Categories: ଫୁରସତ

ବୋହୂ ବିଦେଶିନୀ ମନ ଓଡ଼ିଆ

ଓଡ଼ିଶାର ସଂସ୍କୃତି, ପରମ୍ପରା ଅନନ୍ୟ। ଯାହାକୁ ଏବେ ଭଲ ପାଇ ବସିଛନ୍ତି କେତେଜଣ ବିଦେଶୀ ଝିଅ। ସେମାନଙ୍କ ଭିତରୁ କେତେକେ ଓଡ଼ିଆ ଯୁବକଙ୍କୁ ପ୍ରେମବିବାହ କରି ଖୁସିରେ ଘର ସଂସାର ବି କଲେଣି। ଆଉ ଓଡ଼ିଆ ଘର ବୋହୂମାନଙ୍କର ଚାଲିଚଳଣ, ବେଶଭୂଷା ଓ ଆଚାର ବ୍ୟବହାରକୁ ଦେଖିଶିଖି ଜାଣିବା ସହ ସେହି ଅନୁଯାୟୀ ଚଳିବାକୁ ଚେଷ୍ଟା ବି କରିଲେଣି। ଏଠାରେ ସେମିତି କେତେଜଣ ବିଦେଶୀ ଝିଅ ଓଡ଼ିଆ ଘରର ବୋହୂ ସାଜିବା ପରେ ଆମ ସଂସ୍କୃତି ଓ ପରମ୍ପରାକୁ କେମିତି ଆପଣେଇଛନ୍ତି, ତାହାକୁ ନେଇ ଏହି ଆଲେଖ୍ୟ…

ଜାପାନୀ ହେଲେ ବି ମୋ ପତ୍ନୀ ମୋ ପାଇଁ ପ୍ରେରଣା
ପୁରୀ ଚକ୍ରତୀର୍ଥ ରୋଡ୍‌ର ବାସିନ୍ଦା ଚନ୍ଦ୍ରଶେଖର ଦାଶ ଓ ସୁଷମା ଦାଶଙ୍କର ସୁପୁତ୍ର ହେଲେ କୁନା ଦାଶ। ପୁରୀ ଜନ୍ମଭୂମି ହୋଇଥିଲେ ହେଁ ଜାପାନର କ୍ୟୋତୋ ସହର ହେଉଛି ତାଙ୍କର କର୍ମଭୂମି। ଗତ ୩୦ ବର୍ଷ ଧରି ସେ ଜାପାନରେ ରହି ଭାରତ ବିଶେଷକରି ଜନ୍ମଭୂମି ପୁରୀ, ଓଡ଼ିଶା ଓ ଜାପାନ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାର ନିରନ୍ତର ପ୍ରୟାସ କରି ଆସୁଛନ୍ତି। ଭାରତ ଏବଂ ଜାପାନ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ ପାଇଁ ସେ ୨୦୦୨ ମସିହାରେ ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିପ୍‌ ସେଣ୍ଟର(ଜାପାନରେ) ପ୍ରତିଷ୍ଠା ମଧ୍ୟ କରିଛନ୍ତି। ତା’ସହିତ ପୁରୀରେ ଜାପାନୀ ଫେଷ୍ଟିଭାଲ୍‌ ଏବଂ ଜାପାନରେ ନମସ୍ତେ ଇଣ୍ଡିଆ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବାରେ ସେ ହେଉଛନ୍ତି ମୁଖ୍ୟ ଉଦ୍ୟୋକ୍ତା। ସେହିପରି ଆଜକୁ ପ୍ରାୟ ୮ ବର୍ଷ ହେବ ସେ ଜାପାନ କ୍ୟୋତୋର ଅନ୍ତର୍ଜାତୀୟ ପର୍ଯ୍ୟଟନ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ମଧ୍ୟ ସମ୍ପାଦିତ କରି ଆସୁଛନ୍ତି। ତେବେ ଜାପାନ- ଭାରତ ଏହି ଦୁଇ ଦେଶ ମଧ୍ୟରେ ଶିକ୍ଷା, ସଂସ୍କୃତି, କଳା, ବାଣିଜ୍ୟ ଏବଂ ବନ୍ଧୁତ୍ୱର ପ୍ରଚାର ପ୍ରସାରକୁ ପ୍ରୋତ୍ସାହିତ କରିବାରେ କୁନାଙ୍କର ଦୀର୍ଘ ୩୦ ବର୍ଷର ଅବଦାନ ପାଇଁ ଏଇ କିଛିଦିନ ତଳେ ତାଙ୍କୁ ଜାପାନର ବୈଦେଶିକ ମନ୍ତ୍ରାଳୟ ଦ୍ୱାରା ଜାପାନର ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶାରୁ ଏହି ସମ୍ମାନଜନକ ପୁରସ୍କାର ପାଇବାରେ ସେ ହେଉଛନ୍ତି ଏକମାତ୍ର ମନୋନୀତ ବ୍ୟକ୍ତି, ଯାହା କି ଭାରତ ବିଶେଷକରି ଓଡ଼ିଶା ପାଇଁ ଅତି ଗର୍ବ ଓ ଗୌରବର ବିଷୟ। ତେବେ କୁନାଙ୍କର ଜାପାନ ସହ ଏହି ୩୦ ବର୍ଷ ସମ୍ପର୍କର ଶୁଭାରମ୍ଭର କାହାଣୀ ହେଉଛି ବେଶ୍‌ ସ୍ମୃତିମଧୁର। କୁନାଙ୍କ ଜନ୍ମ ବେଳକୁ ତାଙ୍କ ନନା (ବାପା) ପୁରୀ ଚକ୍ରତୀର୍ଥ ରୋଡ୍‌ରେ ଏକ ଛୋଟ ହୋଟେଲ୍‌ ଚଲାଉଥିଲେ। ସେତେବେଳେ ସ୍ଥାନୀୟ ଅଞ୍ଚଳରେ ଏହା ଏକମାତ୍ର ଏମିତି ହୋଟେଲ୍‌ ଥିଲା, ଯେଉଁଠାରେ ବିଦେଶୀ ପର୍ଯ୍ୟଟକଙ୍କୁ ରହିବାର ଅନୁମତି ମିଳିଥିଲା। କୁନା ବଡ଼ ହେବାପରେ ହୋଟେଲ୍‌ ଆଡେ ବୁଲିବାକୁ ଯାଉଥିଲେ। ସେଠାରେ ଜାପାନୀ ଲୋକଙ୍କ ସହ ମିଶିବା, ତାଙ୍କ ଚାଲିଚଳନ, ଭାଷା, ସଂସ୍କୃତି, ସମ୍ପର୍କରେ ଜାଣିବାର ବହୁ ସୁଯୋଗ ତାଙ୍କୁ ମିଳିଲା। ଜାପାନୀଜ୍‌ ଭାଷା ଭଲ ଲାଗିବାରୁ ପରବର୍ତ୍ତୀ ସମୟରେ ସେ ତା’ ଉପରେ ଏକ କୋର୍ସ ମଧ୍ୟ କଲେ। କିଛିଦିନ ପରେ ତାଙ୍କ ନନା ଜାପାନର କ୍ୟୋତୋ ନିକଟରେ ଏକ ରେଷ୍ଟୁରାଣ୍ଟ ଖୋଲିଲେ ଆଉ ତା’ର ଦାୟିତ୍ୱ କୁନାଙ୍କୁ ଦେଲେ। ସେତେବେଳେ ତାଙ୍କୁ ମାତ୍ର ୨୨ ବର୍ଷ ହୋଇଥାଏ। ନନାଙ୍କ କଥା ମାନି ଜାପାନ ଗଲେ ଆଉ ରେଷ୍ଟୁରାଣ୍ଟର ଦାୟିତ୍ୱ ନେଲେ। କିଛିଦିନ ପରେ ହଠାତ୍‌ ସେଠାରେ ଏକ ଭୟଙ୍କର ଭୂମିକମ୍ପ ହେଲା, ଯେଉଁଥିରେ ଅନେକ ଧନଜୀବନ ନଷ୍ଟ ହୋଇଗଲା। କୁନାଙ୍କ ରେଷ୍ଟୁରାଣ୍ଟ ମଧ୍ୟ ଭାଙ୍ଗି ଗଲା। ୭/୮ଦିନ ସେ କିଛି ଖାଇବାକୁ ପାଇଲେ ନାହିଁ। ହଠାତ୍‌ ଦିନେ ସ୍ଥାନୀୟ ଅଞ୍ଚଳର ଏକ ଜାପାନୀ ପରିବାର ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ। ତାଙ୍କୁ ଖାଇବାକୁ ଦେବା ସହ ତାଙ୍କର ଭଲମନ୍ଦ କଥା ବୁଝିଲେ। କ୍ରମେ ସେହି ପରିବାର ସହ କୁନାଙ୍କର ନିବିଡ଼ ସମ୍ପର୍କ ହୋଇଗଲା। ସେହି ପରିବାରର ଝିଅ ମିଚିକୋଙ୍କ ସହ କୁନାଙ୍କର ବନ୍ଧୁତା ହେଲା ଯାହା ପରେ ଭଲ ପାଇବାର ରୂପ ନେଲା। ମିଚିକୋଙ୍କ ପରିବାର ତରଫରୁ କିଛି ଅସୁବିଧା ନ ଥିଲେ ମଧ୍ୟ, କୁନା କିନ୍ତୁ ଘର ଲୋକଙ୍କୁ ଜଣାଇବାକୁ ସାହସ କରି ନ ଥିଲେ। କାରଣ ସେ ଥିଲେ ଘରର ବଡ଼ ପୁଅ, ପୁଣି ଜାତିରେ ବ୍ରାହ୍ମଣ। ଜଣେ ବିଦେଶିନୀକୁ ବିବାହ କରିବା କଥା ତାଙ୍କ ଘର ଲୋକେ ସହଜରେ ଗ୍ରହଣ କରିବେ ନାହିଁ ବୋଲି ସେ ଜାଣିଥିଲେ, ତେଣୁ ଘରକୁ ନ ଜଣାଇ ଜାପାନରେ ସେମାନେ ବିବାହ କରିନେଲେ। କିନ୍ତୁ ତାଙ୍କର ଚେଷ୍ଟା ଥିଲା, ଧର୍ମପତ୍ନୀ ମିଚିକୋଙ୍କୁ ଏମିତି ଭାବେ ଗଢିବେ ଯେମିତି ସେ ସବୁ ପରିସ୍ଥିତିକୁ ସାମ୍ନା କରିପାରିବେ। ସେଥିପାଇଁ ସେ ମିଚିକୋଙ୍କୁ ଓଡ଼ିଶାର ସଂସ୍କୃତି, ପରମ୍ପରା, ପରିସ୍ଥିତି ଏବଂ ଭାଷା ସମ୍ପର୍କରେ ଅବଗତ କରାଇବା ସହ ନିଜେ ମଧ୍ୟ ତାଙ୍କ ସଂସ୍କୃତି ଓ ପରମ୍ପରାକୁ ଅତି ନିକଟରୁ ବୁଝିବାକୁ ଚେଷ୍ଟା କରିଥିଲେ। କ୍ରମେ ଓଡ଼ିଶା ସହ ଜାପାନର ସମ୍ପର୍କକୁ ଦୃଢୀଭୂତ କରିବାକୁ ଉଭୟ ପତ୍ନୀପତି ଧୀରେ ଧୀରେ ପଦକ୍ଷେପ ନେବା ଆରମ୍ଭ କଲେ। ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ କୁନା ପରିବାର ଲୋକଙ୍କଠାରୁ ନିଜ ବୈବାହିକ ସମ୍ପର୍କକୁ ଲୁଚାଇ ରଖି ତା’ରି ଭିତରେ ମିଚିକୋଙ୍କ ସହଯୋଗରେ ନିଜ ପରିବାର ପାଇଁ ତଥା ଓଡ଼ିଶାବାସୀଙ୍କ ପାଇଁ ଅନେକ କିଛି କାର୍ଯ୍ୟ କରିଥିଲେ। ପ୍ରଥମେ ତାଙ୍କ ଛୋଟ ହୋଟେଲ୍‌ ପାଇଁ ବଡ଼ ଜାଗାଟିଏ କିଣି ହୋଟେଲ୍‌କୁ ସେଠାକୁ ସ୍ଥାନାନ୍ତରିତ କରି ନେଇଥିଲେ। ତା’ସହିତ ୨୦୦୪ରେ ପୁରୀ-କୋଣାର୍କ ରୋଡ୍‌ ନିକଟରେ ନିଜ ନନାଙ୍କ ନାମରେ ‘ଚନ୍ଦ୍ରଶେଖର ଏକାଡେମୀ’ ପ୍ରତିଷ୍ଠା କଲେ, ଯେଉଁଠାରେ ମୁଖ୍ୟତଃ ଛାତ୍ରୀଛାତ୍ରଙ୍କୁ ସିବିଏସ୍‌ଇ ପାଠ୍ୟକ୍ରମ ସହ ଓଡ଼ିଆ, ହିନ୍ଦୀ, ଜାପାନୀଜ୍‌ ଭାଷା ଓ ସଂସ୍କୃତି ଶିକ୍ଷା ଦିଆଯାଇଥାଏ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ମିଚିକୋ ନିଜେ ଏଠାରେ ଛାତ୍ରୀଛାତ୍ରକୁ ଓଡ଼ିଆ, ହିନ୍ଦୀ ଓ ଜାପାନୀଜ୍‌ ଭାଷା ଓ ସଂସ୍କୃତି ଉପରେ ଶିକ୍ଷା ଦେଇଥାନ୍ତି। ତା’ସହିତ କୁନାଙ୍କ ଅନୁପସ୍ଥିତିରେ ଏକାଡେମୀର ପୂରା ଦାୟିତ୍ୱ ସେ ତୁଲାଇଥାନ୍ତି। ତେବେ ପୁଅ କରିଥିବା ଏକାଡେମୀରେ ଜଣେ ଜାପାନୀ ମହିଳା ଏତେ ଦାୟିତ୍ୱ ନେଇ କାହିଁକି କାମ କରୁଛି, ସେହି କଥାକୁ ସନ୍ଦେହ କରି କୁନାଙ୍କ ପରିବାର ଲୋକେ ଶେଷରେ ସତ କଥାଟି ଜାଣିଥିଲେ। ଜଣେ ବିଦେଶିନୀ ହୋଇ ଆମ ସଂସ୍କୃତି, ପରମ୍ପରା, ଭାଷାକୁ ଏତେ ସୁନ୍ଦର ଭାବେ ଜାଣିଥିବା ତଥା ବୁଝିଥିବା କଥା ଜାଣିବା ପରେ ତାଙ୍କ ପରିବାର ଲୋକେ ମିଚିକୋଙ୍କୁ ବୋହୂ ରୂପେ ଗ୍ରହଣ କରି ନେଇଥିଲେ। ବାସ୍‌ ସେବେଠାରୁ ମିଚିକୋ ନିଜ ଶାଶୁଘରେ ରହି ପରିବାରର କଥା ବୁଝିବା ସହ ଏକାଡେମୀର ସମ୍ପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଅନ୍ୟପକ୍ଷେ କୁନା ଜାପାନରେ ରହି ଇଣ୍ଡୋ-ଜାପାନ ସାଂସ୍କୃତିକ ସମ୍ପର୍କର ବାର୍ତ୍ତାବହ ସାଜିବା ସହ କ୍ୟୋତୋଠାରେ ବି ସ୍ଥାନୀୟ ଆଡ୍‌ମିନିଷ୍ଟ୍ରେଶନ ସାହାଯ୍ୟରେ ‘ଚନ୍ଦ୍ରଶେଖର ଏକାଡେମୀ’ ପ୍ରତିଷ୍ଠା କରିଛନ୍ତି। ମୁଖ୍ୟତଃ ଜାପାନରେ କାମ କରୁଥିବା ଭାରତୀୟ ଓ ଏହାର ଚତୁଃପାର୍ଶ୍ୱରେ ଥିବା ଦେଶର ପିଲାମାନେ ଏହି ଏକାଡେମୀରେ ସେମାନଙ୍କ ପାଠ୍ୟକ୍ରମ ସହ ଭାରତର କଳା ଓ ସଂସ୍କୃତି ବିଷୟରେ ଜାଣିବାର ସୁଯୋଗ ପାଇଥାନ୍ତି। ତେବେ ଆଜିର ଏହି ସଫଳତା ସମ୍ପର୍କରେ କୁନାଙ୍କୁ ପଚାରିଲେ ସେ କୁହନ୍ତି, ”ଆପଣମାନେ ଆଜି ଯେଉଁ ସ୍ଥାନରେ ମୋତେ ଦେଖୁଛନ୍ତି, ସେଠାକୁ ପହଞ୍ଚତ୍ବା ପାଇଁ ମୋତେ ଖୁବ୍‌ କଷ୍ଟ କରିବାକୁ ପଡିଛି। ଆଉ ପ୍ରତି କ୍ଷେତ୍ରରେ ମୋ ଧର୍ମପତ୍ନୀ ମୋତେ ପୂର୍ଣ୍ଣ ସହଯୋଗ କରି ଆସିଛନ୍ତି। ମୁଁ ଜାପାନରେ ଥିଲା ବେଳେ ସିଏ ଓଡ଼ିଶାରେ ରହି ମୋର ସବୁ କାମ ବୁଝିଥାନ୍ତି ଆଉ ମୁଁ ଓଡ଼ିଶାରେ ଥିଲେ ସିଏ ଜାପାନ ଆସି ଏଠି ମୋର ଦାୟିତ୍ୱ ସବୁ ସମ୍ଭାଳି ନିଅନ୍ତି। ତା’ସହିତ ଆମ ଓଡ଼ିଶାର ସଂସ୍କୃତି ବିଷୟରେ ତାଙ୍କୁ ଏମିତି କେଉଁ କଥା ଜଣାନାହିଁ, ଯାହା କି ଜଣେ ଓଡିଆ ଝିଅ ଜାଣିଥିବ। ଏମିତି କି ଆମର ପୁଅ ଶାନ୍ତ ଦାଶକୁ ମଧ୍ୟ ମିଚିକୋ ଓଡିଶା ଓ ଜାପାନର ସଂସ୍କୃତି ବିଷୟରେ ଅନେକ କଥା ଶିଖାଇ ଦେଇଛନ୍ତି। ତେଣୁ ମିଚିକୋଙ୍କୁ ନେଇ ମୁଁ ଗର୍ବ କରିଥାଏ। ମୁଁ କେବେ ବି ମନରେ ଭାବିନି ଯେ, ନିଜ ଧର୍ମ କିମ୍ବା ଜାତିରେ ବାହା ହେଲେ ହିଁ ସମ୍ପର୍କ ଦୃଢ ହେବ। ମୋ ମତରେ ସମ୍ପର୍କ ସେଠି ଦୃଢ ହୁଏ, ଯେଉଁଠି ପରସ୍ପର ଭିତରେ ଉତ୍ତମ ବୁଝାମଣା ରହିଥାଏ, ତେଣିକି ସେ ନିଜ ଦେଶର ଝିଅ ହେଉ କିମ୍ବା ବିଦେଶିନୀ। ତା’ଛଡ଼ା ମୁଁ ଜାଣିଛି, ଯଦି ଜଣେ ବିଦେଶିନୀକୁ ବାହା ହୋଇ ତାଙ୍କ ସହିତ ଆମେ ଉତ୍ତମ ସମ୍ପର୍କ ରଖିପାରିବା ତା’ହେଲେ ସେହି ମାଧ୍ୟମରେ ଦୁଇ ଦେଶ ଭିତରେ ମଧ୍ୟ ସମ୍ପର୍କ ଦୃଢୀଭୂତ ହୋଇପାରିବ।“

ରୁଷିଆ ଝିଅ ହେଲେ ଓଡ଼ିଆ ଘରର ବୋହୂ
ପୁରୀ ବାଲିସାହି ଗଛକାଳି ଲେନ୍‌ର ବାସିନ୍ଦା ହେଲେ ଶକ୍ତିପ୍ରସାଦ ନାଥ। ଡ. ପ୍ରଫୁଲ୍ଲ କୁମାର ନାଥ ଓ ମାଳତୀ ନାଥଙ୍କର ସେ ଚତୁର୍ଥ ସନ୍ତାନ। ବ୍ରାହ୍ମଣ କୁଳରେ ତାଙ୍କର ଜନ୍ମ। ଗ୍ରାଜୁଏଶନ୍‌ ଶିକ୍ଷା ପରେ କିଛିଦିନ କଣ୍ଟ୍ରାକ୍ଟି କାମ କରିଥିଲେ, ଆଉ ଏବେ ୬/୭ ବର୍ଷ ହେବ ନିଜର ଏକ ଟ୍ରାଭେଲ୍‌ ଏଜେନ୍ସି କରି ପରିବାର ପ୍ରତିପୋଷଣ କରୁଛନ୍ତି। ସ୍ବଭାବରେ ଶକ୍ତିପ୍ରସାଦ ଜଣେ ବନ୍ଧୁବତ୍ସଳ ବ୍ୟକ୍ତି। ଏମିତିରେ ରୁଷିଆର ଜଣେ ବ୍ୟକ୍ତିଙ୍କ ସାଙ୍ଗରେ ତାଙ୍କର ଦିନେ ପରିଚୟ ହେଲା। କ୍ରମେ ସମ୍ପର୍କ ବନ୍ଧୁତାର ରୂପ ନେଲା। ଅନେକ ସମୟରେ ସେହି ବ୍ୟକ୍ତି ଜଣକ ମ୍ୟୁଜିକାଲ୍‌ ପ୍ରୋଗ୍ରାମ କରିବା ପାଇଁ ତାଙ୍କ ଟ୍ରୁପ୍‌ ଧରି ପୁରୀ ଆସୁଥିଲେ। ସେ ଯେବେ ବି ଆସନ୍ତି ଶକ୍ତିପ୍ରସାଦ ତାଙ୍କୁ ଦେଖାକରିବାକୁ ଯାଆନ୍ତି, ଆଉ ତାଙ୍କ ମ୍ୟୁଜିକାଲ୍‌ ପ୍ରୋଗ୍ରାମ ଆରେଞ୍ଜମେଣ୍ଟ କରିବାରେ ତାଙ୍କୁ ଅନେକ ସାହାଯ୍ୟ ବି କରିଥାନ୍ତି। ୨୦୧୦ ମସିହାରେ ଏମିତି ଏକ ମ୍ୟୁଜିକାଲ୍‌ ପ୍ରୋଗ୍ରାମର ଆୟୋଜନ ପୁରୀରେ ହୋଇଥିଲା। ଆଉ ସେହି ସମୟରେ ରୁଷିଆରୁ ଯେଉଁମାନେ ପୁରୀ ବୁଲିବାକୁ ଆସିଥିଲେ, ସେମାନଙ୍କର