Categories: ଜାତୀୟ

‘ଗାନ୍ଧୀ ପରିବାର ପାଇଁ ଗୋଆ କେବଳ ଭ୍ୟାକେଶନ ସ୍ପଟ୍‌’

ପୋଣ୍ଡା(ଗୋଆ),୩୦।୧: “ଭାଜପା ଗୋଆକୁ ବିକାଶ ଆଣିଛି। ଗାନ୍ଧୀ ପରିବାର ପାଇଁ ଗୋଆ କେବଳ ଏକ ଭ୍ୟାକେଶନ ସ୍ପଟ (ଛୁଟି କାଟିବା ସ୍ଥାନ)। ଭାଜପା ଲାଗି ଗୋଆର ଅର୍ଥ ହେଉଛି ଗୋଲ୍ଡେନ ଗୋଆ”। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉତ୍ତର ଗୋଆର ପୋଣ୍ଡା ସହରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରବିବାର ଯୋଗଦେଇ ଏଭଳି ଶବ୍ଦରେ କଂଗ୍ରେସକୁ ସମାଲୋଚନା କରିଛନ୍ତି।

ଭାଜପା ସରକାର ଆସିବା ପରେ ରାଜ୍ୟର ବଜେଟ ୪୩୨ କୋଟି (୨୦୧୩-୧୪)ରୁ ୨,୫୬୭ କୋଟିରେ ପହଞ୍ଚିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କମାତ ରାଜ୍ୟରେ ଭିତ୍ତିଭୂମି ବିକାଶ ପାଇଁ କିଛି କରି ନ ଥିଲେ। ମାତ୍ର ଭାଜପା ତା’ର ପ୍ରତିଶ୍ରୁତି ପୂରଣ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ‘ଗୋଲ୍ଡେନ ଗୋଆ’ ସ୍ବପ୍ନକୁ ସାକାର କରିବା ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ସାଓ୍ବନ୍ତ କଠିନ ପରିଶ୍ରମ କରୁଛନ୍ତି ବୋଲି ବରିଷ୍ଠ ଭାଜପା ନେତା କହିଛନ୍ତି।

ଗୋଆରେ କୋଭିଡ୍‌-୧୯ ଟିକାକରଣ ପ୍ରକ୍ରିୟାର ଉଦ୍‌ହାରଣ ଦେଇ ଶାହା କହିଛନ୍ତି, ଗୋଆର ଟିକାକରଣ ଗତି ଦେଶରେ ସବୁଠୁ ଦ୍ରୁତତମ ଥିଲା। ପ୍ରମୋଦ ସାଓ୍ବନ ଜୀଙ୍କ ସରକାର ପ୍ରଥମେ ଶତ ପ୍ରତିଶତ ଟିକାକରଣ ସଫଳତା ହାସଲ କରିଥିଲା। ପିଲାମାନଙ୍କୁ ମଧ୍ୟ ଦ୍ରୁତଗତିରେ ଟିକା ଦିଆଯାଉଛି।

Share