ଦେଶରେ ୧୫ଦିନ ମଧ୍ୟରେ ୪ର୍ଥଥର ୪୦ହଜାରୁ କମ୍‌ କରୋନା ଆକ୍ରାନ୍ତ ଚିହ୍ନଟ: ୯୪ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୩୦।୧୧: ଭାରତରେ କରୋନା ପ୍ରକୋପ ଜାରି ରହିଛି। ଗତ କିଛି ଦିନ ହେବ କେତେକ ରାଜ୍ୟରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା ପାଇଁ କେତେକ ରାଜ୍ୟସରକାର ପୁଣି ଥରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି। ଦେଶରେ ଲଗାତର ୨୩ଦିନ ମଧ୍ୟରେ ୫୦ ହଜାରରୁ କମ୍‌ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୧୫ ଦିନ ମଧ୍ୟରେ ୪ର୍ଥଥର ୪୦ହଜାରରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଗତ ୨୪ଘଣ୍ଟାରେ ଦେଶରେ ୩୮,୭୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪୩ଜଣ କରୋନାଜନିତ ପ୍ରାଣ ହରାଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ଲକ୍ଷ ୩୧ହଜାରରେ ପହଞ୍ଚିଛି। ସେଥିମଧ୍ୟରୁ ୮୮ଲକ୍ଷ ୪୭ହଜାର ସୁସ୍ଥ ହୋଇଥିବା ବେଳେ ୪ଲକ୍ଷ ୪୬ହଜାର ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଏପର୍ଯ୍ୟନ୍ତ ୧ଲକ୍ଷ ୩୭ହଜାର ୧୩୯ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିସାରିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସବୁଠାରୁ ଭଲ କଥା ହେଉଛି ବିଗତ ଦିନରେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୫,୩୩୩ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ତେବେ କରୋନା ବୃଦ୍ଧି ମାମଲାରେ ଆମେରିକା ପରେ ଭାରତ ରହିଛି। କିନ୍ତୁ ମୃତ୍ୟୁ ସଂଖ୍ୟାରେ ଭାରତ ୫ମ ସ୍ଥାନରେ ରହିଛି।

Share