ସାରସକଣା,୧୦ା୧(ସ୍ମୃତି ଶୋଭନ ପାଲ୍): ଧାନଚାଷ କରି ଚଳି ଆସୁଥିଲେ। ମାତ୍ର ଏଥିରେ ବେଶୀ ଲାଭ ହେଲାନି। କିଛି ନୂଆ ଚାଷ କରି ସ୍ବାବଲମ୍ବୀ ହେବାକୁ ମନ ବଳାଇଲେ ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଭୂରୁଷାଣି ପଞ୍ଚାୟତ ଅନ୍ତର୍ଗତ ଖଡ଼ିଆଶୋଳ ଗ୍ରାମର ସୁବ୍ରତ କୁମାର ରାଉତ। ୟୁଟ୍ୟୁବ ଦେଖି ସେ ବିଦେଶୀ ଫଳ ବେରୀ ଚାଷ ପ୍ରତି ଆଗ୍ରହୀ ହେଲେ। ଖୁବ୍ କମ୍ ସମୟରେ ସାରସକଣା ବ୍ଲକ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହସୁଛି ଏହି ବିଦେଶୀ ଫଳ।
ଦିନରୁ ସୁବ୍ରତଙ୍କ ଚାଷ ପ୍ରତି ଦୁର୍ବଳତା ଥିଲା। ମାଟ୍ରିକ୍ ପାସ୍ ପରେ ଆଉ ପାଠ ନ ପଢ଼ି ଚାଷ କାମରେ ଲାଗି ପଡ଼ିଥିଲେ। ତେବେ ଧାନଚାଷରୁ ସେତେଟା ଲାଭ ନ ମିଳିବାରୁ ସେ ନୂଆ କିଛି ଚାଷ କରିବେ ବୋଲି ମନସ୍ଥ କଲେ। କମ ଖର୍ଚ୍ଚରେ ଅଧିକ ଲାଭ ପାଇବା ଆଶାରେ ୟୁଟ୍ୟୁବ୍ ଦେଖି ବେରୀ ଚାଷ କରିବା ପାଇଁ ସ୍ଥିର କଲେ। ଶ୍ୱଶୁର ଘର ପଶ୍ଚିମବଙ୍ଗ କୋଲକାତା ନିକଟରେ ଜଣେ ଚାଷୀ ବେରୀ ଚାଷ କରିଥିବା ଦେଖିଥିଲେ। ସେଠାରୁ ଫେରି ବାଂଲାଦେଶ ସୀମା ନିକଟ ଏକ ନର୍ସରୀରୁ ୧୧୫୦ ଖଣ୍ଡ ଚାରା (ଗୋଟାକ ୧୦୦ରୁ ୧୨୦ଟଙ୍କା) ଆଣି ୨୦୨୨ ଫେବୃୟାରୀରେ ରୋପଣ କରିଥିଲେ। ଦୁଇ ଏକର ବିଶିଷ୍ଟ ଜମିକୁ ଲିଜ ସୂତ୍ରରେ ନେଇ ସେଥିରେ ୬ କିସମର ବେରୀ ଗଛ ଲଗାଇଛନ୍ତି;ଯେଉଁଥିରେ ରହିଛି ରେଡ୍ କଶ୍ମିରୀ, ସିଡ୍ଲେସ, ଥାଇ ଗ୍ରୀନ୍, ମିସ୍ ଇଣ୍ଡିଆ, ତାଇୱାନ ଓ ବଲ ସୁନ୍ଦରୀ କିସମ। ମିସ୍ ଇଣ୍ଡିଆ ଓ ରେଡ୍ କଶ୍ମିରୀ କିସମ ସର୍ବାଧିକ ଗଛ ଲାଗିଛି।
ଚାରା ଲାଗିବା ପରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗଛ ମୂଳରେ ପାଣି ଜମିରହି ଗଛଗୁଡ଼ିକ ରୋଗଗ୍ରସ୍ତ ହୋଇପଡ଼ିଥିଲା। ଏହା ଦେଖି ସେ ଭାଙ୍ଗି ପଡ଼ିଥିଲେ। ଗ୍ରାମବାସୀଙ୍କ ସହ ପରିବାର ଲୋକଙ୍କ ଟାହିଟାପରା ତାଙ୍କୁ ବ୍ୟଥିତ କରିଥିଲା। ତଥାପି ସେ ଧୈର୍ଯ୍ୟ ଧରି ମନୋବଳ ଦୃଢ଼ କରିଥିଲେ। ଚାରା ଆଣିଥିବା ନର୍ସରୀ ସହିତ ଯୋଗାଯୋଗ ରଖି ଆସୁଥିଲେ। ବର୍ଷା ପରେ ପାଣିପାଗ ବଦଳିବା ସହିତ ଗଛଗୁଡ଼ିକ ମଧ୍ୟ ସ୍ବାଭାବିକ ଅବସ୍ଥାକୁ ଆସିଥିଲା, ଯାହାକୁ ଦେଖି ସେ ଖୁସି ଅନୁଭବ କରିଥିଲେ। ଗତ ଅକ୍ଟୋବର ମାସରେ ଗଛରେ ଫୁଲ ଆସିବା ସହିତ ଡିସେମ୍ବର ୨୦ରେ ଅମଳ ଆରମ୍ଭ ହୋଇଥିଲା। ଏହି ଚାଷରେ ସେ ପ୍ରାୟ ସାଢେ ୩ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଗୋଟିଏ ଗଛ ପ୍ରତି ଏବେ ସର୍ବନିମ୍ନ ୧୫ରୁ ୨୦ କେଜି ବେରୀ ଉତ୍ପାଦନ ହେଉଛି। ଏହି ଫଳ ଭୁବନେଶ୍ୱର, ବ୍ରହ୍ମପୁରର ବ୍ୟବସାୟୀମାନେ କେଜି ପ୍ରତି ୭୫ଟଙ୍କାରେ କିଣୁଛନ୍ତି। ଏହି ଫଳର ଚାହିଦା ଏତେ ବଢ଼ିଯାଇଛି ଯେ, ଯୋଗାଣ ପାଇଁ ସମସ୍ୟା ସୃଷ୍ଟି ହେଉଛି। ତେବେ ସରକାରୀସ୍ତରରେ ଯଦି ତାଙ୍କୁ ସହାୟତା ମିଳନ୍ତା, ତେବେ ସେ ଚାଷ କରି ପାରନ୍ତେ ବୋଲି ସୁବ୍ରତ କହିଛନ୍ତି। ଯୁବଗୋଷ୍ଠୀ ଏହି ଚାଷକୁ ଆପଣାଇ ସ୍ବାବଲମ୍ବୀ ହୋଇପାରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ସାରସକଣାସ୍ଥିତ ଉଦ୍ୟାନ ବିଭାଗ ଅଧିକାରୀ ଛତିଶ ଚନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ କାର୍ଯ୍ୟାଳୟ ସହ ଯୋଗାଯୋଗ କଲେ ନିଶ୍ଚିତ ଭାବେ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।