ନୂଆଦିଲ୍ଲୀ,୨୨।୮: ଜଣେ ବଳାତ୍କାର ପୀଡିତାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇ ସୋମବାର ସୁପ୍ରିମକୋର୍ଟ କହିଛନ୍ତି, ଏଭଳି ମାମଲାରେ ଜଣେ ମହିଳାଙ୍କୁ ସନ୍ତାନ ପ୍ରସବ କରିବାକୁ ଚାପ ପକାଇବା ସାମ୍ବିଧାନିକ ଦର୍ଶନ ବିରୋଧ ଅଟେ। କୋର୍ଟ କହିଛନ୍ତି, ଏଭଳି ପରିସ୍ଥିତିରେ ଗର୍ଭଧାରଣ ବିପଜ୍ଜନକ ହେବ ଏବଂ ଏହା ପୀଡିତାଙ୍କ ମାନସିକ ଏବଂ ଶାରୀରିକ ଅବସ୍ଥା ଉପରେ ମଧ୍ୟ ପ୍ରଭାବ ପକାଇବ। ଗୁଜରାଟ ହାଇକୋର୍ଟଙ୍କ ନିଷ୍ପତ୍ତ ଉପରେ ରୋକ ଲଗାଇ ମହିଳାଙ୍କୁ ଗର୍ଭପାତର ଅନୁମତି ଦେଇଛନ୍ତି।
ଏହି ଆଦିବାସୀ ମହିଳା ଗୁଜରାଟର ଗ୍ରାମାଞ୍ଚଳର ଏବଂ ୨୭ ସପ୍ତାହ ୩ଦିନ ଗର୍ଭବତୀ। ଅଗ୍ରୀମ ଗର୍ଭଧାରଣ ଆଧାରରେ ଗୁଜରାଟ ହାଇକୋର୍ଟ ଗର୍ଭପାତ ପାଇଁ ମନା କରିଦେଇଥିଲେ। ନୂତନ ଚିକିତ୍ସା ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି। ନିରାପଦ ଗର୍ଭପାତ ସମ୍ଭବ ବୋଲି ରିପୋର୍ଟରେ କୁହାଯାଇଛି।
ଅଦାଲତ କହିଛନ୍ତି, ସନ୍ତାନ ଜନ୍ମ ପାଇଁ ଚାପ ପକାଇବା ପୀଡ଼ିତାଙ୍କ ପାଇଁ ଆଘାତ ହେବ। ଜଷ୍ଟିସ ଉଜୱଲ ଭୁଇଁୟା ଏବଂ ଜଷ୍ଟିସ ବି.ଭି ନାଗରତ୍ନା ବେଞ୍ଚ ଶୁଣାଣି ସମୟରେ କହିଛନ୍ତି ଯେ, ବଳାତ୍କାର ପୀଡିତାଙ୍କୁ ଗର୍ଭଧାରଣ ଜାରି ରଖିବାକୁ ବାଧ୍ୟ କରିବା ସାମ୍ବିଧାନିକ ଦର୍ଶନ ବିରୋଧ ଅଟେ।