା। ମୃତ୍ୟୁ ବେଳକୁ ବି ତାପସଙ୍କୁ ତାଙ୍କ ପାଖକୁ ଛଡ଼ାଗଲା ନାହିଁ। ଦୁଃଖରେ ଭାଙ୍ଗିପଡିଲେ ସେ। ଆଇସୋଲେଶନ୍‌ରୁ ବାହାରିବା ପରେ ସ୍ତ୍ରୀଙ୍କୁ ସେ ଖୁବ୍‌ ଝୁରିଲେ। ସେତେବେଳେ ତାଙ୍କର ମନେପଡିଲା ସ୍ତ୍ରୀ କହିଥିବା ସେହି ମୂର୍ତ୍ତି ତିଆରି କଥା। ତା’ପରେ ସେ ଜଣେ ଭଲ ମୂର୍ତ୍ତି କାରିଗରଙ୍କୁ ଖୋଜିଲେ; ଯିଏକି ତାଙ୍କ ସ୍ତ୍ରୀଙ୍କର ଏକ ସୁନ୍ଦର ପ୍ରତିମୂର୍ତ୍ତି ତିଆରି କରିଦେବ। ବହୁ ସନ୍ଧାନ ପରେ ତାଙ୍କୁ ଜଣେ ଦକ୍ଷ କାରିଗର ମିଳିଲେ; ଯିଏକି ସଂଗ୍ରହାଳୟ ପାଇଁ ବିଭିନ୍ନ ପ୍ରକାରର ସିଲିକନ୍‌ ପ୍ରତିକୃତିମାନ ତିଆରି କରୁଥିଲେ। ପ୍ରାୟ ୬ ମାସର ଅକ୍ଳାନ୍ତ ପରିଶ୍ରମ ପରେ କାରିଗର ଜଣଙ୍କ ତାପସଙ୍କୁ ତାଙ୍କ ସ୍ତ୍ରୀଙ୍କର ବସିଥିବା ଏକ ପୂର୍ଣ୍ଣ ଶରୀରର ସୁନ୍ଦର ସିଲିକନ୍‌ ପ୍ରତିମୂର୍ତ୍ତିଟିଏ ତିଆରି କରି ଦେଇଥିଲେ; ଯାହାକି ଦେଖିବାକୁ ପୂରା ଜୀବନ୍ତ ଲାଗୁଥିଲା। ଉକ୍ତ ମୂର୍ତ୍ତିଟିର ଓଜନ ପ୍ରାୟ ୩୦ କି.ଗ୍ରା ଥିଲା ଆଉ ଏଥିପାଇଁ ତାପସଙ୍କୁ ପାଖାପାଖି ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। ମୃତ ସ୍ତ୍ରୀଙ୍କର ଇଚ୍ଛାକୁ ପୂରଣ କରିପାରିଥିବାରୁ ତାପସଙ୍କୁ ଗୋଟେ ପଟେ ଆତ୍ମସନ୍ତୋଷ ମିଳିଥିଲା ସିନା କିନ୍ତୁ ଏହି ମୂର୍ତ୍ତିକୁ ଘରେ ସ୍ଥାପନ କରିବାକୁ ନେଇ ପରିବାର ପକ୍ଷରୁ ତାଙ୍କୁ ବିରୋଧର ଶିକାର ହେବାକୁ ପଡିଲା। ହେଲେ ତାପସ ସେମାନଙ୍କୁ ବୁଝାଇଥିଲେ, ଯଦି ଆମେ ମୃତ ବ୍ୟକ୍ତିଙ୍କ ଫଟୋକୁ ଫୁଲମାଳ ଦେଇ ଘରେ ରଖିପାରିବା ତା’ହେଲେ ତାଙ୍କର ପ୍ରତିମୂର୍ତ୍ତିକୁ କାହିଁକ ରଖିପାରିବା ନାହିଁ? ଏହି କଥାକୁ ସମସ୍ତେ ଗ୍ରହଣ କରିବା ପରେ ଇନ୍ଦ୍ରାଣୀଙ୍କର ସିଲିକନ୍‌ ପ୍ରତିମୂର୍ତ୍ତିକୁ ତାପସ ଆଣି ଘରେ ଥିବା ଏକ ଝୁଲା ସୋଫାରେ ସ୍ଥାପନ କଲେ। ଆଉ ତାଙ୍କୁ ଅଳଙ୍କାର ଓ ସୁନ୍ଦର ଶାଢ଼ି ବି ପିନ୍ଧାଇ ଦେଇଥିଲେ। ପ୍ରତିଦିନ ସ୍ତ୍ରୀଙ୍କର ଏହି ପ୍ରତିମୂର୍ତ୍ତି