ରେମୁଣା ମାର୍କେଟ୍‌ରୁ ଜବରଦଖଲ ଉଚ୍ଛେଦ

ରେମୁଣା, ୭।୮(ଡି.ଏନ.ଏ.)-ଦୀର୍ଘଦିନ ପରେ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ରେମୁଣା ମାର୍କେଟରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ପ୍ରଶାସନର ଏଭଳି ପଦକ୍ଷେପକୁ ରେମୁଣା ଅଞ୍ଚଳବାସୀ ସ୍ବାଗତ କରିଛନ୍ତି।
ରେମୁଣା ହସ୍‌ପିଟାଲଠାରୁ ମାର୍କେଟ୍‌ ଶେଷମୁଣ୍ଡ ପର୍ଯ୍ୟନ୍ତ ପାଖାପାଖି ୯୦୦ ମିଟର ରାସ୍ତା ସବୁବେଳେ ଗହଳି ରହୁଥିଲା। ଏହି କାରଣରୁ ଲୋକମାନଙ୍କ ଯିବା ଆସିବାରେ ସମସ୍ୟା ଦେଖାଦେଉଥିଲା। ରାସ୍ତା ସମ୍ପ୍ରସାରଣ ଲାଗି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଉପଜିଲାପାଳ, ରେମୁଣା ତହସିଲଦାର, ରେମୁଣା ଥାନାଧିକାରୀ ଓ ନୀଳଗିରି ଏସ୍‌ଡ଼ିପିଓ ସ୍ଥାନୀୟ ବ୍ୟବସାୟୀଙ୍କ ସହିତ ଆଲୋଚନା କରିଥିଲେ। ବଜାରକୁ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ପୂର୍ବରୁ ମାଇକ୍‌ ଯୋଗେ ପ୍ରଚାର କରାଯିବା ସହ ନୋଟିସ୍‌ ଜାରି କରାଯାଇଥିଲା। ସେହି ଅନୁଯାୟୀ ଗୁରୁବାର ଉଚ୍ଛେଦ କରାଯାଇଛି। ୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଏପରିକି ବ୍ୟବସାୟୀମାନେ ନିଜ ନିଜ ଇଚ୍ଛାରେ ଦୋକାନରୁ ଜିନିଷପତ୍ର ବାହାର କରିନେଇଥିଲେ।