ଡ.ଜୟଦେବ ସାହୁ
ବିଦେଶ ଭ୍ରମଣ ହେଉ କି ବିଦେଶରେ ଅଧ୍ୟୟନ ହେଉ, ବିଦେଶର ନାମ ଶୁଣିଲେ ଭାରତୀୟ ନୂତନ ପିଢ଼ି ଖୁସିରେ ବିଭୋର ହୋଇଯାନ୍ତି। ପ୍ରାୟ ମା’ବାପାଙ୍କ ସ୍ବପ୍ନ ଯେ ତାଙ୍କ ସନ୍ତାନ ବିଦେଶରେ ପଢୁ, ବିଦେଶରେ ଚାକିରି କରୁ ଓ ବିଦେଶୀ ମୁଦ୍ରା ପଠଉ। ସତେଯେମିତି ଭାରତରେ ଠିକ୍ ପାଠପଢ଼ା ହେଉନାହିଁ କିମ୍ବା ଦେଶ ଭିତରେ ଚାକିରି କଲେ ବା ବ୍ୟବସାୟ କଲେ ସୁପ୍ରତିଷ୍ଠିତ ହେଇହେବ ନାହଁି। ବିଦେଶ ତିଆରି ମୋବାଇଲ, ହାତଘଣ୍ଟା, ଜୋତା, ପୋଷାକ ପ୍ରଭୃତିର ଚାହିଦା ନୂଆପିଢ଼ିରେ ବହୁତ ବେଶି। ବିଦେଶରେ ଅଧ୍ୟୟନ କରିବା ପାଇଁ ଛାତ୍ରୀଛାତ୍ରମାନେ ବିକଳ ହେଉଥିବା ଦେଖାଯାଏ। ବିଦେଶରେ ଚାକିରି ଖଣ୍ଡେ ଯୋଗାଡ଼ କରିପାରିଲେ ଚାହିଦା ବହୁତ ବଢ଼ିଯାଏ। ଏବେ ଦେଖାଯାଉଛି ଡାକ୍ତର, ଇଞ୍ଜିନିୟର ଓ ବୈଜ୍ଞାନିକମାନଙ୍କର ଲମ୍ବା ଧାଡ଼ି ଲାଗିଛି ଦେଶ ବାହାରେ ଚାକିରି କରିବା ପାଇଁ। ଭାରତୀୟଙ୍କ ପସନ୍ଦର ଦେଶ ଆମେରିକା, ଇଂଲଣ୍ଡ, କାନାଡ଼ା ଏବଂ ଅଷ୍ଟ୍ରେଲିଆ। ଅନେକ ପ୍ରବାସୀ ଭାରତୀୟ ଏସବୁ ରାଷ୍ଟ୍ରରେ ବସବାସ କରନ୍ତି। ଏସବୁ ଦେଶରେ ଅନେକ କାରଣରୁ ଭାରତୀୟମାନେ ଚାକିରି, ଅଧ୍ୟୟନ ବା ବ୍ୟବସାୟ କରନ୍ତି। ତନ୍ମଧ୍ୟରୁ ମୋଟା ଅଙ୍କର ଦରମା, ବ୍ୟକ୍ତିଗତ ସ୍ବାଧୀନତା, ସୁଖ ଶାନ୍ତି ଆଦି ପ୍ରଧାନ। ଆମେରିକା ଖୁସି ଦେଶ ତାଲିକାରେ ୧୮ ନମ୍ବରରେ ଥିବାବେଳେ ଭାରତ ୧୩୩ କ୍ରମିକ ସଂଖ୍ୟାରେ ରହିଛି। ଖୁସି ଓ ଚାକଚକ୍ୟ ପାଇଁ ଅନେକ ଭାରତୀୟ ବିଦେଶମୁହଁା। ୨୦୨୦ର ଏକ ଆକଳନରୁ ଜଣାପଡ଼େ ଯେ, ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ୧୮୦ ଲକ୍ଷ। ଏହା ବିଶ୍ୱର ପ୍ରବାସୀ ସଂଖ୍ୟାର ୬.