ପାଖରେ ବସି ଦୁଃଖସୁଖ ହେବା, ଫ୍ୟାମିଲି ଫଟୋ ଦେଖିବା, ବେଳେବେଳେ ତାଙ୍କର ମୁଣ୍ଡ କୁଣ୍ଡାଇ ଦେବା ଇତ୍ୟାଦି କାର୍ଯ୍ୟ କରି ତାପସ ତାଙ୍କର ସମୟ ଅତିବାହିତ କଲେ। ଆଉ ସ୍ତ୍ରୀଙ୍କ ଅକାଳ ମୃତ୍ୟୁର ଦୁଃଖକୁ ଧୀରେ ଧୀରେ ଭୁଲିବାକୁ ଚେଷ୍ଟା ବି କଲେ। ଇନ୍ଦ୍ରାଣୀଙ୍କ ପ୍ରତି ତାପସଙ୍କର ଥିବା ଏଭଳି ଭଲପାଇବା ସତରେ ଖୁବ୍‌ ବିରଳ।

ସ୍ତ୍ରୀଙ୍କ ସ୍ମୃତିରେ ନୂଆଘରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କଲେ ସ୍ବାମୀ:

ଶ୍ରୀନିବାସ ଗୁପ୍ତା, କର୍ନାଟକର ଜଣେ ବ୍ୟବସାୟୀ। ସେ ତାଙ୍କ ସ୍ତ୍ରୀ ମାଧବୀଙ୍କୁ ଖୁବ୍‌ ଭଲ ପାଆନ୍ତି। ମାଧବୀଙ୍କର ଗୋଟିଏ ବଡ଼ ଇଚ୍ଛା ଥିଲା, ତାଙ୍କର ନିଜ ଜାଗାରେ କେମିତି ଗୋଟିଏ ସୁନ୍ଦର ଘରଟିଏ ତିଆରି ହେଉ। ସ୍ବାମୀ ବି ଖୁବ୍‌ ଚେଷ୍ଟା କରୁଥିଲେ ସ୍ତ୍ରୀର ଇଚ୍ଛାକୁ ପୂରଣ କରିବାକୁ। କିନ୍ତୁ ତା’ପୂର୍ବରୁ ହଠାତ୍‌ ଏକ ସଡ଼କ ଦୁର୍ଘଟଣାରେ ମାଧବୀଙ୍କର ମୃତ୍ୟୁ ହୋଇଗଲା। ଦୁଃଖରେ ଭାଙ୍ଗିପଡିଲେ ଶ୍ରୀନିବାସ। ଦୁଇ ଝିଅଙ୍କ ମୁହଁକୁ ଚାହିଁ ପୁଣି ସେ ନିଜକୁ ଦୃଢ଼ କଲେ। ମାଧବୀଙ୍କ ସ୍ବପ୍ନକୁ ପୂରଣ କରିବାକୁ ଅଣ୍ଟାଭିଡ଼ିଲେ। ଶେଷରେ କିଛିଦିନ ଭିତରେ ତାଙ୍କର ଏକ ସୁନ୍ଦର ଘରଟିଏ ତିଆରି ହେଲା। ଆଉ ସେହି ଘରେ ସ୍ତ୍ରୀଙ୍କର ଏକ ମୂର୍ତ୍ତି ସ୍ଥାପନ କରିବାକୁ ଚିନ୍ତା କରି ଶ୍ରୀନିବାସ ବେଙ୍ଗାଲୁରୁର ଜଣେ ଦକ୍ଷ ମୂର୍ତ୍ତି କାରିଗରଙ୍କୁ ମାଧବୀଙ୍କର ଏକ ସିଲିକନ୍‌ ପ୍ରତିମୂର୍ତ୍ତି ଗଢ଼ିବାର ଦାୟିତ୍ୱ ଦେଲେ। ଯଥା ସମୟରେ ମୂର୍ତ୍ତିଗଢ଼ା ମଧ୍ୟ ଶେଷ ହୋଇଗଲା। ଘରପ୍ରତିଷ୍ଠା ଦିନ ଯେତେବେଳେ ନୂଆଘରେ ଶ୍ରୀନିବାସ ମାଧବୀଙ୍କର ସିଲିକନ୍‌ ପ୍ରତିମୂର୍ତ୍ତିକୁ ସ୍ଥାପନ କରି ତାଙ୍କର ଦୁଇ ଝିଅଙ୍କୁ ଦେଖାଇଲେ ଦୁଇଝିଅ ପୂରା ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କୁ ଲାଗିଲା ସତେ ଯେମିତି ତାଙ୍କ ମା’ ପୁଣି ଥରେ ସେମାନଙ୍କ ପାଖକୁ ଫେରି ଆସିଛନ୍ତି। ସେମାନେ ଖୁସିରେ ମା’ଙ୍କୁ ସୁନ୍ଦର ଶାଢ଼ି ଆଉ ଅଳଙ୍କାରମାନ ପିନ୍ଧାଇ ତାଙ୍କ ସହିତ ଫ୍ୟାମିଲି ଫଟୋ ବି ଉଠାଇଲେ। ନୂଆ ଘରେ ପଡିଥିବା ନୂଆ ସୋଫାରେ ମାଧବୀଙ୍କର ସିଲିକନ୍‌ ପ୍ରତିମୂର୍ତ୍ତିଟି ଏପରି ଭାବେ ରଖାଯାଇଥିଲା ଯେ, ଘର ପ୍ରତିଷ୍ଠାରେ ଯୋଗ ଦେବାକୁ ଯେଉଁ ଅତିଥି ଆସୁଥିଲେ ସିଏ ହଠାତ୍‌ ଦ୍ୱନ୍ଦ୍ୱରେ ପଡିଯାଉଥିଲେ ଯେ, ଏହା ଏକ ମୂର୍ତ୍ତି ନା ସତସତିକା ମାଧବୀ ଦେବୀ ସୋଫାରେ ବସିଛନ୍ତି।

ସ୍ବାମୀ କଲେ ସ୍ତ୍ରୀ ପାଇଁ ମନ୍ଦିର
ମଧ୍ୟପ୍ରଦେଶର ଶାଜାପୁରର ନିବାସୀ ହେଲେ ନାରାୟଣ ସିଂହ। ସେ ହେଲେ ଜଣେ ଧାର୍ମିକ ପ୍ରବୃତ୍ତିର ଲୋକ। ନିଜ ପୁଅ ଓ ସ୍ତ୍ରୀ ଗୀତାବାଈଙ୍କୁ ସେ ଖୁବ୍‌ ଭଲ ପାଉଥିଲେ। ଗୀତାବାଈଙ୍କର ନରମ ସ୍ବଭାବ ଓ ଧୀରସ୍ଥିର ଚାଲିଚଳଣକୁ ନାରାୟଣ ବେଶ୍‌ ପସନ୍ଦ କରୁଥିଲେ ଆଉ ତାଙ୍କୁ ସମ୍ମାନ ବି ଦେଉଥିଲେ। ବେଶ୍‌ ହସଖୁସିରେ ତାଙ୍କର ଦିନ ବିତୁଥିଲା। କିନ୍ତୁ ହଠାତ୍‌ ଦୁଃଖର ବାଦଲ ତାଙ୍କ ପରିବାର ଉପରକୁ ମାଡ଼ି ଆସିଲା। କରୋନା ରୋଗରେ ପୀଡିତ ହୋଇ ଗୀତାବାଈଙ୍କର ଅକାଳ ମୃତ୍ୟୁ ହେଲା। ସ୍ତ୍ରୀଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଲେ ନାରାୟଣ। ମା’ ଛେଉଣ୍ଡ ହୋଇଗଲା ତାଙ୍କ ପୁଅ। ସବୁବେଳେ ମା’ଙ୍କୁ ଝୁରିହେଲା। ଗୀତାବାଈ ଜୀବିତାବସ୍ଥାରେ ନ ଥିଲେ କ’ଣ ହେଲା ତାଙ୍କର ଏକ ମୂର୍ତ୍ତିକୁ ସ୍ଥାପନ କରି ତାଙ୍କ ସହ ଦିନ କାଟିବାକୁ ଉଭୟ ବାପପୁଅ ଶେଷରେ ନିଷ୍ପତ୍ତି ନେଲେ। ଗୀତାବାଈ ମରିବାର ତିନିଦିନ ପରେ ରାଜସ୍ଥାନର ଏକ ମୂର୍ତ୍ତି କାରିଗରଙ୍କୁ ତାଙ୍କର ଏକ ସୁନ୍ଦର ପ୍ରତିମୂର୍ତ୍ତି ଗଢିବାକୁ ସେମାନେ ଦାୟିତ୍ୱ ଦେଲେ। ଦେଢ଼ମାସ ପରେ ପ୍ରାୟ ୩ ଫୁଟ୍‌ ଉଚ୍ଚତାବିଶିଷ୍ଟ ଗୀତାବାଈଙ୍କର ଏକ ପ୍ରତିମୂର୍ତ୍ତିଟି ତିଆରି ହୋଇ ଆସିଲା। ପାଖପଡ଼ୋଶୀଙ୍କ ସହାୟତାରେ ଉଭୟ ବାପପୁଅ ମିଶି ତାଙ୍କ ଘରର