Categories: ଖେଳ

୧୪୭ ବର୍ଷ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଅଷ୍ଟ୍ରେଲିଆ କଲା ନୂଆ କାରନାମା

ଆଡିଲେଡ,୧୯।୧: ଆଡିଲେଡରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚ ସମୟରେ ଅଷ୍ଟ୍ରେଲିଆ ଦଳ ଏକ ସଫଳତା ହାସଲ କରିଛି। ୧୪୭ ବର୍ଷ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମଥର ଅଷ୍ଟ୍ରେଲିଆ ପ୍ରଥମ ଦଳ ହୋଇପାରିଛି ଯାହାର ପେଇଙ୍ଗ-୧୧ର ଚାରି ବୋଲର ଟେଷ୍ଟ ମ୍ୟାଚରେ ୨୫୦+ ଉଇକେଟ ନେଇଛନ୍ତି। ଆଜି ପର୍ଯ୍ୟନ୍ତ ଟେଷ୍ଟରେ ଏହା କେବେ ହୋଇ ନଥିଲା। ଏହି ଆକଳନ ଆଧାରରେ ଏହା କୁହାଯାଇପାରେ ଯେ ଅଷ୍ଟ୍ରେଲିଆର ବର୍ତ୍ତମାନର ବୋଲିଂ ଆକ୍ରମଣ ଇତିହାସର ସବୁଠାରୁ ଆକ୍ରମଣାତ୍ମକ ବୋଲିଂ ୟୁନିଟ ଅଟେ।
ଆଡିଲେଡ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳ ୱେଷ୍ଟଇଣ୍ଡିଜ ସହିତ ମୁହାଁମୁହିଁ ହୋଇଥିଲେ, ସେମାନଙ୍କ ପେଇଙ୍ଗ-୧୧ରେ ତିନି ଜଣ ବୋଲର ଥିଲେ, ଯେଉଁମାନେ ୨୫୦ ଟେଷ୍ଟ ଉଇକେଟ ମାର୍କ ଅତିକ୍ରମ କରିଥିଲେ। କିନ୍ତୁ ଆଡିଲେଡ ଟେଷ୍ଟ ସମୟରେ ଅନ୍ୟ ଜଣେ ଅଷ୍ଟ୍ରେଲୀୟ ବୋଲର ୨୫୦ ଟେଷ୍ଟ ଉଇକେଟ ଅଙ୍କ ଛୁଇଁଥିଲେ। ଏହି ବୋଲର ଥିଲେ ଜୋଶ ହାଜଲେଉଡ। ହାଜଲେଉଡ ୨୪୯ ଟେଷ୍ଟ ଉଇକେଟ ନେଇ ଏହି ମ୍ୟାଚ୍‌ ଖେଳିଥିଲେ। ଏଠାରେ ଆଲେକ ଆଥାନାଜେଙ୍କ ବୋଲ୍ଡ କରିବା ସହ ସେ ତାଙ୍କ ଆକାଉଣ୍ଟରେ ୨୫୦ ଟେଷ୍ଟ ଉଇକେଟ ସମାପ୍ତ କରି ଅଷ୍ଟ୍ରେଲିଆ ଦଳକୁ ଏକ ଐତିହାସିକ ସଫଳତା ପ୍ରଦାନ କରିଥିଲେ।
ଏହି ମ୍ୟାଚରେ ହାଜଲେଉଡ ଭଲ ଫର୍ମରେ ଥିଲେ। ୱେଷ୍ଟଇଣ୍ଡିଜ୍‌ର ପ୍ରଥମ ଇନିଂସରେ ସେ ୪ ଉଇକେଟ ନେଇ ଦ୍ୱିତୀୟ ଇନିଂସରେ ୫ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଥିଲେ। ତାଙ୍କ ସହ ଅନ୍ୟ ଅଷ୍ଟ୍ରେଲୀୟ ବୋଲରମାନେ ମଧ୍ୟ ଭଲ ବୋଲିଂ କରିଥିଲେ। ୱେଷ୍ଟଇଣ୍ଡିଜକୁ ଏହି ମ୍ୟାଚକୁ ୧୦ ଉଇକେଟରେ ହାରିବାକୁ ପଡିଥିଲା।
ଅଷ୍ଟ୍ରେଲିଆର ବର୍ତ୍ତମାନର ବୋଲିଂ ଆକ୍ରମଣରେ ସ୍ପିନର ନାଥନ ଲିଅନ ସର୍ବାଧିକ ଉଇକେଟ ନେଇଛନ୍ତି। ସେ ଟେଷ୍ଟ କ୍ରିକେଟରେ ୫୧୧ ଉଇକେଟ ନେଇଛନ୍ତି। ଏହା ପରେ ମିଚେଲ ଷ୍ଟାର୍କଙ୍କ ନାମ ଆସେ। ଷ୍ଟାର୍କଙ୍କ ଆକାଉଣ୍ଟରେ ୩୪୮ ଟେଷ୍ଟ ଉଇକେଟ ଅଛି। ନିକଟରେ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରେ ପ୍ୟାଟ କମିନ୍ସ ତାଙ୍କ ଟେଷ୍ଟ ଉଇକେଟ ସଂଖ୍ୟା ୨୫୦+ କୁ ନେଇଥିଲେ। ଏବେ ତାଙ୍କ ଆକାଉଣ୍ଟରେ ୨୬୨ ଉଇକେଟ ଅଛି। ଚତୁର୍ଥ ବୋଲର ହେଉଛନ୍ତି ଜୋଶ ହାଜଲେଉଡ, ଯିଏ ବର୍ତ୍ତମାନ ୨୫୮ ଟେଷ୍ଟ ଉଇକେଟରେ ଅଛନ୍ତି।

Share