ବିକ୍ରି ହେଉଛି ଅନୁପଯୋଗୀ ପାନୀୟଜଳ

ପାରାଦୀପ,୧୮।୧୦(ଶରତ ରାଉତ): ପାରାଦୀପ ବନ୍ଦର ସହରରେ ଏବେ ଖୋଲାରେ ୨୦ ଲିଟର ବିଶିଷ୍ଟ ପାନୀୟ ଜଳ ବିକ୍ରି ହେଉଛି। ପାରାଦୀପଗଡ ଠାରୁ ଆରମ୍ଭ କରି ଷଣ୍ଢକୁଦ ପର୍ଯ୍ୟନ୍ତ ୧୫ରୁ ଅଧିକ ବ୍ୟବସାୟୀ ଭୂତଳ ଜଳକୁ ସାମାନ୍ୟ ଶୋଧନ କରିବା ପରେ ତାକୁ ବଜାର ଓ ଘରେ ଯୋଗାଇ ଦେଉଛନ୍ତି। ଉକ୍ତ ପାଣିକୁ ବ୍ୟବସାୟୀମାନେ ଭୂତଳରୁ ଉତ୍ତୋଳନ କରିବା ଓ ବଟଲିଂ କରି ବିକିବା ପର୍ଯ୍ୟନ୍ତ କୌଣସି ସରକାରୀ ସ୍ବୀକୃତି ଅବା ଲାଇସେନ୍ସ ନେଇନାହାନ୍ତି ବୋଲି ପାରାଦୀପର ଖାଦ୍ୟ ନିରୀକ୍ଷକ ପ୍ରୀତିଶ ଦାସ ସୂଚନା ଦେଇଛନ୍ତି। ଏପରିକି ଉକ୍ତ ପାଣି ପିଇବା ପାଇଁ ଅନୁପଯୁକ୍ତ ବୋଲି ସେ କହିଛନ୍ତି। ଖାଦ୍ୟ ନିରୀକ୍ଷକଙ୍କ ପକ୍ଷରୁ କେତେକ ପାଣି ବୋତଲରୁ ନମୁନା ସଂଗ୍ରହ କରାଯାଇଥିଲା। ଏଥିରେ ପିଇବା ପାଣି ପାଇଁ ଯେଉଁ ପାରାମିଟର ରହିବା କଥା ସେଥିରେ ନାହିଁ। ସେଥିପାଇଁ ଉକ୍ତ ପାଣି ବିକ୍ରି ବନ୍ଦ କରିବା ସହ କାରଖାନାକୁ ସିଲ କରିବା ପାଇଁ ସେ ସରକାରୀ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜଗତ୍‌ସିଂହପୁର ଜିଲାପାଳ ପାରୁଲ ପଟୱାରୀଙ୍କୁ ଏନେଇ ରିପୋର୍ଟ ଦିଆଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖାଦ୍ୟ ନିରୀକ୍ଷକ ଦାସ ପ୍ରସ୍ତାବ ଦେଇଛନ୍ତି ବୋଲି କହିଛନ୍ତି। ତାଙ୍କ ମତରେ ୨୦ ଲିଟର ବିଶିଷ୍ଟ ପାଣିରେ ଆଇରନ ଅଧିକ ରହୁଛି। ସେଥିରେ ଇକୋଲାଇ ନାମକ ବ୍ୟାକ୍ଟେରିଆ ରହିଛି। ଟିଡିଏସ (ଟୋଟାଲ ଡିଜଲ୍ଭଡ ସଲିଡସ)ଏବଂ ପିଏଚ ପରିମାଣ ଅଧିକ ରହୁଛି। ବିନା ସିଏମ/ଇଏଲ ଲାଇସେନ୍ସରେ ଏପରି ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ବୋଲି ସେ ଆଶଙ୍କାବ୍ୟକ୍ତ କରିଛନ୍ତି। ସେଥିପାଇଁ ପାରାଦୀପର ଦୁଇଟି ପାଣି ପ୍ଲାଣ୍ଟକୁ ଛାଡ଼ିଦେଲେ ଆଉ ସବୁ ପ୍ଲାଣ୍ଟ ସିଲ୍‌ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଭଳି ପାଣି ବଟଲିଂ କରି ବିକୁଥିବା ଷଣ୍ଢକୁଦ ବସ୍ତିର ଏସ୍‌ଗୋପିଙ୍କୁ ମଙ୍ଗଳବାର ବଡ଼ପଡ଼ିଆଠାରେ ପଚାରିବାରୁ ସେ କହିଥିଲେ ମୋର ଲାଇସେନ୍ସ ଆନ୍ଧ୍ର ଭାଇଜାଗରୁ ଆଣିଛି। ପାଣି ଭୂତଳରୁ ଉତ୍ତୋଳନ ପାଇଁ ପାରାଦୀପ ପୌରପାଳିକା ସ୍ବୀକୃତି ଦେଇଛି।
ଏସମ୍ପର୍କରେ ପୌରପାଳିକା ଜନସ୍ବାସ୍ଥ୍ୟ ଅଧିକାରୀ ମାନସ ମୁର୍ମୁଙ୍କୁ ପଚାରିବାରେ କୁହନ୍ତି ଆମେ ଅନୁମତି ଦେଇନାହୁଁ। ଏମିତି ପାଣିକୁ ପାରାଦୀପର ଅଧିକାଂଶ କମ୍ପାନୀ, ସରକାରୀ କ୍ୟାଣ୍ଟିନ ଆଦି ଜାଗାକୁ ସପ୍ଲାଇ କରାଯାଉଥିବା ଜଣାପଡ଼ିଛି। ଗୋପିଙ୍କ ମତରେ ସେ ଦିନକୁ ୨ ରୁ ୩ ହଜାର୨୦ ଲିଟର ବିଶିଷ୍ଟ ବୋତଲ ପାଣି ବିଭିନ୍ନ ଜାଗାକୁ ଦେଉଛନ୍ତି। ବୋତଲ ପିଛା ୨୫ ଟଙ୍କାରେ ବିକ୍ରି ହେଉଛି। ଏପରି ଅନୁପଯୁକ୍ତ ପିଇବା ପାଣିକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ବ୍ୟବହାର କରାଯାଉଛି। ଏହା ଦ୍ୱାରା ଲୋକେ ଅଜାଣତରେ ଏହି ପାଣି ପିଇ ଦୂରାରୋଗ୍ୟରେ ଆକ୍ରାନ୍ତ ହେବା ଆଶଙ୍କାକୁ ଏଡ଼ାଇଯାଇ ହେବନି।

Share