ଦାଣ୍ଡଦୁଆରକୁ ଲାଗି ଗୀତାବାଈଙ୍କ ପାଇଁ ଏକ ଛୋଟ ମନ୍ଦିର ଗଢିଲେ ଆଉ ତା’ ମଧ୍ୟରେ ପ୍ରତିମୂର୍ତ୍ତିଟିକୁ ସ୍ଥାପନ କଲେ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ବାପପୁଅ ମିଶି ଏହି ମନ୍ଦିରରେ ଗୀତାବାଈଙ୍କର ପୂଜାର୍ଚ୍ଚନା କରିଥାନ୍ତି ଆଉ ନିଜର ଦୁଃଖସୁଖ ମଧ୍ୟ ତାଙ୍କ ସହିତ ବାଣ୍ଟିଥାନ୍ତି। ଆର୍ଥିକ ଦୃଷ୍ଟିରୁ ସେତେ ସ୍ବଚ୍ଛଳ ନ ଥିଲେ ବି ସ୍ତ୍ରୀ ପ୍ରତି ଥିବା ନାରାୟଣଙ୍କର ଏହି ଭଲ ପାଇବାକୁ ଦେଖିଲେ ଲାଗେ, ଧନରେ ନୁହଁ ସେ ମନରେ ହେଉଛନ୍ତି ରାଜା।

ସ୍ତ୍ରୀଙ୍କ ସ୍ମୃତିରେ ସ୍ବାମୀ ଗଢ଼ିଲେ ମନ୍ଦିର
କର୍ନାଟକ ଚମରାଜନଗର ଜିଲା ଅନ୍ତର୍ଗତ ୟେଲାନ୍ଦୁର ତାଲୁକାର କ୍ରିଷ୍ଣାପୁର ଗାଁର ବାସିନ୍ଦା ହେଲେ ରାଜୁ ସ୍ବାମୀ । ସ୍ନେହରେ ସମସ୍ତେ ତାଙ୍କୁ ରାଜୁ ବୋଲି ଡାକନ୍ତି। ପେସାରେ ଥିଲେ ସେ ଜଣେ କୃଷକ। ତାଙ୍କର ତିନି ଏକରର ଥିଲା ଏକ ଚାଷ ଜମି। ନିଜ ଭାଣିଜୀକୁ ସେ ପ୍ରେମବିବାହ କରିଥିଲେ। ଏଥିପାଇଁ ତାଙ୍କୁ ପରିବାର ତରଫରୁ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ହେଲେ ସେ ସବୁକୁ ସାହସର ସହ ସାମ୍ନା କରି ରାଜୁ ନିଜ ସ୍ତ୍ରୀକୁ ନେଇ ଖୁସିରେ ଦିନ କାଟିବାକୁ ଲାଗିଲେ। ସ୍ବାମୀସ୍ତ୍ରୀ ମଧ୍ୟରେ ଥିଲା ଖୁବ୍‌ ନିବିଡ଼ତା। ଖୁସିରେ ସେ ନିଜ ସ୍ତ୍ରୀକୁ ରାଜାମ୍ମା ବୋଲି ଡାକୁଥିଲେ। ରାଜାମ୍ମା ଚାହୁଁଥିଲେ, ତାଙ୍କ ସ୍ବାମୀ ତାଙ୍କ ଜମିର କିଛି ଜାଗାରେ ଏକ ଛୋଟ ମନ୍ଦିରଟିଏ ଗଢନ୍ତୁ, ଯେଉଁଠି ସେ ପ୍ରଭୁ ଶିବଙ୍କ ସହିତ ଶନିଶ୍ୱର, ସିଦ୍ଧପାଈ, ନବଗ୍ରହ ଆଦି ଠାକୁରଙ୍କର ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରିବେ। ରାଜୁ ବି ରାଜାମ୍ମାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଜମିରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଦେଇଥିଲେ। କିନ୍ତୁ ଏହି