ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ…

ଯଦି ଆପଣ ଉଚ୍ଚ ରକ୍ତଚାପ ଦ୍ୱାରା ପୀଡ଼ିତ, ତେବେ ରକ୍ତଚାପ କେତେ ଅଛି ତାହା ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ମାପି ନିଅନ୍ତୁ। ବିଶେଷଭାବରେ ବୟସ ବଢ଼ିଲେ ଏହି ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ। ଯଦି ଥରେ ଆପଣଙ୍କର ରକ୍ତଚାପରେ ଅସନ୍ତୁଳନ ଦେଖାଦେଲା, ତେବେ ପରବର୍ତ୍ତୀ ସମୟରେ ତାହା କିପରି ରହୁଛି ତାହା ମାପି ଦେଖିନିଅନ୍ତୁ। ରକ୍ତଚାପକୁ ସନ୍ତୁଳିତ ରଖିବାକୁ ହେଲେ କେବଳ ଔଷଧ ନୁହେଁ, ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରତିଦିନ କିଛି ସମୟ ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିଶାଦ୍ରବ୍ୟ ସେବନ ଯୋଗୁଁ ରକ୍ତଚାପଜନିତ ସମସ୍ୟା ଆଶଙ୍କା ଅଧିକ ଥାଏ। ତା’ସହ ଯଦି ଆପଣ ଏଭଳି ଅଭ୍ୟାସ ସହ ଜଡିତ, ତେବେ ତାହାକୁ ତୁରନ୍ତ ବର୍ଜନ କରନ୍ତୁ। ରକ୍ତଚାପ ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିବା ସମୟରେ ଆପଣଙ୍କର ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ସୂଚନା ଦେବାକୁ ଭୁଲନ୍ତୁ ନାହିଁ। ରକ୍ତଚାପରେ ଆକ୍ରାନ୍ତ ହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଆନ୍ତୁ। କାରଣ ସେ ରକ୍ତଚାପର ଅବସ୍ଥା ଦେଖି ଔଷଧର ଡୋଜ୍‌ ସ୍ଥିର କରିଥାଆନ୍ତି।