ଡାଟା ସଂଗ୍ରହ କରି ଏହି ପ୍ରୋଗ୍ରାମକୁ ଆମନ୍ତ୍ରିତ କରାଯାଇଥିଲା। ଉକ୍ତ ପ୍ରୋଗ୍ରାମରେ ଲ୍ୟୁବୋଭ୍‌ ଆରେସ୍କିନା ନାମ୍ନୀ ଜଣେ ରୁଷିଆ ଯୁବତୀଙ୍କ ସହ ଶକ୍ତିପ୍ରସାଦଙ୍କର ପରିଚୟ ହେଲା। ସେତେବେଳେ ଲ୍ୟୁବୋଭ୍‌ ଜଣେ ବାନ୍ଧବୀଙ୍କ ସହ ୫ଦିନ ପାଇଁ ପୁରୀ ବୁଲିବାକୁ ଆସିଥାନ୍ତି। ଆଉ ସେହି ୫ଦିନ ଭିତରେ ଲ୍ୟୁବୋଭ୍‌ ଓ ଶକ୍ତିପ୍ରସାଦଙ୍କ ମଧ୍ୟରେ ୨/୩ଥର ଦେଖାସାକ୍ଷାତ ବି ହୋଇଥିଲା। ସାମାନ୍ୟ କଥାବାର୍ତ୍ତାରୁ ଉଭୟଙ୍କ ଭିତରେ ପରିଚିତି ବଢ଼ିବାରୁ ସେମାନେ ପରସ୍ପରର ଫୋନ୍‌ ନମ୍ବର ଶେୟାର କରିଥିଲେ। ଲ୍ୟୁବୋଭ୍‌ ରୁଷିଆ ଫେରିଯିବା ପରେ ତାଙ୍କ ପକ୍ଷରୁ ପ୍ରଥମେ ଫୋନ୍‌ କଲ୍‌ ଆସିଥିଲା ଶକ୍ତିପ୍ରସାଦଙ୍କ ପାଖକୁ। ବାସ୍‌ ଫୋନ୍‌ରେ ଦୁଇ ତିନି ଥର କଥାବାର୍ତ୍ତା ପରେ ଲ୍ୟୁବୋଭ୍‌ ଶକ୍ତିପ୍ରସାଦଙ୍କୁ ଭଲପାଇ ବସିଥିଲେ, ଆଉ ବିବାହ ପାଇଁ ସେ ପ୍ରଥମେ ପ୍ରସ୍ତାବ ଦେଇଥିଲେ। ଅନ୍ୟପକ୍ଷେ ଶକ୍ତିପ୍ରସାଦ ବି ଲ୍ୟୁବୋଭ୍‌ଙ୍କୁ ପସନ୍ଦ କରୁଥିଲେ ମଧ୍ୟ ଏତେ ବଡ଼ ନିଷ୍ପତ୍ତି ନେବାକୁ ସାହସ କରିପାରୁ ନ ଥିଲେ। କ୍ରମେ ଉଭୟ ସେମାନଙ୍କର ଏହି ନିଷ୍ପତ୍ତି ବିଷୟରେ ପରସ୍ପରର ପରିବାର ଲୋକଙ୍କୁ ଜଣାଇଲେ। ଲ୍ୟୁବୋଭ୍‌ଙ୍କ ପରିବାର ପକ୍ଷରୁ କିଛି ଆପତ୍ତି ନ ଥିଲେ ମଧ୍ୟ ଯେହେତୁ ଶକ୍ତିପ୍ରସାଦଙ୍କର ବଡ଼ ଭଉଣୀଭାଇ କେହି ବାହା ହୋଇ ନ ଥିଲେ, ସେଥିପାଇଁ ସେମାନଙ୍କୁ କିଛିଦିନ ଅପେକ୍ଷା କରିବାକୁ ପଡ଼ିଥିଲା। ତା’ପରେ ସେମାନେ କୋର୍ଟ ମ୍ୟାରେଜ କରିବାକୁ ସ୍ଥିର କଲେ, ଏଥିରେ ଉଭୟଙ୍କ ପରିବାର ଲୋକେ ବି ରାଜି ହେଲେ। ଡିସେମ୍ବର ୨୧, ୨୦୧୧ରେ ପୁରୀ କୋର୍ଟରେ ସେମାନଙ୍କର ବିବାହ ହେଲା। ଶକ୍ତିପ୍ରସାଦଙ୍କ ଭାଇଭଉଣୀଙ୍କର ବାହାଘର ହୋଇ ନ ଥିବାରୁ ବନ୍ଧୁବାନ୍ଧବ କିମ୍ବା ସାହି ପଡ଼ିଶାରେ କାଳେ କିଏ କ’ଣ କହିବେ, ସେଥିପାଇଁ ସେମାନେ ଆପାର୍ଟମେଣ୍ଟ ଭଡ଼ା ନେଇ ବାହାରେ ରହିଲେ। ମଝିରେ ମଝିରେ ଘରକୁ ବୁଲିବାକୁ ବି ଯାଉଥିଲେ। ଯେହେତୁ ଲ୍ୟୁବୋଭ୍‌ ରୁଷିଆରେ ଟେକ୍ନିକାଲ୍‌ ଇଞ୍ଜିନିୟର ଭାବେ କାମ କରନ୍ତି, ତେଣୁ ତାଙ୍କୁ ଅଧିକାଂଶ ସମୟ ସେଠାରେ ରହିବାକୁ ପଡୁଥିଲା। ଯେବେ ଟିକେ ଛୁଟି ମିଳୁଥିଲା, ସେ ପୁରୀ ଆସି ସ୍ବାମୀ ଶକ୍ତିପ୍ରସାଦଙ୍କ ସହ ଆପାର୍ଟମେଣ୍ଟ ଭଡ଼ା କରି ରହୁଥିଲେ। ଶାଶୁଘରକୁ ବି ବୁଲି ଯାଉଥିଲେ। ଏମିତିରେ ୨୦୧୩ରେ ସେମାନଙ୍କର ଭସିଲିଶା ନାଥ (ଦିଶା) ନାମ୍ନୀ ଝିଅଟିଏ ଜନ୍ମ ହେଲା। ଝିଅକୁ ମାସେ ହେବା ପରେ ଲ୍ୟୁବୋଭ୍‌ ରୁଷିଆରୁ ଝିଅକୁ ଧରି ଓଡ଼ିଶା ଆସିଲେ ଏବଂ ଶାଶୁଘରେ ଯାଇ ପୂରା