ଶୁଭ କାମ ଶେଷ ହେବା ପୂର୍ବରୁ ରାଜାମ୍ମାଙ୍କର ହଠାତ୍‌ ଦେହାନ୍ତ ହୋଇଗଲା; ଯାହାକି ରାଜୁଙ୍କ ଦମ୍ଭକୁ ସମ୍ପୂର୍ଣ୍ଣ ଦୋହଲାଇଦେଲା। ତଥାପି ସେ ନିଜକୁ ଦୃଢ଼ କଲେ। ସ୍ତ୍ରୀର ଇଚ୍ଛାକୁ ପୂରଣ କରିବାକୁ ଅଣ୍ଟାଭିଡ଼ିଲେ। ପାଖାପାଖି ୨ ବର୍ଷ ଲାଗିଗଲା ତାଙ୍କୁ ଏହି ମନ୍ଦିର କାର୍ଯ୍ୟ ଶେଷ କରିବାକୁ। ୨୦୦୬ରେ ମନ୍ଦିରଟିର ନିର୍ମାଣ କାର୍ଯ୍ୟ ଶେଷ ହେଲା। ମନ୍ଦିର କାର୍ଯ୍ୟ ସରିବା ପରେ ରାଜୁ ସ୍ତ୍ରୀର ଇଚ୍ଛାନୁଯାୟୀ, ସେହି ମନ୍ଦିରରେ ପ୍ରଭୁ ଶିବଙ୍କ ସହିତ ଶନିଶ୍ୱର, ସିଦ୍ଧପାଈ, ନବଗ୍ରହଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ସଙ୍ଗେ ସଙ୍ଗେ ସ୍ତ୍ରୀଙ୍କୁ ସମ୍ମାନ ଦେଇ ସେଠାରେ ତାଙ୍କର ମଧ୍ୟ ଏକ ପ୍ରତିମୂର୍ତ୍ତି ସ୍ଥାପନ କଲେ ଆଉ ସେଠାରେ ଯଥାବିଧି ପୂଜାର୍ଚ୍ଚନା ବି କରିବାକୁ ଲାଗିଲେ। ସେବେଠାରୁ ଏହି ମନ୍ଦିରଟି ରାଜାମ୍ମା ମନ୍ଦିର ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଖ୍ୟାତି ଅର୍ଜନ କରିପାରିଛି।

ବାପାଙ୍କ ପାଇଁ ଝିଅ ମା’ର ପ୍ରତିମୂର୍ତ୍ତି ଗଢ଼ିଲେ
ମାଣ୍ଡଭ କୁଟୁମ୍ବ ରାଓ, ଯିଏକି ପେସାରେ ଜଣେ ଇଲେକ୍ଟ୍ରିସିଆନ୍‌। ବିଜୟଓ୍ବାଡାରେ ତାଙ୍କର ଘର। ଜଣେ ପରିବେଶବିତ୍‌ ଓ ସାମାଜିକ କର୍ମୀ ଭାବେ ବି ସେ ଜଣାଶୁଣା। ତାଙ୍କର ସମସ୍ତ କାର୍ଯ୍ୟରେ ସ୍ତ୍ରୀ କାଶୀ ଅନ୍ନପୂର୍ଣ୍ଣା ବି ତାଙ୍କୁ ଖୁବ୍‌ ସାହାଯ୍ୟ କରନ୍ତି। ଛାତ ଉପରେ ଅର୍ଗାନିକ୍‌ ଗାର୍ଡେନ କରିବାଠାରୁ ଆରମ୍ଭ କରି ରାସ୍ତା କଡ଼ରେ ଗଛ ଲଗାଇବା ଓ ତାହାର ଯତ୍ନ ନେବାରେ ବି ସ୍ବାମୀଙ୍କୁ ବେଶ୍‌ ସହାୟତା କରିଥାନ୍ତି ଅନ୍ନପୂର୍ଣ୍ଣା। ସେଥିପାଇଁ ସ୍ବାମୀସ୍ତ୍ରୀଙ୍କ ଭିତରେ ଥାଏ ବେଶ୍‌ ନିବିଡ଼ତା। ହେଲେ ୨୦୨୦ ଜୁଲାଇରେ କରୋନା ରୋଗରେ ପୀଡିତ ହୋଇ ହଠାତ୍‌ ମୃତ୍ୟୁ ମୁଖରେ ପଡନ୍ତି ଅନ୍ନପୂର୍ଣ୍ଣା। ସ୍ତ୍ରୀଙ୍କ ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗିପଡନ୍ତି