Categories: ଜାତୀୟ

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ ଚାଇନା ମଧ୍ୟରେ ବୁଝାମଣା ହେବା ସହ ଆସନ୍ତା ୨୯ ତାରିଖ ସୁଦ୍ଧା ଡେପ୍‌ସାଙ୍ଗ ଏବଂ ଡେମ୍‌ଚୋକ୍‌ରୁ ସେନା ପ୍ରତ୍ୟାହାର ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲା। ତଦନୁଯାୟୀ ସେନା ପ୍ରତ୍ୟାହାର କାର୍ଯ୍ୟ ଜାରି ରହିଥିବାବେଳେ ୩୦-୩୧ରୁ ଉଭୟ ପକ୍ଷ ପାଟ୍ରୋଲିଂ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଏହି ସଫଳତା ପାଇଁ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଶନିବାର ଭାରତୀୟ ସେନା ଓ କୂଟନୀତିଜ୍ଞମାନଙ୍କୁ ଶ୍ରେୟ ଦେଇଛନ୍ତି।

ପୁଣେରେ ଛାତ୍ରୀଛାତ୍ରମାନଙ୍କ ସହ କଥା ହେଲା ବେଳେ ଜୟଶଙ୍କର କହିଛନ୍ତି, ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ହୋଇଥିଲେ ମଧ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ବାଭାବିକ ହେବା ପାଇଁ ଆଉ କିଛିଦିନ ସମୟ ଲାଗିବ। ଏଥିପାଇଁ ପରସ୍ପର ଉପରେ ବିଶ୍ୱାସ ଏବଂ ଏକାଠି କାର୍ଯ୍ୟ କରିବାର ଇଚ୍ଛାଶକ୍ତି ସୃଷ୍ଟି କରିବାକୁ ହେବ ବୋଲି ଜୟଶଙ୍କର କହିଛନ୍ତି। ଦୁଇ ଦେଶର ବହିର୍ବ୍ୟାପାର ମନ୍ତ୍ରୀ ଏବଂ ଜାତୀୟ ସୁରକ୍ଷା ଉପଦେଷ୍ଟାମାନେ ଆଲୋଚନା ମାଧ୍ୟମରେ ଏହି ପ୍ରକ୍ରିୟାକୁ ଆଗେଇ ନେବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଗତ ୨୩ ତାରିଖରେ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜୟଶଙ୍କର ସୂଚନା ଦେଇଛନ୍ତି।

Share