Categories: ଜାତୀୟ

ବେରୋଜଗାର ସମସ୍ୟା ଦୂର କରିବ କଂଗ୍ରେସ

ନୂଆଦିଲ୍ଲୀ,୨୧।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉସ୍ମତା ବଢିବାରେ ଲାଗିଛି। ପ୍ରମୁଖ ରାଜନୈତିକ ଦଳଗୁଡିକ ଲୋକଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡିଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୁକ୍ରବାର ଦିଲ୍ଲୀ ପାର୍ଟି ମୁଖ୍ୟାଳୟରେ ଯୁବବର୍ଗଙ୍କ ପାଇଁ ’ଭାରତୀ ବିଧାନ’ ନାମକ ଏକ ମେନିଫେଷ୍ଟୋ (ନିର୍ବାଚନୀ ଇସ୍ତାହାର) ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଯୁବକମାନେ ଚାକିରୀ ହରାଉଛନ୍ତି। ଏହାର କାରଣ କେନ୍ଦ୍ର ସରକାର ୨ରୁ ୩ ଶିଳ୍ପପତିଙ୍କୁ ସମସ୍ତ କାର୍ଯ୍ୟ ଟେକି ଦେଉଛନ୍ତି। ଫଳରେ ଦେଶରେ ଏଭଳି ଅବସ୍ଥା ଉପୁଜିଛି। ତେଣୁ ଉତ୍ତରପ୍ରେଦଶର ଯୁବବର୍ଗଙ୍କ ସହ କଥା ହେବା ପରେ କିପରି ଚାକିରି ସୃଷ୍ଟି କରାଯିବ ସେନେଇ ଏକ ଭିଜନ ଡକ୍ୟୁମେଣ୍ଟ ତିଆରି କରାଯାଇଥିବା ରାହୁଲ କହିଛନ୍ତି।

ଦଳର ନେତା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ରାଜ୍ୟରେ ସବୁଠାରୁ ବଡ଼ ସମସ୍ୟା ହେଉଛି ନିଯୁକ୍ତି ଏବଂ ବେରୋଜଗାର। ସମସ୍ତ ରାଜନୈତିକ ଦଳ କେବଳ ୨୫ରୁ ୩୦ ଲକ୍ଷ ଚାକିରୀ ଦେବାର ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ସେମାନେ ଏହା କିପରି କରିବେ ତାହା ବିସ୍ତୃତ ଭାବେ ସ୍ପଷ୍ଟ କରୁ ନାହାଁନ୍ତି। ଏଣୁ କଂଗ୍ରେସ ଯୁବବର୍ଗ କିପରି ଚାକିରୀ ପାଇବେ ତାହା ବିସ୍ତୃତ ଭାବେ ମେନିଫେଷ୍ଟୋରେ ରହିଥିବା ପ୍ରିୟଙ୍କା କହିଛନ୍ତି।

କେବଳ ସେତିକି ନୁହେଁ, ପରୀକ୍ଷା ସମୟରେ ଯୁବକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ମଧ୍ୟ କଂଗ୍ରେସ ଧ୍ୟାନ ଦେଉଛି। ପରୀକ୍ଷା ଏବଂ କାର୍ଯ୍ୟସୂଚୀକୁ ଧ୍ୟାନରେ ରଖି ଚାକିରି କ୍ୟାଲେଣ୍ଡର ପ୍ରସ୍ତୁତ କରିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି। ଏନେଇ ଉତ୍ତରପ୍ରଦେଶରେ ପ୍ରତିବର୍ଷ ଏକ ଯୁବ ମହୋତ୍ସବ ଆୟୋଜନ କରିବାକୁ ପ୍ରିୟଙ୍କା କହିଛନ୍ତି।

Share