ମାଣ୍ଡଭ। ପାଗଳପ୍ରାୟ ହୋଇ କାମଦାମକୁ ବି ଯାଆନ୍ତି ନାହିଁ କି କାହା ସହିତ ମିଶନ୍ତି ନାହିଁ। ତାଙ୍କର ଗୋଟିଏ ଝିଅ ମାଣ୍ଡଭା ଶାଶ୍ୟା; ଯିଏକି ଆମେରିକାରେ ରୁହନ୍ତି, ସିଏ ବାପାଙ୍କର ଏଭଳି ଅବସ୍ଥା ଦେଖି ତାଙ୍କୁ ସହଜ କରିବାକୁ ବହୁତ ଚେଷ୍ଟା କରନ୍ତି। କିନ୍ତୁ ପ୍ରତିଥର ତାଙ୍କୁ ନିରାଶ ହେବାକୁ ପଡେ। ଏମିତିରେ ଶାଶ୍ୟା ସିଲିକନ୍‌ ପ୍ରତିମୂର୍ତ୍ତି ବିଷୟରେ ସୋସିଆଲ୍‌ ମିଡିଆରୁ ଜାଣିବାକୁ ପାଆନ୍ତି। ବାପାଙ୍କୁ ଠିକ୍‌ କରିବା ପାଇଁ ଏହା ହିଁ ଏକମାତ୍ର ଉପାୟ ବୋଲି ଚିନ୍ତା କରି କାରିଗର ସାହାଯ୍ୟରେ ସେ ତାଙ୍କ ମା’ଙ୍କର ଏକ ସିଲିକନ୍‌ ପ୍ରତିମୂର୍ତ୍ତି ତିଆରି କରି ବାପାଙ୍କୁ ଦେଖାନ୍ତି। ବାପାଙ୍କ ମୁହଁରେ ଟିକେ ପରିବର୍ତ୍ତନ ଦେଖି ତାଙ୍କୁ ବହୁତ ଖୁସି ଲାଗେ। ତା’ପରେ ସେ ମା’ଙ୍କ ପ୍ରତିମୂର୍ତ୍ତିକୁ ତାଙ୍କ ଘରେ ଥିବା ଏକ ଝୁଲାରେ ବସାଇ ତାଙ୍କୁ ଗହଣା ଓ ଶାଢ଼ି ପିନ୍ଧାଇ ସୁନ୍ଦର ଭାବେ ସଜାଇଦିଅନ୍ତି। ପ୍ରତିଦିନ ସେହି ମୂର୍ତ୍ତିକୁ ଦେଖିଦେଖି ତାଙ୍କ ବାପା ସୁସ୍ଥ ହେବାକୁ ଲାଗନ୍ତି। ମୂର୍ତ୍ତି ରୂପରେ ତାଙ୍କ ପତ୍ନୀକୁ ନିଜ ପାଖରେ ପାଇ ମାଣ୍ଡଭ ଦୁନିଆର ସବୁ ସୁଖ ପାଇଯାଇଛନ୍ତି ବୋଲି ଭାବି ବେଶ୍‌ ଖୁସିରେ ଦିନ ବିତାନ୍ତି, ଯାହାକି ଝିଅ ଶାଶ୍ୟାଙ୍କୁ ବି ଖୁବ୍‌ ଆତ୍ମସନ୍ତୋଷ ଦେଇଥାଏ।

ସ୍ତ୍ରୀଙ୍କ ସହ ଗପିବାକୁ ତାଙ୍କର ଏକ ମୂର୍ତ୍ତି ଗଢ଼ିଲେ ସ୍ବାମୀ
ତାମିଲନାଡ଼ୁ ମଦୁରାଇର ଜଣେ ୭୬ ବର୍ଷୀୟ ବ୍ୟବସାୟୀ ହେଲେ ସେଥୁରମନ୍‌। ସେ ତାଙ୍କ ସ୍ତ୍ରୀଙ୍କୁ ଖୁବ୍‌ ଭଲ ପାଉଥିଲେ। ଏମିତି ଗୋଟିଏ ବି ଦିନ ନାହିଁ ଯେଉଁଦିନ ସିଏ ନିଜ ସ୍ତ୍ରୀ ସହିତ ଅଳ୍ପ ସମୟ ପାଇଁ ହେଉନା କାହିଁକି ଦୁଃଖସୁଖ ହୋଇ ନ ଥାନ୍ତି। ଯଦି କୌଣସି ଜରୁରୀ କାମରେ ବ୍ୟସ୍ତ ରହି ଘରୁ କୁଆଡ଼େ ଯାଇଥାନ୍ତି, ତା’ହେଲେ ଫୋନ୍‌ରେ ବି ସେ ସ୍ତ୍ରୀ ସାଙ୍ଗରେ ଟିକେ କଥା ହୋଇଯା’ନ୍ତି। କହିବାକୁ ଗଲେ ଏହି କଥାବାର୍ତ୍ତା ହିଁ ସେମାନଙ୍କୁ ଶକ୍ତି ଯୋଗାଉଥାଏ ଜୀବନ ପଥରେ ଆଗେଇ ଯିବାକୁ ଆଉ ଖୁସି ରହିବାକୁ। କିନ୍ତୁ ହଠାତ୍‌ ଦିନେ ହୃଦ୍‌ଘାତର ଶିକାର ହୁଅନ୍ତି ସେଥୁରମନ୍‌ଙ୍କ ସ୍ତ୍ରୀ। ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ୱେ ବି ସେ ଆଉ ବଞ୍ଚତ୍ପାରନ୍ତି ନାହିଁ। ସ୍ତ୍ରୀଙ୍କୁ ହରାଇ ସମୂର୍ଣ୍ଣ ଏକଲା ହୋଇଯାଆନ୍ତି ସେଥୁରମନ୍‌। ପରିବାରରେ ଅନ୍ୟ ଲୋକେ ଥିଲେ ବି ସ୍ତ୍ରୀ ବିନା ତାଙ୍କୁ କିଛି ଭଲ ଲାଗେନା। ବିଶେଷକରି ସ୍ତ୍ରୀ ସାଙ୍ଗରେ କଥାବାର୍ତ୍ତା ନ ହେବାର ଦୁଃଖ ତାଙ୍କୁ ବେଶି କଷ୍ଟ ଦେଉଥିଲା। ଏହି ସମୟରେ ସୋସିଆଲ ମିଡିଆରୁ ସେ ଜାଣିବାକୁ ପାଇଲେ ଯେ, କର୍ନାଟକର ଜଣେ ବ୍ୟବସାୟୀ ତାଙ୍କର ଘରପ୍ରତିଷ୍ଠାରେ ମୃତ ସ୍ତ୍ରୀଙ୍କର ଏକ ସିଲିକନ୍‌ ମୂର୍ତ୍ତି ସ୍ଥାପନ କରିବାର କଥା। ସେ ବି ସେମିତି କିଛି କରିବାକୁ ଚିନ୍ତା କରି ମୂର୍ତ୍ତି କାରିଗରଙ୍କ ସହାୟତାରେ ଫାଇବର୍‌ ଓ ରବର ସାହାଯ୍ୟରେ ୬ ଫୁଟ୍‌ର ନିଜ ସ୍ତ୍ରୀଙ୍କର ଏକ ପ୍ରତିମୂର୍ତ୍ତି ଗଢିଲେ ଆଉ ଘରେ ତାହାକୁ ସ୍ଥାପନ ବି କଲେ। ପ୍ରତିମୂର୍ତ୍ତି ସ୍ଥାପନ କରିବା ପରେ ପ୍ରତିଦିନ ସେଠାରେ କିଛି କିଛି ସମୟ ବସି ନିଜ ମନକଥା କହି ମନକୁ ହାଲୁକା କରିଥାନ୍ତି। ସେଥୁରମନ୍‌ ସ୍ତ୍ରୀଙ୍କ ପାଖରେ ବସି ମନ ହାଲ୍‌କା କରିବା ପାଇଁ ଯେଉଁ ଚେଷ୍ଟା କରନ୍ତି ତାହା ସତରେ ଖୁବ୍‌ ହୃଦୟ ବିଦାରକ।

ସ୍ବାମୀଙ୍କ ସ୍ମୃତିରେ ସ୍ତ୍ରୀ ଗଢ଼ିଲେ ମନ୍ଦିର
କେବଳ ସ୍ବାମୀ କାହିଁ କି ସ୍ତ୍ରୀ ବି ନିଜ ସ୍ବାମୀଙ୍କ ସ୍ମୃତିକୁ ମନେପକାଇବାକୁ ଆଉ ତାଙ୍କୁ ମନ ମନ୍ଦିରରେ ପୂଜା କରିବାକୁ ବି କ’ଣ ଯେ କରିପାରେ ତାହାର ଏକ ନିଆରା ନିଦର୍ଶନ ଦେଖିବାକୁ ମିଳେ ଆନ୍ଧ୍ରପ୍ରଦେଶରେ। ଆନ୍ଧ୍ରପ୍ରଦେଶର ପ୍ରକାଶମ୍‌ ନାମକ ଏକ ଜିଲାରେ ରୁହନ୍ତି ପଦ୍ମାବତୀ। ୨୦୦୭ରେ ଏକ କାର୍‌ ଦୁର୍ଘଟଣାରେ ତାଙ୍କ ସ୍ବାମୀ ଗୁରୁକୁଲ୍‌ ଆଙ୍କି ରେଡ୍ଡୀଙ୍କର ଅକାଳ ବିୟୋଗ ହୋଇଥିଲା। ସ୍ବାମୀଙ୍କୁ ହରାଇ ପାଗଳୀପ୍ରାୟ ହୋଇଯାଉଥିଲେ ପଦ୍ମାବତୀ। ସବୁବେଳେ ସ୍ବାମୀଙ୍କୁ ଝୁରୁଥିଲେ। ଦିନେ ତାଙ୍କ ସ୍ବାମୀ ସ୍ବପ୍ନରେ ଆସି ତାଙ୍କ ପାଇଁ ଏକ ମନ୍ଦିର ଗଢିବାକୁ କହିଲେ ଆଉ ତାଙ୍କୁ ପୂଜା କରିବାକୁ ବି ପରାମର୍ଶ ଦେଲେ। ସ୍ବପ୍ନ ଦେଖି ହଠାତ୍‌ ଚମକି ପଡିଲେ ପଦ୍ମାବତୀ। ତାଙ୍କର ତାଙ୍କ ମା’ଙ୍କ କଥା ମନେପଡିଲା। ସିଏ ବି ପିଲାଟିବେଳୁ ଦେଖିଥିଲେ ତାଙ୍କ ମା’ ତାଙ୍କ ବାପାଙ୍କୁ ଖୁବ୍‌ ମାନୁଥିଲେ ଆଉ ତାଙ୍କୁ ପୂଜା ବି କରୁଥିଲେ। ତେଣୁ ସିଏ ବି ସେୟା କରିବାକୁ ଚିନ୍ତା କରି ଟଙ୍କା ଯୋଗାଡ଼ରେ ଲାଗିଲେ। କିଛି ଟଙ୍କା ଯୋଗାଡ଼ ହୋଇଯିବା ପରେ ତାଙ୍କ ସ୍ବାମୀଙ୍କର ଥିବା ଏକ ଜମିରେ ଗୋଟିଏ ଛୋଟ ମନ୍ଦିର ତିଆରି କଲେ। ଆଉ ସେଠାରେ ଧଳା ମାର୍ବଲରେ ତିଆରି ସ୍ବାମୀଙ୍କର ପ୍ରତିମୂର୍ତ୍ତିକୁ ସ୍ଥାପନ କରି ପ୍ରତିଦିନ ପୂଜାର୍ଚ୍ଚନା କରିବାକୁ ଲାଗିଲେ। ଏପରିକି ପ୍ରତି ସପ୍ତାହର ଶେଷଦିନ ଏବଂ ପ୍ରତି ପୂର୍ଣ୍ଣିମା ଦିନ ପଦ୍ମାବତୀ ତାଙ୍କ ସ୍ବାମୀଙ୍କ ନାଁରେ କିଛି ଗରିବ ଲୋକଙ୍କୁ ଖାଇବାକୁ ମଧ୍ୟ ଦେଲେ। ଏହା ଦେଖି ସ୍ଥାନୀୟ ଲୋକେ ପଦ୍ମାବତୀଙ୍କୁ ଯେତିକି ପ୍ରଶଂସା କରୁଥିଲେ କ୍ରମେ କିଛି ଲୋକ ତାଙ୍କୁ ସାହାଯ୍ୟର ହାତ ବି ବଢ଼ାଇଲେ। ତେବେ ସେ ଯାହା ବି ହେଉ ସ୍ବାମୀଙ୍କ ସ୍ମୃତିରେ ପଦ୍ମାବତୀ ଏପରି ଏକ ମନ୍ଦିର ଗଢ଼ି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତିି।

ଶେଷରେ କେବଳ ଏତିକି କୁହାଯାଇପାରେ ଯେ, ସ୍ବାମୀ-ସ୍ତ୍ରୀର ସମ୍ପର୍କ କେବଳ ଗୋଟିଏ ଜନ୍ମର ନୁହଁ, ଏହା ଜନ୍ମ ଜନ୍ମାନ୍ତରର। ବିଶ୍ୱାସ, ଭଲପାଇବାରେ ଗଢ଼ିଉଠିଥିବା ଏହି ପବିତ୍ର ସମ୍ପର୍କକୁ ମୃତ୍ୟୁ ସିନା ଦୁହିଁଙ୍କ ଶରୀରକୁ ଅଲଗା କରିଦିଏ କିନ୍ତୁ ମନରୁ ପୋଛିପାରେନା ଏହାର ନିବିଡ଼ତାକୁ।

ଅମ୍ବ୍ରିତା ମିଶ୍ର

Share