Categories: ଜାତୀୟ

ଆନ୍ଦୋଳନକାରୀଙ୍କୁ ଚାକିରି, ପାସପୋର୍ଟ ମିଳିବା କଷ୍ଟକର

ଡେରାଡୁନ/ପାଟନା, ୬ା୨- ସୋସିଆଲ ମିଡିଆରେ ଦେଶ ବିରୋଧୀ କମେଣ୍ଟ କିମ୍ବା ହାସ୍‌ଟ୍ୟାଗ ବ୍ୟବହାର କଲେ ଉତ୍ତରାଖଣ୍ଡ ଓ ବିହାରରେ ପାସପୋର୍ଟ ଓ ଅସ୍ତ୍ରଶସ୍ତ୍ର ପାଇଁ ଲାଇସେନ୍ସ ନେବା କଷ୍ଟକର ହେବ। କେବଳ ଏତିକି ନୁହେଁ, ବ୍ୟାଙ୍କରୁ ଋଣ ମିଳିବ ନାହିଁ। ସରକାରୀ ଚାକିରି ଓ ବିହାରରେ ଅନ୍ୟ ସଂସ୍ଥାରେ ଯୋଗ ଦେଇ ପାରିବେ ନାହିଁ। ଏ ସମ୍ପର୍କରେ ଦୁଇ ରାଜ୍ୟର ପୋଲିସ ମୁଖ୍ୟ ନିର୍ଦ୍ଦେଶ ଜାରି କରିଛନ୍ତି।

ଡେରାଡୁନଠାରେ ପୋଲିସ ଅଧିକାରୀଙ୍କ ଖବରଦାତା ସମ୍ମିଳନୀରେ ଡିଜିପି ଅଶୋକ କୁମାର କହିଛନ୍ତି, ସୋସିଆଲ ମିଡିଆରେ ଅସାମାଜିକ ଓ ଦେଶ ବିରୋଧି କାର୍ଯ୍ୟରେ ଲିପ୍ତ ଥିବା ୟୁଜର୍ସଙ୍କ ତଥ୍ୟ ଷ୍ଟୋର କରାଯିବ। ଏହାକୁ ସେମାନଙ୍କ ମଧ୍ୟରୁ କେହି ପାସପୋର୍ଟ କିମ୍ବା ଅସ୍ତ୍ର ଲାଇସେନ୍ସ ପାଇଁ ଆବେଦନ କଲେ ପୋଲିସ ଭେରିଫିକେଶନରେ ବ୍ୟବହାର କରାଯିବ।

ଉତ୍ତରାଖଣ୍ଡ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କେବଳ ଦେଶ ବିରୋଧିମାନେ ଏହି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହେବେ। ଉତ୍ତରାଖଣ୍ଡରେ ସମାନ ନିଷ୍ପତ୍ତି ସମ୍ପର୍କରେ ଘୋଷଣା ହେବାର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନ ଉପରେ ନଜର ରଖାଯିବ ବୋଲି ବିହାର ଡିଜିପି ଏସ୍‌.କେ. ସିଙ୍ଘାଲ ନିର୍ଦ୍ଦେଶ ଜାରି କରିଥିଲେ।

Share