ରହିଲେ। ସେତେବେଳେ ଶାଶୁଘର ଲୋକେ ତାଙ୍କୁ ସାଦରେ ଗ୍ରହଣ କରିନେଲେ। ସେବେଠାରୁ ଲ୍ୟୁବୋଭ୍‌ ଯେବେ ବି ଛୁଟିରେ ଆସନ୍ତି, ଶାଶୁଘର ଲୋକଙ୍କ ସ୍ନେହ ଆଦରରେ ଝିଅ ପରି ଚଳିଥାନ୍ତି। ତାଙ୍କ ଭିତରେ ଆମ ଓଡ଼ିଶା ସଂସ୍କୃତି ଓ ପରମ୍ପରା ପାଇଁ ଯଥେଷ୍ଟ ସମ୍ମାନ ରହିଛି। ଏ ନେଇ ଶକ୍ତିପ୍ରସାଦ କୁହନ୍ତି: ”ଲ୍ୟୁବୋଭ୍‌ ଆଗରୁ ଓଡ଼ିଆ ଜମା କହିପାରୁ ନ ଥିଲେ କି ବୁଝିପାରୁ ନ ଥିଲେ। କିନ୍ତୁ ଏବେ ପ୍ରାୟ କଥା ବୁଝିପାରୁଛନ୍ତି। ଏମିତି କି ଆମ ଝିଅକୁ ମୁଁ ପଢ଼ିଥିବା ପୁରୀ କନ୍‌ଭେଣ୍ଟ ସ୍କୁଲରେ ପଢ଼ାଇବାକୁ ମୋତେ ରାଜି କରାଇ ତା’ର ଆଡମିଶନ୍‌ ବି ସେ କରାଇ ଦେଇଛନ୍ତି। ଏବେ ଆମ ଦିଶା ଏହି ସ୍କୁଲରେ ଷ୍ଟାଣ୍ଡାର୍ଡ- ୧ରେ ପଢୁଛି। ତା’ ପାଠପଢ଼ାର ସମସ୍ତ ଦାୟିତ୍ୱ ଲ୍ୟୁବୋଭ୍‌ ବୁଝିଥାନ୍ତି। ଇଂଲିଶ ସହିତ ଝିଅକୁ ଓଡ଼ିଆ ଶିଖାଇବାକୁ ମଧ୍ୟ ସେ ଅନେକ ଚେଷ୍ଟା କରିଥାନ୍ତି। ସେଥିପାଇଁ ସେ ନିଜେ ଏବେ ଓଡ଼ିଆ ଅକ୍ଷର ଶିଖିବା ଓ ଲେଖିବା ସହ ଝିଅକୁ ବି ଓଡ଼ିଆ ଲେଖାଉଛନ୍ତି। ବେଳେବେଳେ ଅକ୍ଷର ଚିହ୍ନିବାରେ କିଛି ଅସୁବିଧା ହେଲେ ମୁଁ ସେମାନଙ୍କୁ ସାହାଯ୍ୟ କରିଦେଉଛି। ଏଥିସହିତ ମୋ ମାମା (ଏବେ ଆଉ ନାହାନ୍ତି) ଯେତେବେଳେ ଥିଲେ, ତାଙ୍କୁ ଦେଖି ଦେଖି ଛୁରିରେ ପରିବା କାଟିବା, ଭାତ, ଡାଲି, ଘାଣ୍ଟ ତରକାରି, ଆଳୁଭଜା ଆଦି ଖାଦ୍ୟ ପ୍ରସ୍ତୁତ କରିବା ସେ ଶିଖିଯାଇଛନ୍ତି। ତା’ସହିତ ବିଭିନ୍ନ ପର୍ବପର୍ବାଣିରେ ସେ ମୁରୁଜରେ ବିଭିନ୍ନ ଝୋଟି ମଧ୍ୟ ପକାଇ ପାରନ୍ତି। କିନ୍ତୁ ଚାଉଳ ବଟାରେ ଚିତା ପକାଇବା ତାଙ୍କୁ ଆସେନାହିଁ। ସେ ଏତେ ଆମିଷ ଖାଇବାକୁ ଭଲ ପାଆନ୍ତି ନାହିଁ। କିନ୍ତୁ ମୋର ଆମିଷ ଭାରି ପସନ୍ଦ। ମୋଠାରୁ ଆମିଷ ରୋଷେଇ ଶିଖି ୟା’ ଭିତରେ ଅନେକ ଥର ମୋ ପରିବାର ଲୋକଙ୍କ ପାଇଁ ମାଛ, ଚିକେନ୍‌, ଚିଙ୍ଗୁଡ଼ି ଆଉ କଙ୍କଡ଼ା ତରକାରି ସେ କରିସାରିଲେଣି। ତେବେ ଓଡ଼ିଆ ଘରର ବୋହୂମାନଙ୍କ ପରି ତାଙ୍କୁ ଶାଢ଼ି ପିନ୍ଧି ଆସେନି ସତ କିନ୍ତୁ ବିଭିନ୍ନ ପୂଜାପର୍ବକୁ ପାଳନ କରିବା, ସାନଙ୍କୁ ସ୍ନେହଆଦର ଦେବା ଏବଂ ବଡ଼ମାନଙ୍କୁ ସମ୍ମାନ ଦେବାରେ ସେ କେବେ ବି ହେଳା କରନ୍ତି ନାହିଁ। ପ୍ରଭୁ ଜଗନ୍ନାଥଙ୍କୁ ସେ ଖୁବ୍‌ ଭକ୍ତି କରନ୍ତି। ଯେବେ ବି ଓଡ଼ିଶା ଆସନ୍ତି, ମୋ ସାଙ୍ଗରେ ଯାଇ ସେ ବଡ଼ଦାଣ୍ଡରୁ ପତିତପାବନକୁ ଦର୍ଶନ କରିଥାନ୍ତି। ସେହିପରି ମନ୍ଦିରର ଅବଢ଼ାରେ ତାଙ୍କର ଭାରି ଲୋଭ। ତେଣୁ ଅନେକ ସମୟରେ ଅବଢ଼ା କିଣିଆଣି ଆମେ ଘରେ ଖାଇଥାଉ। ଜଣେ ବିଦେଶିନୀ ହୋଇ ବି ଲ୍ୟୁବୋଭ୍‌ ଆମ ସଂସ୍କୃତି ଓ ପରମ୍ପରାକୁ ଏତେ ଭଲ ଭାବେ ବୁଝିବା ସହ ମୋ ପରିବାର ଲୋକଙ୍କୁ ଆପଣାର କରି ନେଇଥିବାରୁ ମୁଁ ତାଙ୍କ ପାଇଁ ଖୁବ୍‌ ଗର୍ବିତ।“

