Categories: ଜାତୀୟ

ଭାରତ-କାନାଡା ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୦।୯: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ନୂତନ ସଂସଦ ଗୃହରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। ଗତ କିଛି ଦିନ ହେବ କାନାଡା ସହ ଚାଲିଥିବା ଉତ୍ତେଜନା ଏବଂ ଭାରତର ପରବର୍ତ୍ତୀ ପଦକ୍ଷେପକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି। ତେବେ କାନାଡା ସହ ଚାଲିଥିବା ଉତ୍ତେଜନାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ କ’ଣ ଆଲୋଚନା ହୋଇଛି ସେ ସମ୍ପର୍କରେ କୌଣସି ସରକାରୀ ସୂଚନା ଦିଆଯାଇ ନାହିଁ।
ଚଳିତ ବର୍ଷ ଜୁନ ମାସରେ କାନାଡାର ଜଣେ ଖଲିସ୍ତାନୀ ନେତା ହାର୍ଦ୍ଦିକ ସିଂ ନିଜାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କାନାଡାର ସରେର ଗୁରୁ ନାନକ ଶିଖ ଗୁରୁଦ୍ୱାର ନିକଟରେ ନିଜାରଙ୍କୁ ଦୁଇଜଣ ଅଜ୍ଞାତ ଆକ୍ରମଣକାରୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା। ନିଜାରଙ୍କ ହତ୍ୟା ପଛରେ ଭାରତ ସରକାର ଷଡଯନ୍ତ୍ର କରିଥାଇ ପାରନ୍ତି ବୋଲି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଛନ୍ତି। ଟ୍ରୁଡୋ ଭାରତ ବିରୋଧରେ ଗୁରୁତର ଅଭିଯୋଗ କରିବା ପରେ ଉଭୟ ଦେଶର ମଧ୍ୟରେ ତିକ୍ତତା ବଢିଛି। ତେବେ ଟ୍ରୁଡୋଙ୍କ ଅଭିଯୋଗକୁ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। କାନାଡାର ଏହି ଅଭିଯୋଗ ପରେ ଭାରତ ମଧ୍ୟ କାନାଡାର ବରିଷ୍ଠ କୂଟନୀତିଜ୍ଞଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି।

Share