ସ୍ମାର୍ଟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ

ଡାବୁଗାଁ,୧୯।୫(ଡି.ଏନ୍‌.ଏ.): ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ନୁଆ ବସ୍‌ଷ୍ଟାଣ୍ଡ ଠାରେ ସ୍ମାର୍ଟ ବସଷ୍ଟାଣ୍ଡନିର୍ମାଣ ହେବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ସରିଛି। ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ଉପସ୍ଥିତିରେ ନିର୍ମାଣ ହେବାକୁ ଥିବା ସ୍ମାର୍ଟ ବସଷ୍ଟାଣ୍ଡ ପରିସରରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଡାବୁଗାଁ ତହସିଲଦାରଙ୍କ କାର୍ଯ୍ୟାଳୟ ଚିଠି ନଂ – ୭୨୨ ଓ ୯୧୮ ଅନୁଯାୟୀ ଦୁଇଟି ପର୍ଯ୍ୟାୟରେ ଜବରଦଖଲକାରୀଙ୍କୁ ଜବରଦଖଲ ସ୍ଥାନ ଖାଲି କରିବା ପାଇଁ ପୂର୍ବରୁ ୨ ଥର ନୋଟିସ ଜାରି କରାଯାଇଛି। ୨୩ ଜଣ ସରକାରୀ ଜମି ଜବରଦଖଲକାରୀଙ୍କୁ ମେ ୧୭ ତାରିଖ ସୁଦ୍ଧା ଜାଗା ଖାଲି କରିବାକୁ ନୋଟିସ ଦିଆଯାଇଥିଲା। ଉକ୍ତ ବସଷ୍ଠାଣ୍ଡ ଖାତା ନମ୍ବର ୪୬୪, ପ୍ଲଟ ନମ୍ବର ୧୧୩୫ ରୁ ୧ ଏକର ୧୨ ଡିସିମିଲି ଜାଗାରେ ୨୩ ଜଣଙ୍କୁ ଜାଗା ଖାଲି କରିବା ପାଇଁ ନୋଟିସ ଜାରି କରାଯାଇଥିଲା। କେତେକ ଲୋକ ନିଜ ପକ୍ଷରୁ ଭାଙ୍ଗି ଦେଇଥିଲେ। ଯେଉଁମାନେ ଖାଲି କରି ନ ଥିଲେ ସେହି ଜାଗାରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଡାବୁଗାଁ ତହସିଲଦାର ସା ସମରଥ, ଅତିରିକ୍ତ ତହସିଲଦାର ସତିଶ କୁମାର ବୋଇନି, ବିଡିଓ ଶରତ ମାଝି, ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା, ଡାବୁଗାଁ ଆର୍‌ଆଇ ସବ୍ରତ ମିସ୍ତ୍ରୀ, ଘୋଡାଖୁଣ୍ଟା ଆର୍‌ଆଇ ଗଙ୍ଗାଧର ମହଙ୍କୁଡ ପ୍ରମୁଖ ଉପସ୍ଥିତ ଥିଲେ।