ଭଦ୍ରକ ସହରରୁ ଜବରଦଖଲ ଉଚ୍ଛେଦ

ଭଦ୍ରକ ଅଫିସ, ୨୨।୫: ବହୁ ବାଦବିବାଦ ପରେ ଭଦ୍ରକ ସହରର ମୋଚି ଛକଠାରୁ ଭଦ୍ରକାଳୀ ଭାୟା ପୁରୁଣାବଜ଼ାର ରାସ୍ତା ନିର୍ମାଣ ପାଇଁ ରବିବାର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ମୋଚି ଛକଠାରୁ ଉଚ୍ଛେଦ ଆରମ୍ଭ ହୋଇଥିବା ବେଳେ ଶତାଧିକ ଦୋକାନ ଜେସିବି ଦ୍ୱାରା ଭାଙ୍ଗି ଦିଆଯାଇଛି। ଉଚ୍ଛେଦ ବେଳେ କାଁଭାଁ ଅସନ୍ତୋଷ ପ୍ରକାଶ ପାଇଥିଲେ ମଧ୍ୟ ବ୍ୟବସାୟୀ ଓ ଜନସାଧାରଣ ଉଚ୍ଛେଦରେ ସହଯୋଗ କରିଛନ୍ତି। ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ, ପୌର ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ ଉପସ୍ଥିତ ଥିବାବେଳେ ଶାନ୍ତିଶୃଙ୍ଖଳା ପାଇଁ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ, ଟାଉନ ଥାନାଧିକାରୀ ଉମାଶଙ୍କର ନାୟକଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
ପ୍ରକାଶଥାଉ କି, ଏହି ୧୦ କି.ମି. ରାସ୍ତା ଦୀର୍ଘଦିନ ଧରି ମରାମତି ଅଭାବରୁ ଶୋଚନୀୟ ହେବା ସହ ଉଭୟପାର୍ଶ୍ୱ ଜବରଦଖଲ ଯୋଗୁ ସଂକୀର୍ଣ୍ଣ ଥିଲା। ଫଳରେ ଯାତାୟାତରେ ଅସୁବିଧା ସହ ବହୁ ସମୟରେ ଦୁର୍ଘଟଣା ଘଟୁଥିଲା। ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ପକ୍ଷରୁ ବାରମ୍ବାର ଦାବି, ରାସ୍ତାରୋକୋ, ଧାରଣା ଦିଆଯିବା ପରେ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। କିନ୍ତୁ ଜବରଦଖଲ ଯୋଗୁ ୩୦ ଫୁଟ୍‌ ଓସାର ରାସ୍ତା ନିର୍ମାଣ କାର୍ଯ୍ୟ ହୋଇପାରୁ ନ ଥିଲା। ଜବରଦଖଲ ଉଚ୍ଛେଦ ପାଇଁ ବହୁବାର ପଦକ୍ଷେପ ନେଇଥିଲେ ମଧ୍ୟ ପ୍ରଶାସନ ବିଫଳ ହୋଇଥିଲା। ସର୍ବଦଳୀୟ ବୈଠକ ପରେ ଜବରଦଖଲ ଉଚ୍ଛେଦ ପାଇଁ ସହମତି ପ୍ରକାଶ ପାଇଥିଲା। ହନଫ ମାର୍କେଟ ଏବଂ ଅନ୍ୟ କେତେକ ସ୍ଥାନରେ ଦୋକାନୀମାନେ ନିଜ ଆଡ଼ୁ ଦଖଲରୁ ହଟି ଯାଇଥିଲେ।