
ତିହିଡ଼ି,୨୨ା୩(ସଞ୍ଜିତ ବଳ): ତିହିଡ଼ି ବଜାରକୁ ପ୍ରଶାସନ ପକ୍ଷରୁ ଅବରୋଧ ମୁକ୍ତ କରାଯାଇଛି। ତିହିଡ଼ି ଥାନାଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ ସରକାରୀ ଜାଗା ଉପରେ ଥିବା ୧୨୩ଟି ଦୋକାନକୁ ଉଚ୍ଛେଦ କରାଯାଇଛି। ଶନିବାର ସକାଳ ୯ଟାରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ପ୍ରଶାସନ ପକ୍ଷରୁ ଶୁକ୍ରବାର ମାଇକ ସହାୟତାରେ ଜାଗା ଖାଲି କରିବାକୁ ସତର୍କ ସୂଚନା ଜାରି କରାଯାଇଥିଲା। ଏହାଛଡ଼ା ବଜାରର ବିଭିନ୍ନ ସ୍ଥାନରେ ମଧ୍ୟ ନୋଟିସ୍ ଲଗାଯାଇଥିଲା। ନୋଟିସ୍ରେ ୧୨୩ଜଣ ଦୋକାନୀଙ୍କ ନାଁ ଉଲ୍ଲେଖ ଥିବାବେଳେ ୩ଦିନ ମଧ୍ୟରେ ଜାଗା ଛାଡ଼ିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାକୁ ଅବମାନନା କଲେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ପ୍ରଶାସନ ପକ୍ଷରୁ ଥାନାଠାରୁ ଜେସିବି ସହାୟତାରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।
ସୂଚନାଯୋଗ୍ୟ, ତିହିଡ଼ି ବଜାରର ଉଭୟ ପାର୍ଶ୍ୱରେ ଥିବା ସରକାରୀ ଜାଗା ଜବରଦଖଲ କରି କେତେକ ଦୋକାନୀ ବହୁ ବର୍ଷ ହେଲା ବିଭିନ୍ନ ପ୍ରକାର ବ୍ୟବସାୟ ଚଳାଇଥିଲେ। ସେନେଇ ବିଭିନ୍ନ ପ୍ରକାର ସମସ୍ୟା ଉପୁଜିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ଉଚ୍ଛେଦ ସମୟରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ଅତିରିକ୍ତ ତହସିଲଦାର ନମିତା ଧଳ, ତିହିଡ଼ି ଥାନା ଭାରପ୍ରାପ୍ତ ଅଧିକାରୀ ଅରୁନ୍ଧତୀ ବେହେରା, ଏସ୍ଆଇ ପ୍ରବୀଣ ଗିରି, ପ୍ରକାଶ ନାୟକ, ଏଏସ୍ଆଇ କମଳାକାନ୍ତ ଶତପଥୀଙ୍କ ସମେତ ତହସିଲ କର୍ମଚାରୀମାନେ ଉପସ୍ଥିତ ଥିବା ବେଳେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।