Categories: ଜାତୀୟ

ପ୍ରଥମ ଥର ପାଇଁ ମହିଳାଙ୍କୁ ଦିଆଯିବ ଫାଶୀ

ଲକ୍ଷ୍ନୌ,୧୭।୨: ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଫାଶୀ ଦିଆଯିବ। ଏନେଇ ଉତ୍ତରପ୍ରଦେଶର ମଥୁରା ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଛି। ୭ ଜଣ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଶବନମ୍‌ଙ୍କୁ ଫାଶୀ ହେବ। ନିର୍ଭୟା କାଣ୍ଡର ଦୋଷୀଙ୍କୁ ଫାଶୀ ଦେଇଥିବା ଘାତକ ପଓ୍ବନଙ୍କୁ ମିରଟରୁ ଡକାଯାଇଛି। ଇତିମଧ୍ୟରେ ପଓ୍ବନ ଦୁଇଥର ଫାଶୀ ମଞ୍ଚ ତଦାରଖ କରି ସାରିଛନ୍ତି। ୨୦୦୮ ଏପ୍ରିଲ୍‌ରେ ଶବନମ୍‌ ତାଙ୍କ ପ୍ରେମିକଙ୍କ ସହିତ ମିଶି ଆମରୋହାଠାରେ ନିଜ ଘରର ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ନର୍ମମ ଭାବେ ହତ୍ୟା କରିଥିଲେ। ଏହି ମାମଲାରେ ନିମ୍ନ ଆଦାଲତଠାରୁ ଆରମ୍ଭ କରି ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଫାଶୀ ଦଣ୍ଡାଦେଶକୁ କାଏମ୍‌ ରଖା ଯାଇଥିଲା। ଏହାପରେ ଶବନମ୍‌ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖରେ ରାଜକ୍ଷମା ପାଇଁ ଆବେଦନ କରିଥିଲେ। ତେବେ ତାହା ମଧ୍ୟ ଖାରଜ ହୋଇଯାଇଛି। ତେଣୁ ମଥୁରା ଜେଲ କର୍ତ୍ତୃପକ୍ଷ ଫାଶୀ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନେଇ ବିାହାରର ବକ୍ସରରୁ ଦଉଡ଼ି ମଗା ଯାଇଛି। ମଥୁରା ଜେଲରେ ୧୫୦ ବର୍ଷ ତଳେ ଫାଶୀ ମଞ୍ଚ ନିର୍ମାଣ କରାଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଏଠାରେ କାହାକୁ ଫାଶୀ ଦିଆ ଯାଇ ନାହିଁ। ଶବନମ୍‌ଙ୍କୁ ଏଠାରେ ପ୍ରଥମେ ଫାଶୀ ଦିଆଯିବ। ଏପରି ହେଲେ, ଏହି ଘଟଣା ଭାରତର ସ୍ବାଧୀନତା ପରବର୍ତ୍ତୀ ଇତିହାସ ସହିତ ମଥୁରା ଜେଲ ଇତିହାସର ପ୍ରଥମ ଫାଶୀଦଣ୍ଡ ହେବ ବୋଲି କୁହାଯାଉଛି। ଫାଶୀ ଦଣ୍ଡ ପାଇଁ ବର୍ତ୍ତମାନ ସୁଦ୍ଧା ଜେଲ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇ ନାହିଁ। ମୃତ୍ୟୁ ପରଓ୍ବାନା ଜାରି ହେବା ପରେ ଦିନ ଧାର୍ଯ୍ୟ ହେବା ସହିତ ଅନ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜେଲ୍‌ ସୁପରିଟେଣ୍ଡେଣ୍ଟ୍‌ ଶୈଳେନ୍ଦ୍ର କୁମାର ମୈତ୍ରେୟ ସୂଚନା ଦେଇଛନ୍ତି।

Share