ଆମେରିକୀୟ ବୋହୂ ପାଇଁ ଶ୍ୱଶୁର ଖୁବ୍‌ ଗର୍ବିତ
କଟକ ଚୌଦ୍ବାରରେ ପ୍ରକୃତ ଘର ହୋଇଥିଲେ ହେଁ ଆଜକୁ ପ୍ରାୟ ୩୦ ବର୍ଷ ହେବ ଖୋର୍ଦ୍ଧା ଜିଲାର ବାଲୁଗାଁରେ ସପରିବାରେ ରହି ଆସୁଛନ୍ତି ଅଶୋକ ସାହୁ। ଅବିନାଶ ନାମରେ ତାଙ୍କର ଜଣେ ପୁଅ ଅଛନ୍ତି, ଯିଏ କି ଜଣେ ଇସ୍କନ ଭକ୍ତ। ଠାକୁରଙ୍କ ଉପରେ ରହିଛି ତାଙ୍କର ଗଭୀର ଆସ୍ଥା ଓ ବିଶ୍ୱାସ। ଏହି ବିଶ୍ୱାସ ହିଁ ତାଙ୍କୁ ଏମିତି ଜଣେ ଜୀବନସାଥୀ ସାଙ୍ଗେ ଯୋଡ଼ି ଦେଇଛି, ଯାହାଙ୍କ ଚିନ୍ତାଧାରା ଅବିନାଶଙ୍କ ଭାବନା ସହ ପୂରା ମିଶୁଛି। ସେ ହେଲେ ରିଚେଲ୍‌ ବେଟୀବେୟର୍‌, ଆମେରିକାର ମିଚିଗାନ୍‌ ସିଟିର ଝିଅ। ଜଣେ ବିଦେଶିନୀ ହୋଇ ମଧ୍ୟ ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ରହିଛି ଯଥେଷ୍ଟ ଶ୍ରଦ୍ଧା ଆଉ ସମ୍ମାନ। ଅବିନାଶଙ୍କ ପରି ସେ ବି ଜଣେ ଇସ୍କନ ଭକ୍ତ। ଅବିନାଶ ମାଷ୍ଟର ଡିଗ୍ରୀ କରିବାକୁ ଆମେରିକା ଯାଇଥିଲାବେଳେ ଫେସ୍‌ବୁକ ଜରିଆରେ ଉଭୟଙ୍କର ପରିଚୟ ହେଲା। ପରସ୍ପରର ମନ ଓ ଭାବନା ମିଶିବାରୁ ସେମାନେ ବିବାହ କରିବାକୁ ସ୍ଥିର କଲେ। ଉଭୟଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇବାରୁ କେହି ରାଜି ହେଲେନି। ସେତେବେଳେ ଅବିନାଶ ଯେହେତୁ ପଢୁଥିଲେ ଆଉ ଆମେରିକାର ନାଗରିକ ନଥିଲେ, ତେଣୁ ରିଚେଲଙ୍କ ମା’ ଏହି ପ୍ରସ୍ତାବକୁ ଆଦୌ ଗ୍ରହଣ କରୁ ନ ଥିଲେ। ଅନ୍ୟପକ୍ଷେ ଅବିନାଶଙ୍କ ବାପା ଜଣେ ବିଦେଶିନୀକୁ ବୋହୂ ଭାବେ ଗ୍ରହଣ କରିବାକୁ ଇଚ୍ଛୁକ ନ ଥିଲେ। ତାଙ୍କର ଧାରଣ ଥିଲା ଆମ ଓଡିଆଙ୍କ ଚାଲିଚଳଣି, ସଂସ୍କୃତି ଓ ପରମ୍ପରା ସହ ସେହି ଆମେରିକୀୟ ଝିଅ କ’ଣ ଖାପ୍‌ ଖୁଆଇ ଚଳିପାରିବ। ହେଲେ ହଠାତ୍‌ ସବୁ କିଛି ବଦଳି ଗଲା। ଯେହେତୁ ଅବିନାଶ ଓ ରିଚେଲ୍‌ ଖୁବ୍‌ ଈଶ୍ୱର ବିଶ୍ବାସୀ ଥିଲେ, ତେଣୁ ସେମାନଙ୍କ ସମ୍ପର୍କକୁ ସ୍ବୀକୃତି ଦେବା ପାଇଁ ଭଗବାନ ସେମାନଙ୍କୁ ସହାୟ ହେଲେ। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ପ୍ରଭୁ ଜଗନ୍ନାଥ ପ୍ରଥମେ ରିଚେଲ୍‌ଙ୍କ ମା’ଙ୍କୁ ସ୍ବପ୍ନାଦେଶ ହୋଇ କହିଲେ, ମୁଁ ମୋ ଝିଅକୁ ମୋ ଦେଶକୁ ନେବାକୁ ଚାହୁଁଛି, ତୁ କାହିଁକି ବିରୋଧ କରୁଛୁ। ସେଠି ତୋ ଝିଅ ବେଶ୍‌ ଖୁସିରେ ରହିବ। ଏହାର କିଛିଦିନ ପରେ ଅବିନାଶଙ୍କ ବାପାଙ୍କ ସ୍ବପ୍ନରେ ମଧ୍ୟ ମହାପ୍ରଭୁ ଆସି କହିଲେ, ରିଚେଲ୍‌ ହେଉଛି ମୋର ପରମ ଭକ୍ତ, ତା’ର ଇଚ୍ଛା ଅଛି ମୋ ପାଖକୁ ଆସିବା