ଦେଶରେ ବି ବିଦେଶ ପ୍ରେମ, ମାଇଲଖୁଣ୍ଟରେ ଲଣ୍ଡନ-ଦୁବାଇ ନାମ…

ଚଣ୍ଡିଗଡ଼,୧୭।୧୦: ପଞ୍ଜାବବାସୀଙ୍କର ବିଦେଶ ପ୍ରେମ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଜଲନ୍ଦର-ଦିଲ୍ଲୀ ଜାତୀୟ ରାଜପଥ ପାର୍ଶ୍ୱରେ ସିଡନୀ, ବ୍ୟାଙ୍କକ, ଦୁବାଇ ଏବଂ ଲଣ୍ଡନ ପର୍ଯ୍ୟନ୍ତ ଦୂରତା ଲେଖାଯାଇଥିବା ମାଇଲଖୁଣ୍ଟ ଦେଖିବାକୁ ମିଳିଥାଏ। ନ୍‌ଧନ୍ନୋୱାଲି ଗ୍ରାମ ନିକଟ ଜଲନ୍ଦର-ଫାଗୱାଡା ମଧ୍ୟରେ ଥିବା ଜାତୀୟ ରାଜପଥରେ ଏଭଳି ମାଇଲଖୁଣ୍ଟ ଦେଖିବାକୁ ମିଳୁଛି। ଅପରପକ୍ଷରେ ଜାତୀୟ ରାଜପଥ ପ୍ରାଧିକରଣର ଜଣେ ଅଧିକାରୀ କହିଛନ୍ତି ଯେ ଏହା କରିବା ବେଆଇନ। ଏହି ମାଇଲଖୁଣ୍ଟ ଶୀଘ୍ର ହଟାଯିବ।

ମାଇଲଖୁଣ୍ଟର ଗୋଟିଏ ପାର୍ଶ୍ୱରେ ସିଡନୀର ଦୂରତା ୧୦୭୨୯ କିଲୋମିଟର ଏବଂ ବ୍ୟାଙ୍କକର ଦୂରତା ୪୬୬୦ କିଲୋମିଟର ଦର୍ଶାଯାଇଛି। ସେହିପରି ଦ୍ୱିତୀୟ ପାର୍ଶ୍ୱରେ ଦୁବାଇର ଦୂରତା ୨୭୩୦ କିଲୋମିଟର ଏବଂ ଲଣ୍ଡନର ଦୂରତା ୭୪୭୮ କିଲୋମିଟର ଲେଖାଯାଇଛି। ନ୍ୟାଶନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (ଏନ୍‌ଏଚ୍‌ଏଆଇ) ଦ୍ୱାରା ଏଭଳି ମାଇଲଖୁଣ୍ଟ ସ୍ଥାପିତ ହୋଇନାହିଁ, କିନ୍ତୁ ପଞ୍ଜାବରୁ ବିଦେଶକୁ ଯାଉଥିବା ଲୋକମାନଙ୍କ ଦ୍ୱାରା ବ୍ୟକ୍ତିଗତ ଭାବେ ଏହା ନିର୍ମିତ ହୋଇଛି।

ପଞ୍ଜାବରେ ଏଭଳି ଘଟଣା ପ୍ରଥମ ନୁହେଁ। ରାଜପଥରେ ମାଇଲଖୁଣ୍ଟ ସ୍ଥାପନ କରିବା ବ୍ୟତୀତ ଦୋଆବ୍‌ ଅଞ୍ଚଳରେ ଲୋକେ କାର ପଛପଟେ ମାଇଲଖୁଣ୍ଟ ଷ୍ଟିକର ମଧ୍ୟ ରଖିଥାନ୍ତି। ଜାତୀୟ ରାଜପଥରେ ଏଭଳି ବୋର୍ଡ ଲଗାଇବା ଅନଧିକୃତ। ଏଭଳି କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନ୍‌ଏଚ୍‌ଏଆଇର ବ୍ୟବସ୍ଥା ମଧ୍ୟ ରହିଛି। ତେବେ ଜାତୀୟ ରାଜପଥରେ ଏହି ମାଇଲଖୁଣ୍ଟ କିଏ ନିର୍ମାଣ କରିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Share