
ବରଗଡ଼,୧୩।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପ୍ରଶାସନ ପକ୍ଷରୁ ଗୁରୁବାର ସ୍ଥାନୀୟ ଭିଏସଏସ ନଗରରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ରାସ୍ତାପାର୍ଶ୍ୱ ସରକାରୀ ଜମିରେ ରହିଥିବା ଦୋକାନ, ଠେଲା ଆଦି ଗୁଡ଼ିକୁ ହଟାଇ ଦିଆଯାଇଛି। ସେହିପରି ସରକାରୀ ଜମିକୁ ମାଡ଼ି ଆସି ଆସିଥିବା କୋଠାଘରର ପାହାଚ ଆଦି ଅଂଶକୁ ମଧ୍ୟ ବୋଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଛି। ଉଚ୍ଛେଦ ପ୍ରକ୍ରିୟା ଚାଲିଥିବାବେଳେ ସ୍ଥାନୀୟ ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ। ସେହିପରି ସ୍ଥାନୀୟ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁଙ୍କ ସମେତ ରାଜସ୍ବ ନିରୀକ୍ଷକ ଏବଂ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ସମ୍ପୃକ୍ତ ସ୍ଥାନର ଜବରଦଖଲ ଅଂଶ ଖାଲି କରିବା ପାଇଁ ୨ ଦିନ ପୂର୍ବରୁ ପୌର ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା। ଅନ୍ୟପଟେ ଏପର୍ଯ୍ୟନ୍ତ ବହୁଚର୍ଚ୍ଚିତ ବରଗଡ଼ ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ପଯର୍ୟନ୍ତ ରାସ୍ତା ଜବରଦଖଲ କେବେ ଉଚ୍ଛେଦ କରାଯିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତେବେ ତାର ଶୁଣାଣି ପ୍ରକ୍ରିୟା ଚାଲିଛି ଏବଂ ଶୁଣାଣି ପରେ ବିହିତ ପଦକ୍ଷେପ ନିଆଯିବ ବୋଲି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସାହୁ କହିଛନ୍ତି।