ପାଇଁ। ତୁ କାହିଁକି ସେଥିରେ ବାଧକ ସାଜୁଛୁ। ମୁଁ ଯେଉଁ ଝିଅକୁ ତୋ ପୁଅ ପାଇଁ ଠିକ୍‌ କରିଛି, ତା’ଠାରୁ ଭଲ ଝିଅ କ’ଣ ତୁ ଖୋଜିପାରିବୁ। ବାସ୍‌ ଏହି ଘଟଣା ପରେ ଉଭୟଙ୍କ ପରିବାର ଲୋକେ ଏହି ବାହାଘର ପାଇଁ ରାଜି ହୋଇଥିଲେ। ମେ ୨୦, ୨୦୧୫ରେ ଭୁବନେଶ୍ୱର ଟଙ୍କପାଣି ରୋଡ୍‌ସ୍ଥିତ ଜଗନ୍ନାଥ ଆଶ୍ରମରେ ହିନ୍ଦୁ ରୀତିନୀତିରେ ସେମାନଙ୍କ ବାହାଘର ସମ୍ପନ୍ନ ହେଲା। ବାହାଘର ପରେ ରିଚେଲ୍‌ଙ୍କ ଶାଶୁଘର ଲୋକେ ତାଙ୍କୁ ସ୍ନେହରେ ‘ବୃନ୍ଦା’ ଡାକିଲେ। ବୃନ୍ଦା ଏବେ ଅବିନାଶଙ୍କ ସହ ଆମେରିକାରେ ରହୁଛନ୍ତି। ଅବିନାଶ ସେଠାରେ ବ୍ୟାଙ୍କ ଅଫ୍‌ ଆମେରିକାର ଚିଫ୍‌ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ବୃନ୍ଦା ସ୍ବାମୀଙ୍କ ଦେଖାଚାହାଁ ପାଇଁ ବାଧ୍ୟ ହୋଇ ସେଠାରେ ରହିଛନ୍ତି ସିନା, ହେଲେ ତାଙ୍କର ମନ ଓଡ଼ିଶାରେ ରହିଯାଇଛି। ଯେବେ ବି ଛୁଟିମିଳେ, ସେମାନେ ବାଲୁଗାଁକୁ ବୁଲି ଆସନ୍ତି। ଓଡିଆ ଘରର ଗୃହିଣୀଙ୍କ ପରି ବୃନ୍ଦା ମୁଣ୍ଡରେ ଓଢଣା ଦେଇ ଶାଶୁଶ୍ୱଶୁରଙ୍କ ସେବା କରିବା ସହ ପୂଜାପାଠ ବି କରିଥାନ୍ତି। ଶାଶୁଙ୍କଠାରୁ ଶିଖିଶିଖି ସେ ଅନେକ ଓଡ଼ିଶା ଖାଦ୍ୟ ବି ତିଆରି କରିବା ଜାଣିଗଲେଣି। ୟା’ ଭିତରେ ତାଙ୍କର ‘ନଦିଆ’ ନାମ୍ନୀ ଝିଅଟିଏ ହୋଇସାରିଲାଣି। ଆମେରିକାରେ ଥିଲେ ବି ଉଭୟ ଅବିନାଶ ଓ ବୃନ୍ଦା ପ୍ରତିଦିନ ଠାକୁରଙ୍କୁ ପୂଜା କରିଥାନ୍ତି। ଯାହା ବି ରୋଷେଇ ହୋଇଥାଏ, ପ୍ରଥମେ ପ୍ରଭୁଙ୍କୁ ସମର୍ପଣ କରିବା ପରେ ଖାଇଥାନ୍ତି। ଏ ନେଇ ବୃନ୍ଦାଙ୍କ ଶ୍ୱଶୁର ଅଶୋକ ସାହୁ କୁହନ୍ତି, ‘ଦିନେ ମୋର ବୃନ୍ଦାଙ୍କ ବିଷୟରେ ଭୁଲ୍‌ ଧାରଣା ଥିଲା ଯେ, ଜଣେ ଆମେରିକୀୟ ଝିଅ ହୋଇ ଆମ ସଂସ୍କୃତି, ଆମ ପରମ୍ପରାକୁ କେତେ ଦୂର ବୁଝିପାରିବେ। କିନ୍ତୁ ସେ ମୋର ବୋହୂ ହେବା ପରେ ସେ ଭୁଲ୍‌ ଧାରଣା ମୋର ଦୂରେଇ ଗଲା। ବୃନ୍ଦା ଖୁବ୍‌ ସ୍ନେହୀ, ସରଳ ଆଉ ଶାନ୍ତ। ସିଏ ଯେତିକି ଆମ ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିଛନ୍ତି, ହୁଏତ ଖୁବ୍‌ କମ୍‌ ଓଡ଼ିଆ ଝିଅ ସେତିକି ଜାଣିଥିବେ। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଭଗବତ୍‌ ଗୀତା ତାଙ୍କର ପୂରା ମୁଖସ୍ଥ। ଓଡିଶା ଆସିଲେ ସିଏ ଆମ କଥା ଯେମିତି ବୁଝିଥାନ୍ତି, ଆମେମାନେ ଆମେରିକା ଗଲେ ଠିକ୍‌ ସେମିତି ଆମର ଆଦର କରିଥାନ୍ତି। ସତରେ ଜଣେ ବିଦେଶିନୀ ଝିଅ ପାଖରୁ ଏମିତି ଆଚରଣ ଆଶା କରିବା ହୁଏତ ବିରଳ ହୋଇପାରେ। ତେଣୁ ମୁଁ ମୋ ବୋହୂ ପାଇଁ ଖୁବ୍‌ ଗର୍ବିତ।’

-ଅମ୍ବ୍ରିତା ମିଶ୍ର

Share