ଏହି କାରଣ ପାଇଁ ଫିଲ୍ମଠାରୁ ଦୂରେଇ ଯାଇଛନ୍ତି ବିପାଶା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ବର୍ତ୍ତମାନ ଲାଇମ୍‌ଲାଇଟ୍‌ରୁ ଦୂରେଇ ଯାଇଛନ୍ତି। ଶେଷଥର ପାଇଁ ସେ ୨୦୧୫ରେ ଫିଲ୍ମ ‘ରାଜ୍‌’ରେ ଅଭିନୟ କରିଥିଲେ। ସେ ଦୁଇ ବର୍ଷ ତଳେ ଓ୍ବେବ୍‌ ସିରିଜ ଜରିଆରେ ଡିଜିଟାଲ ଡେବ୍ୟୁ କରିଥିଲେ। ୭ ବର୍ଷ ଧରି ଫିଲ୍ମଠାରୁ ଦୂରରେ ରହିବାର କାରଣ କହିଛନ୍ତି ବିପାଶା। ଏଥିସହିତ ସେ ତାଙ୍କ ବଲିଉଡ୍‌ ଲେଉଟାଣି ବିଷୟରେ ବି କହିଛନ୍ତି।

ଏକ ସାକ୍ଷାତକାରରେ ବିପାଶା ଫିଲ୍ମଠାରୁ ଦୂରରେ ରହିବାର କାରଣ କହିଛନ୍ତି। ସେ କହିଛନ୍ତି, ମୁଁ ଅଳସୁଆ ଯୋଗୁ ଫିଲ୍ମରେ କାମ କରୁନାହିଁ। କିଛି ବର୍ଷ ମଧ୍ୟରେ କାମ ପାଇଁ ଆହୁରି ଅଳସୁଆ ହୋଇଗଲି, କିନ୍ତୁ ଚଳିତବର୍ଷ ମୁଁ ଫେରି ଆସି କିଛି ମଜା କରିବାକୁ ଯୋଜନା କରିଛି। ଖୁବ୍‌ଶୀଘ୍ର ଏହା ଘୋଷଣା କରିବି।

ବିଶେଷକରି କରୋନା ମହାମାରୀ ସମୟରେ ମୁଁ ଜାଣି ନ ଥିଲି ଦୁନିଆର ଗତି କେଉଁଆଡ଼େ ଯାଉଛି। ଏହି ଭୂତାଣୁ ସମସ୍ତଙ୍କୁ ଘରେ ରହିବାକୁ ବାଧ୍ୟ କଲା। ଏହି ସମୟରେ ସ୍ବାମୀ ତଥା ଅଭିନେତା କରଣ ସିଂ ଗ୍ରୋଭରଙ୍କ ସହ ପ୍ରତି ମିନିଟ୍‌କୁ ଉପଭୋଗ କଲି। ଏବେ ସମୟ ଟିକେ ବଦଳିଛି। ମୁଁ କାମ କରିବାକୁ ମନ ବଳାଇଛି।

ବିପାଶା ୧୯୯୬ରେ ମଡେଲିଂ ସହିତ ତାଙ୍କ କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ୨୦୦୧ରେ ଫିଲ୍ମ ‘ଆଜନବୀ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ମହିଳା ଫିଲ୍ମଫେୟାର ପୁରସ୍କାର ଗ୍ରହଣ କରିଥିଲେ। ପରେ ସେ ବଲିଉ୍‌ଡର ବ୍ଲକବଷ୍ଟର ଫିଲ୍ମ ‘ରାଜ୍‌’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ହିନ୍ଦୀ ବ୍ୟତୀତ ବିପାଶା ତେଲୁଗୁ, ତାମିଲ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ତାଙ୍କୁ ଶେଷ ଥର ପାଇଁ ଭୟଙ୍କର ଡ୍ରାମା ଫିଲ୍ମରେ ଦେଖିବାକୁ ମିଳିଥିଲା। ଏଥିରେ ସେ ତାଙ୍କ ସ୍ବାମୀ କରଣ ସିଂ ଗ୍ରୋଭରଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଫିଲ୍ମଟି ୨୦୧୫ରେ ଆସିଥିଲା।

Share