Categories: ଜାତୀୟ

ଏହି ଆତଙ୍କବାଦୀଙ୍କ ପାଇଁ ପ୍ରେମିକା ବିଛାଇଥିଲେ ଜାଲ

ଶ୍ରୀନଗର,୮।୭: ଆତଙ୍କବାଦୀ ସଂଗଠନଗୁଡ଼ିକ ପକ୍ଷରୁ ବୁଧବାର ହିଜବୁଲ୍‌ ମୁଜାହିଦ୍ଦିନ୍‌‌ ସଦସ୍ୟ ବୁରହାନ୍‌ ଓ୍ବାନୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ପାଇଁ ଯୋଜନା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କଶ୍ମୀର ଜୋନ୍‌ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଆବଶ୍ୟକସ୍ଥଳେ ସନ୍ଦିଗ୍ଧ ଯାନବାହନ ତଥା ବ୍ୟକ୍ତି ବିଶେଷଙ୍କ ତଲାସୀ କରାଯାଉଛି। ପୁଲଓ୍ବାମାରେ ପୁଣି ଥରେ ବିସ୍ଫୋରଣ ପାଇଁ ଆତଙ୍କବାଦୀ ଯୋଜନା କରୁଥିବା ନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ କିଛି ଦିନ ତଳେ ସତର୍କ ସୂଚନା ଜାରି କରାଯାଇଥିଲା। ଆଇଇଡି ବିସ୍ଫୋରଣ ତଥା ସ୍ନାଇପରଙ୍କ ସହାୟତାରେ ଆକ୍ରମଣ କରାଯିବା ଲାଗି ଯୋଜନା କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଏଥିପାଇଁ ପାକିସ୍ତାନରୁ ଲୁଚିଛପି ଭାରତ ଆସିଥିବା ଆତଙ୍କବାଦୀ ଦଳ ଏଭଳି ଯୋଜନା କରିଥିବା ରିପୋର୍ଟରେ ସୂଚିତ ହୋଇଥିଲା। ସେମାନେ ନିଜ ନାମ ପରିବର୍ତ୍ତନ କରି କଶ୍ମୀରରେ ଲୁଚି ରହୁଥିବା ଗୋଇନ୍ଦା ବିଭାଗ କହିଛି। ଦଳରେ ସ୍ନାଇପର ଏକ୍ସପର୍ଟ ରହିଥିବା କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀଙ୍କୁ ସର୍ତକ ରଖାଯାଇଛି। ସୂଚନାଯୋଗ୍ୟ, ୪ ବର୍ଷ ତଳେ ୨୦୧୬ରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଆତଙ୍କବାଦୀ ବୁରହାନ୍‌ ଓ୍ବାନୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପାଇଁ ପ୍ରେମିକା ପୋଲିସ ସହାୟତାରେ ଜାଲ ବିଛାଇଥିଲେ। କିଶୋର ବୟସରେ ବୁରହାନ୍‌ ଓ୍ବାନୀଙ୍କ ସହିତ ପ୍ରେମିକାଙ୍କର ନିବିଡ଼ ସମ୍ପର୍କ ଥିଲା। ତେବେ ଆତଙ୍କବାଦୀ ସଂଗଠନରେ ଯୋଗଦେବା ପରେ ବୁରହାନ୍‌ ବହୁ ଯୁବତୀଙ୍କ ସମ୍ପର୍କରେ ଆସିଥିଲେ। ପ୍ରେମ ପ୍ରତାରଣାରୁ ପ୍ରେମିକାଙ୍କ ମନରେ କୁହୁଳି ଥିଲା ପ୍ରତିଶୋଧ ଭାବନା। ହ୍ବାଟସ୍‌ଆପ୍‌ରେ ବୁରହାନ୍‌ ଅନ୍ୟ କେଉଁ ଯୁବତୀଙ୍କ ସହିତ ଚାଟ୍‌ କରୁଥିବା ପ୍ରେମିକା ଜାଣିପାରିଥିଲେ। ସେ ପୋଲିସକୁ ବୁରହାନ୍‌ଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ପୋଲିସ ପକ୍ଷରୁ ହୋଇଥିବା ମିଳିତ ଅପରେଶନ୍‌ରେ ବୁରହାନ୍‌ଙ୍କୁ ଏନ୍‌କାଉଣ୍ଟର କରାଯାଇଥିଲା।

Share