ପାକିସ୍ତାନ ବିମାନ ବନ୍ଦର ସଞ୍ଚାଳନ କରିବେ ବିଦେଶୀ ଏଜେନ୍ସି…

ଇସଲାମାବାଦ,୧୭।୭ : ଦାରିଦ୍ର୍ୟ ସହ ସଂଗ୍ରାମ କରୁଥିବା ପାକିସ୍ତାନର ଅବସ୍ଥା ଏତେ ଖରାପ ହୋଇଛି ବର୍ତ୍ତମାନ ଏହାର ବିମାନ ବନ୍ଦର ଚଳାଇବାରେ ମଧ୍ୟ ସକ୍ଷମ ନୁହେଁ। ଏହି କାରଣରୁ ପାକିସ୍ତାନ ସରକାର ବର୍ତ୍ତମାନ ଏହାର ଇସଲାମାବାଦ ବିମାନବନ୍ଦରକୁ ଏକ ବିଦେଶୀ ଏଜେନ୍ସି ଦ୍ୱାରା ପରିଚାଳିତ କରିବାକୁ ଚିନ୍ତା କରୁଛନ୍ତି। ଏଥିପାଇଁ ଏକ କମିଟି ଗଠନ କରାଯାଇଛି, ଯାହା ବିଦେଶୀ ଅପରେଟରଙ୍କ ସହ ଆଲୋଚନା କରୁଛି।

ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଇସଲାମାବାଦ ବିମାନବନ୍ଦରକୁ ଆଉଟସୋର୍ସ କରିବା ପାଇଁ ଗଠିତ କମିଟି ସହିତ ଅର୍ଥମନ୍ତ୍ରୀ ଇସ୍ହାକ ଦାର ଏକ ବୈଠକ କରିଥିଲେ। ଏହି ବୈଠକରେ ପାକିସ୍ତାନର ଅର୍ଥମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଗଷ୍ଟ ୧୨ ସୁଦ୍ଧା ଇସଲାମାବାଦ ଅନ୍ତର୍ଜାତୀୟ ବିମାନବନ୍ଦରର କାର୍ଯ୍ୟକୁ ଏକ ବିଦେଶୀ ଏଜେନ୍ସିକୁ ହସ୍ତାନ୍ତର କରିବାର ଔପଚାରିକତା ସମ୍ପୂର୍ଣ୍ଣ କରିବାକୁ। କାରଣ ଅଗଷ୍ଟ ୧୨ ହେଉଛି ବର୍ତ୍ତମାନର ପାକିସ୍ତାନ ସରକାରଙ୍କ କାର୍ଯ୍ୟକାଳର ଶେଷ ଦିନ। ଏହା ପରେ ପାକିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହେବ

ବିଶ୍ୱ ବ୍ୟାଙ୍କର ଅନ୍ତର୍ଜାତୀୟ ଅର୍ଥ ନିଗମର ପରାମର୍ଶ କ୍ରମେ ଇସଲାମାବାଦ ବିମାନବନ୍ଦରକୁ ଆଉଟସୋର୍ସ କରିବାକୁ ପାକିସ୍ତାନ ସରକାର ପ୍ରସ୍ତୁତ ହେଉଛନ୍ତି। ବିମାନ ବନ୍ଦରର କାର୍ଯ୍ୟକୁ ଏକ ବିଦେଶୀ ଏଜେନ୍ସିକୁ ହସ୍ତାନ୍ତର କରିବାକୁ ଆଇନରେ ପରିବର୍ତ୍ତନ କରାଯାଇଛି। ପାକିସ୍ତାନ ଅର୍ଥମନ୍ତ୍ରୀ ଚାହୁଁଛନ୍ତି ଯେ ଚଳିତ ମାସ ଶେଷ ସୁଦ୍ଧା ନୂତନ ଆଇନ ସଂସଦର ଅନୁମୋଦନ ପାଇବା ଉଚିତ।

ପାକିସ୍ତାନ ସରକାର ଏହାର ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସରେ ମଧ୍ୟ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ଏବଂ ବେସାମରିକ ବିମାନ ଚଳାଚଳ ଆଇନରେ ମଧ୍ୟ ପରିବର୍ତ୍ତନ କରୁଛନ୍ତି। ଏହି ପରିବର୍ତ୍ତନଗୁଡିକ ଅନୁଯାୟୀ, ପାକିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ, ପାକିସ୍ଥାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ ଏବଂ ବିମାନବନ୍ଦର ସୁରକ୍ଷା ବଳର କାର୍ଯ୍ୟ ଅଲଗା ହେବ ଯାହା ଦ୍ୱାରା ସେମାନେ ପରସ୍ପରର କାର୍ଯ୍ୟରେ ହସ୍ତକ୍ଷେପ କରିବେ ନାହିଁ।

Share