ଜବରଦଖଲ ଉଚ୍ଛେଦ

କୋରେଇ,୧୪ା୪(ଡି.ଏନ.ଏ.): କୋରେଇ ବ୍ଲକ ଅଧୀନ ଅନ୍ଧାରି ପଞ୍ଚାୟତ କୋରେଇଗଡ଼ିଆ ଗ୍ରାମରେ ଜବରଦଖଲ ହୋଇଥିବା ଦେବସ୍ଥଳୀ କିସମ ଜମିରୁ ଗୁରୁବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଗ୍ରାମର ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ ଉକ୍ତ ଜମିକୁ ଜବରଦଖଲ କରିଥିଲେ। ପୂର୍ବରୁ ଏହି ଜମିରେ ଗ୍ରାମବାସୀ ନାମ ସଙ୍କୀର୍ତ୍ତନ କରନ୍ତି। ମାତ୍ର ସମ୍ପୃକ୍ତ ବ୍ୟକ୍ତି ତାହାକୁ ଜବରଦଖଲ କରି ରଖିବା ଫଳରେ ଠାକୁରଙ୍କ କାମରେ ବାଧାପ୍ରାପ୍ତ ଦର୍ଶାଇ ଗ୍ରାମର ରାମଚନ୍ଦ୍ର ରାଉତ, ବସନ୍ତ କୁମାର ରାଉତ, ଅଜୟ ସ୍ବାଇଁ, ଦେବେନ୍ଦ୍ର ପ୍ରମୁଖ ୫୦ରୁ ଊଦ୍ଧର୍‌ବ ବ୍ୟକ୍ତି ବ୍ୟାସନଗର ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ସହିତ ଅତିରିକ୍ତ ଜିଲାପାଳ ଏବଂ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ତହସିଲ ପକ୍ଷରୁ ୪୧/୨୨ରେ ମାମଲା ରୁଜୁ କରାଯାଇ ଜବରଦଖଲକାରୀଙ୍କୁ ଏକାଧିକଥର ଉଚ୍ଛେଦ କରିବାକୁ ନୋଟିସ କରାଯାଇଥିଲା। ହେଲେ ସମ୍ପୃକ୍ତ ବ୍ୟକ୍ତି ଏହାକୁ ଅମାନ୍ୟ କରିବାରୁ ତହସିଲ ପକ୍ଷରୁ ଜେସିବି ଲଗାଇ ଏହାକୁ ଉଚ୍ଛେଦ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି କୋରେଇ ପୋଲିସ ପକ୍ଷରୁ ୧ ପ୍ଲାଟୁନ ଫୋର୍ସ ପୋଲିସ ମୁତୟନ କରାଯାଇଥିଲା। ଉଚ୍ଛେଦବେଳେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝି, ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ, କୋରେଇ ଥାନା ଅଧିକାରୀ ସଂଘମିତ୍ରା ନାୟକ ଏବଂ ଏସ୍‌ଆଇ ଅଶୋକ କୁମାର ସ୍ବାଇଁ ଉପସ୍ଥିତ ଥିଲେ।

Share