Categories: ଜାତୀୟ

ଲିଙ୍ଗ ଅନୁପାତରେ ପ୍ରଥମ ଥର ପାଇଁ ମହିଳା ଆଗରେ…

ନୂଆଦିଲ୍ଲୀ,୨୫।୧୧: ଭାରତର ଜନସଂଖ୍ୟାରେ ପ୍ରଥମ ଥର ପାଇଁ ଲିଙ୍ଗ ଅନୁପାତରେ ମହିଳା ଆଗରେ ରହିଛନ୍ତି। ଦେଶରେ ୧୦୦୦ ଜଣ ପୁରୁଷ ପ୍ରତି ମହିଳାଙ୍କ ସଂଖ୍ୟା ୧୦୨୦କୁ ବୃଦ୍ଧି ପାଇଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ନୀତି ଆୟୋଗ ସ୍ବାସ୍ଥ୍ୟ ସଦସ୍ୟ ଡାକ୍ତର ବିନୋଦ କୁମାର ପାଲ ଏବଂ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ ୨୦୧୯-୨୧ ପାଇଁ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ତଥ୍ୟପତ୍ର ଏନଏଫଏଚଏସ୍‌-୪୫ ପ୍ରକାଶ କରିଛନ୍ତି। ଏହାପୂର୍ବରୁ, ଏନଏଫଏଚଏସ୍‌-୪ରେ, ୧୦୦୦ ପୁରୁଷ ପ୍ରତି ମହିଳାଙ୍କ ସଂଖ୍ୟା ୯୯୧ ଥିଲା।

ସର୍ଭେର ପ୍ରଥମ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ୨୨ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସମ୍ବନ୍ଧରେ ଏନଏଫଏଚଏସ୍‌-୫ର ଅନୁସନ୍ଧାନ ଡିସେମ୍ବର ୨0୦୨୦ରେ ପ୍ରକାଶ ପାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ସର୍ଭେ କରାଯାଇଥିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ହେଉଛି ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଛତିଶଗଡ, ହରିୟାଣା, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଦିଲ୍ଲୀ, ଓଡିଶା, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ।

ଦେଶର ୭୦୭ ଟି ଜିଲାର ପ୍ରାୟ ୬.୧ ଲକ୍ଷ ନମୁନା ପରିବାରରେ (ମାର୍ଚ୍ଚ ୨୦୧୭ସୁଦ୍ଧା) ଏନଏଫଏଚଏସ୍‌-୫ ସର୍ବେକ୍ଷଣ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ଏଥିରେ ୭୨୪,୧୧୫ ମହିଳା ଏବଂ ୧୦୧,୮୩୯ ପୁରୁଷଙ୍କୁ ସାମିଲ କରାଯାଇଥିଲା।

Share