୪ ଶତକଡା। ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ସବୁଠୁ ଅଧିକ। ପ୍ରବାସୀ ଭାରତୀୟମାନେ କେବଳ ଭାରତକୁ ବୈଦେଶିକ ମୁଦ୍ରା ପଠଉ ନାହାନ୍ତି ବରଂ ସେମାନେ ଭାରତର ସମ୍ମାନ ବୃଦ୍ଧି କରୁଛନ୍ତି। ଏବେ ଭାରତୀୟମାନେ ଆମେରିକା ଭଳି ରାଷ୍ଟ୍ରରେ ମଧ୍ୟ ପ୍ରଶାସନରେ ଉଚ୍ଚ ଆସନରେ ଆସୀନ। ଭାରତୀୟ ଡାକ୍ତର, ବୈଜ୍ଞାନିକ ଓ ଆଇଟି ଇଞ୍ଜିନିୟରମାନଙ୍କର କାଟ୍ତି ରହିଛି ବିଭିନ୍ନ ରାଷ୍ଟ୍ରରେ। ଏହା ଭାରତ ପାଇଁ ଗର୍ବର ବିଷୟ। ପ୍ରବାସୀ ଭାରତୀୟ ମାନଙ୍କ ଭାରତୀୟ ଅର୍ଥନୀତି ପ୍ରତି ମଧ୍ୟ ଅବଦାନ କମ୍ ନୁହେଁ। ଜିଡିପିର ୨.୭ ଶତକଡ଼ା ଏମାନଙ୍କଠୁ ଆସେ।
ସ୍ବାଧୀନତା ପରବର୍ତ୍ତୀ ସମୟରେ ହିଁ ପ୍ରବାସର ଆରମ୍ଭ। ୧୯୬୦-୭୦ରେ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରେ ତୈଳ ଖଣିରେ କାର୍ଯ୍ୟ କରିବା ପାଇଁ କିଛି ଭାରତୀୟ ଭାରତ ଛାଡ଼ିଲେ। ତା’ପରେ ଡାକ୍ତର ଓ ଇଞ୍ଜିନିୟରମାନେ ଆମେରିକା ଓ ୟୁରୋପୀୟ ରାଷ୍ଟ୍ର ଗୁଡ଼ିକରେ ଚାକିରି କରିବା ପାଇଁ ଦେଶାନ୍ତର ହେଲେ। ସେତେବେଳେ ଭାରତୀୟଙ୍କ ଏଭଳି ସ୍ଥାନାନ୍ତରକୁ ବ୍ରେନ୍ ଡ୍ରେନ୍ ବୋଲି କୁହାଯାଉଥିଲା। ଯେଉଁମାନେ ଭାରତ ଛାଡ଼ି ବିଦେଶରେ କାର୍ଯ୍ୟକଲେ ସେମାନଙ୍କୁ ସ୍ବାର୍ଥପର ଓ ଦେଶ ବିରୋଧୀ ବୋଲି କୁହାଗଲା। ତେବେ ଏକବିଂଶ ଶତାବ୍ଦୀର ପ୍ରଥମ ଦଶକରେ ବିଦେଶାଗତମାନଙ୍କୁ ଭାରତର ଗର୍ବ ବୋଲି ଚିତ୍ରଣ କରାଗଲା। ଏହା ସତ୍ୟ ଯେ ଭାରତ ତା’ର ଜ୍ଞାନୀ ଓ କୁଶଳୀ ସନ୍ତାନମାନଙ୍କୁ ହରାଉଛି। ଏମାନେ ଯଦି ଭାରତର ସେବା କରନ୍ତେ ତେବେ ଭାରତ ବଶ୍ୱରେ ତା’ର ସ୍ଥାନ ଆହୁରି ସୁଦୃଢ଼ କରିପାରନ୍ତା।
