ପିଲାଦିନେ ବେଳେ ବେଳେ ଭାବେ ଚାକିରୀ କରିବି । ବାପା, ମାଆଙ୍କୁ ଆଣି ପାଖରେ ରଖିବି କିନ୍ତୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ଚିନ୍ତାଧାରା ବି ପରିବର୍ତ୍ତିତ ହେବାକୁ ଲାଗିଲା । ମୁଁ ମୋର ପ୍ରଥମ ରାଜନୈତିକ କର୍ମକ୍ଷେତ୍ରରୁ (ବାଲିଆପାଳରୁ )
ଫେରିବା ପରେ ସାଇବସ୍ତିରେ କିଛି ଛୋଟ ଛୋଟ ପିଲାଙ୍କୁ ପାଠ ପଢ଼ାଉଥିଲି । ଯେହେତୁ ପାଠପଢ଼ାରେ ସେମାନେ ଦୁର୍ବଳ ଥିଲେ ଏବଂ ପାଠପଢ଼ାରେ ଆଦୌ ମାନଯୋଗ ଦେଉନଥିଲେ । ସେହି ପିଲାମାନଙ୍କୁ ପେଶାଦାର କୋଚିଂ ଶ୍ରେଣୀ ପାଇଁ ତାଙ୍କ ବାପାମାଆଙ୍କ ପାଖରେ ସେମିତି ବିଶେଷ ସମ୍ବଳ ବି ନଥିଲା । ମୁଁ ବି.ଇଡି. ପଢ଼ା ସାରିଦେଇଥିଲି ସେତେବେଳେ । ମୋର ସେହି ବିଶେଷ ଡିଗ୍ରୀ ଏବଂ ଆଗ୍ରହ ଯୋଗୁଁ ମୁଁ ସେମାନଙ୍କ ପାଠପଢ଼ାର ଦାୟିତ୍ୱ ନେଲି । ମାସେ ଦେଢ଼ ମାସ ପଢେଇଲା ପରେ ସେମାନେ ଯେତେବେଳେ ମାସିକ ଦରମା ଭାବରେ କିଛି ଟଙ୍କା ଆଣି ମୋତେ ଦେଲେ ସଂକୋଚ ଯୋଗୁଁ ମୁଁ ପ୍ରଥମେ ନେଇ ପାରିଲି ନାହିଁ ।
ପରେ ପରେ ସେମାନଙ୍କ ବାପା ମାଆ ଶ୍ରଦ୍ଧାରେ ବଳେଇ ଦେବାରୁ ମୁଁ ଆଣିଲି । ନିଜ ପାଇଁ କିଛି ଖର୍ଚ୍ଚ କରି ହୁଏ ବୋଲି ଭାବି ହେଲାନି ସେହି ସମୟରେ। ପର୍ସରେ ନିଜ ଅର୍ଜିତ ରୋଜଗାରର ପୁଲକକୁ ବାନ୍ଧି ମୁଁ ବଜାରକୁ ଆସିଲି। ସେଇ ପଇସାରେ ସେହି ପିଲାମାନଙ୍କ ପାଇଁ ଖାତା, ବହି, ସ୍କେଲ, ସ୍ଲେଟ, ପେନସିଲ, ରବର ଇତ୍ୟାଦି କିଣିଲି । ପାଠପଢ଼ା ପାଇଁ ଆବଶ୍ୟକୀୟ ଉପକରଣ ନଥିବା ପିଲାଙ୍କଠାରୁ ପାଠ ପଢା ପାଇଁ ପଇସା ନେବାକୁ ମନ କହୁ ନ ଥିଲେ ହେଁ ସେମାନଙ୍କ ସ୍ବାଭିମାନରେ ବାଧା ଦେବାକୁ ଇଚ୍ଛା ନ ଥିଲା । ତେଣୁ ସେହି ସମୟରେ ସେମାନଙ୍କ ପାଇଁ ପାଠ୍ୟ ଉପକରଣ କିଣିବାକୁ ମନ କହିଲା । ତା ପରଦିନ ମୋ ଉପହାରକୁ କେମିତି ଗ୍ରହଣ କରିବେ ଭାବି ଟିକେ ଚିନ୍ତାରେ ଥିଲି। ସେମାନେ ସେସବୁ ଖୁବ୍ ଖୁସିରେ ଗ୍ରହଣ କରି ମୋତେ ଅଧିକ ଖୁସି ଦେଲେ । ପହିଲି ରୋଜଗାରର ପୁଲକ ମୁଁ ସେମାନଙ୍କ ଖୁସିରେ ପାଇଥିଲି ।
ପରେ ପରେ ମାସକୁ ଥରେ ସେମାନଙ୍କ ଲାଗି ଏକ ପ୍ରତିଯୋଗିତା ଆୟୋଜନ କରେ । ମହାପୁରୁଷମାନଙ୍କ ଜୀବନୀ, ଗୀତ, ନାଚ, ଚିତ୍ର, ନିଜ ଅନୁଭୂତି, କବିତା ଲେଖିବା, ଗପ ଲେଖିବା ଇତ୍ୟାଦି ଉପରେ ସେହି ପ୍ରତିଯୋଗିତା ହୁଏ। ସେମାନଙ୍କ ଟ୍ୟୁସନ୍ ପଇସା ଓ ବାପାମାଙ୍କଠାରୁ ମୋ ପାଇଁ ମୁଁ ଆଣୁଥିବା ପଇସାକୁ ମିଶାଇ ସେମାନଙ୍କ ପାଇଁ ଉପହାର ଆଣେ ଏବଂ ସେମାନଙ୍କୁ ପୁରସ୍କୃତ କରେ। ସେମାନେ ସେମାନଙ୍କ ଅର୍ଜନରେ ସେସବୁ ପାଉଛନ୍ତି ବୋଲି ତାଙ୍କ ଭିତରେ ଆତ୍ମବିଶ୍ୱାସ ତିଆରି କରି ସଫଳ ହୁଏ। ସେମାନଙ୍କ ଖୁସିରେ ମୋତେ ବି ବହୁତ ଖୁସି ଲାଗେ। ହଁ ମନେ ଅଛି , ସେମାନେ ଗୀତ ଶୁଣି ନାଚିବେ ବୋଲି ଗୋଟେ ଟେପରେକର୍ଡର୍ କମ ରେଡ଼ିଓଟେ କିଣିଥିଲି । ବହୁତ ଦିନ ସେହି ସବୁ କାର୍ଯ୍ୟକ୍ରମ ଚାଲିଥିଲା । ପିଲାମାନେ ବିଭିନ୍ନ ଜାଗାରେ ମଧ୍ୟ ଗୀତ ନାଚ କାର୍ଯ୍ୟକ୍ରମ କରି ପ୍ରଶଂସା ଓ ପୁରସ୍କାର ପାଇଥିଲେ । ଏହି ଖୁସି ଠାରୁ ଆଉ ଅଧିକା ଖୁସି ବୋଲି କଣ କିଛି ଅଛି ?