ପ୍ରବାସୀ ଭାରତୀୟଙ୍କ ଏତେ ଚାହିଦା ଏବେ ବଢ଼ିଯାଇଛି ଯେ, ଭାରତୀୟମାନେ ତାଙ୍କ କନ୍ୟାମାନଙ୍କୁ ପ୍ରବାସୀ ଭାରତୀୟ ଯୁବକଙ୍କ ସହିତ ବିବାହ କରିବା ପାଇଁ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହି। ପ୍ରବାସୀ ଭାରତୀୟଙ୍କ ବିବାହ ପ୍ରସ୍ତାବକୁ ଆଖି ବନ୍ଦକରି ଗ୍ରହଣ କରି ନେଉଛନ୍ତି ଅନେକ ଭାରତୀୟ ପରିବାର। କାରଣ ଏପରି ପ୍ରସ୍ତାବ ପରିବାରର ସମ୍ମାନ ବୃଦ୍ଧି କରେ ବୋଲି ଭାବନ୍ତି। ପଞ୍ଜାବ, ହରିୟାଣା, ଗୁଜରାଟ ଏବଂ କେରଳ ଭଳି ରାଜ୍ୟରେ ବର ସମ୍ପର୍କରେ ବିନା ତଦନ୍ତ କରି ବିବାହ ପାଇଁ ରାଜି ହୋଇ ଅପଦସ୍ଥ ହେଉଛନ୍ତି। ଝିଅ ବିଦେଶ ଯିବ, ଆରାମରେ ରହିବ ଏ କଥା କେଉଁ ମାତାପିତା ନ ଚାହେଁ ? କିନ୍ତୁ ଏପରି ଲୋଭ ହିଁ ତାଙ୍କ ପାଇଁ କାଳ ହୁଏ। ପ୍ରବାସୀ ଭାରତୀୟ ବର ପରି ରାଜ୍ୟର ସ୍ବପ୍ନ କୁମାର ହୋଇଆସେ ଏବଂ ବାସର ରାତି ପରେ ଉଭେଇଯାଏ। ବିଦେଶ ଯିବା ନିଶାରେ ମସଗୁଲ କନ୍ୟା ଓ ପରିବାର କଠୋର ବାସ୍ତବ ଦୁନିଆକୁ ଫେରିଆସନ୍ତି। ବାସର ରାତିର କନ୍ୟାର ଭାଗ୍ୟରେ ବିଦେଶ ରହଣି ସ୍ବପ୍ନ ହୋଇଯାଏ। ଏକ ଆକଳନରୁ ଜଣାଯାଏ ଯେ, ଏଭଳି କୋଡିଏ ହଜାର ବାସର ରାତିର କନ୍ୟାମାନେ ମଧୁରାତି ପରେ ତାଙ୍କ ସ୍ବାମୀମାନଙ୍କୁ ଦେଖିନାହାନ୍ତି। ଅନେକ ଭାରତୀୟ ମହିଳା ଯାହାଙ୍କ ଭାଗ୍ୟରେ ବିଦେଶୀ ପତି ସହିତ ବିଦେଶ ଯିବାର ସୌଭାଗ୍ୟ ମିଳେ, ସେମାନେ ମଧ୍ୟ ବେଶି ସମୟ ତିଷ୍ଠିପାରନ୍ତି ନାହିଁ । ଅନେକ ସମୟରେ ଯାନିଯୌତୁକ ପାଇଁ ନବ ବିବାହିତା କନ୍ୟାକୁ ତଡି ଦିଆଯାଏ ତ, ବେଳେ ବେଳେ ବିଦେଶରେ ସ୍ବାମୀଙ୍କ ବିବାହିତା ପତ୍ନୀଙ୍କୁ ଦେଖି ଭାରତୀୟ ଲଳନାର ହୋସ ଉଡ଼ିଯାଏ ଏବଂ ଛାଡ଼ପତ୍ର ନେବା ଶ୍ରେୟ ମନେ କରେ। ଅନେକ ଆଶା ନେଇ ଯାଇଥିବା କନ୍ୟା ଯେତେବେଳେ ଦେଖେ ତା’ ସ୍ବାମୀ ଆଶା ମୁତାବକ ଚାକିରି ବା ବ୍ୟବସାୟ କରୁନାହିଁ, ତା’ର ସ୍ବପ୍ନ ଚୂରମାର ହୋଇଯାଏ। ବିଦେଶରେ ଅସହାୟ ମହିଳାର ଭାଗ୍ୟରେ ଜୁଟେ ନିର୍ଯାତନା। ନା ଆଇନ ତାକୁ ରକ୍ଷା କରେ ନା ଭାରତରେ ଥିବା ତା’ର ପରିବାର ତାକୁ ସାହାଯ୍ୟ କରିପାରେ। ଶେଷରେ ସ୍ବାମୀ ତାକୁ ଅସହାୟ କରି ଛାଡ଼ପତ୍ର ଦିଏ । କେବଳ ପଞ୍ଜାବ ଓ ହରିୟାଣାରେ ୨୫ ରୁ ୩୦ ହଜାର ପ୍ରବାସୀ ସ୍ବାମୀ ପରିତ୍ୟକ୍ତ ମହିଳା ଥିବା କଥା ଏକ ଆକଳନରୁ ଜଣାପଡ଼େ। ବିଦେଶ ପ୍ରେମ ଭାରତୀୟ ସଂସ୍କୃତିର ପରିପନ୍ଥୀ। ନୂତନ ପିଢ଼ି ମାଧ୍ୟମରେ ଭାରତୀୟ ସଭ୍ୟତାକୁ କବଳିତ କରିବାର ପ୍ରୟାସ ଜାରି ରଖିଛି ପାଶ୍ଚାତ୍ୟ ସଂସ୍କୃତି। ଭାଲେଣ୍ଟାଇନ ଦିବସ ପାଳନ, ଜାନୁୟାରୀ ୧ ନବବର୍ଷ ପାଳନ, ଟ୍ରାଉଜର, ଶର୍ଟ,ପ୍ୟାଣ୍ଟର ଆଦର, ପିଜା, ବର୍ଗର, ନୁଡୁଲ୍ସ, ଆଇସକ୍ରିମର ଚାହିଦା ଧୀରେ ଧୀରେ ହଜାର ହଜାର ବର୍ଷର ପରମ୍ପରାକୁ କୁଠାରାଘାତ କରୁଛି । ପାଶ୍ଚାତ୍ୟ ସଙ୍ଗୀତ ଓ ନାଚର ପ୍ରବଳ ସଉକ, ଇଂଲିଶ ଭାଷାର ପ୍ରବଳ ପ୍ରସାର ଓ ଚାଇନାର ଖେଳଣା ପ୍ରତି ଆକର୍ଷଣ ସ୍ବଦେଶୀ ଆନ୍ଦୋଳନ ପ୍ରତି ଉପହାସ। ଏକାନ୍ନବର୍ତ୍ତୀ ପରିବାରର ବିଭାଜନ ଓ ହତାଦର, ବାକ୍ସ୍ବାଧୀନତାର ଅପବ୍ୟବହାର, ବରିଷ୍ଠ ଓ ଗୁରୁଜନ ପ୍ରତି ଅନାଦର ବିଦେଶୀ ସଂସ୍କୃତିର କୁପ୍ରଭାବ। ତଥାପି ପ୍ରାଚୀନ ସଂସ୍କୃତିସମ୍ପନ୍ନ ଭାରତୀୟ ପରମ୍ପରା ଏ ପର୍ଯ୍ୟନ୍ତ ନିଜର ମୌଳିକତା ହରାଇ ନାହି । ବିଶ୍ୱ ଗୁରୁ ରୂପେ ପରିଚିତ ଭାରତର ସଭ୍ୟତା ଅନନ୍ୟ । ଭାରତୀୟଙ୍କ ସ୍ନେହ, ପ୍ରେମ, ଯୌଥ ପରିବାର, ବିଜ୍ଞାନ ଓ ଦର୍ଶନ ବିଶ୍ୱରେ ନିଆରା । ସେଥିପାଇଁ ହିଁ କୁହାଯାଏ, ‘ଯାହା ନାହିଁ ଭାରତେ ତାହା ନାହଁି ଜଗତେ’। ଭାରତ ହଁି ବିଶ୍ୱକୁ ଶିଖାଇଛି ‘ବସୁଧୈବ କୁଟୁମ୍ବକମ୍ ଓ ‘ସର୍ବେ ଭନ୍ତୁ ସୁଖିନଃ’ର ମନ୍ତ୍ର। ଏହି ମନ୍ତ୍ର ଦ୍ୱାରା ଉଦ୍ବୁଦ୍ଧ ଅନେକ ପାଶ୍ଚାତ୍ୟ ଦାର୍ଶନିକ ଓ କବି। ବିଶିଷ୍ଟ ଇଂରାଜୀ କବି ଟି. ଏସ. ଇଲିଅଟ ଭାରତୀୟ ଦର୍ଶନ ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କ ପ୍ରସିଦ୍ଧ କବିତା ୱେଷ୍ଟଲାଣ୍ଡର ଶେଷରେ ଲେଖିଛନ୍ତି ‘ଦତ୍ତ, ଦୟାଧବମ, ଦମୟତ, ଶାନ୍ତିଃ, ଶାନ୍ତିଃ, ଶାନ୍ତିଃ’। ଜ୍ଞାନ ବିଜ୍ଞାନର ଭାରତବର୍ଷ କିନ୍ତୁ ନୂତନ ପଢ଼ି ପାଇଁ ‘ଗାଁ କନିଆ ଶିଙ୍ଗାଣି ନାକି’ ଭଳି। ପଶ୍ଚିମାଭିମୁଖୀ ଭାରତୀୟଙ୍କ ଜାଣି ରଖିବା ଉଚିତ ଯେ, ଭାରତ ହିଁ ଅନେକ ସମ୍ଭାବନାର ରାଷ୍ଟ୍ର। ବିଦେଶୀ କମ୍ପାନୀ ଓ ବିଦେଶୀ ଜ୍ଞାନୀମାନେ ଭାରତର ଉଜ୍ଜ୍ୱଳ ଭବିଷ୍ୟତକୁ ଉପଲବ୍ଧି କରି ବର୍ତ୍ତମାନ ଭାରତମୁହଁା। ଭାରତ ଖୁବ୍ ଶୀଘ୍ର ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ପ୍ରତିଷ୍ଠିତ ହେବାକୁ ଯାଉଛି । ଏପରି ସମୟରେ ଭାରତମାତାର ଯୋଗ୍ୟ ସନ୍ତାନମାନଙ୍କ ସେବା ଓ ସାହାଯ୍ୟର ଆବଶ୍ୟକତା ରହିଛ। ସ୍ବଦେଶୀ ଦ୍ରବ୍ୟ ଓ ଜ୍ଞାନକୌଶଳର ବିକାଶ ପାଇଁ ସବୁ ଭାରତୀୟ ଆଗେଇ ଆସିବାକୁ ପଡ଼ିବ। ତା’ପରେ ହିଁ ଭାରତ ସ୍ବାବଲମ୍ବୀ ହୋଇପାରିବ।
କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ, ଭବାନୀପାଟଣା
ମୋ : ୭୯୭୮୯୯୦୦୧୬