Advertisement

କରୋନା ନେଇ ଭାରତ ସମେତ ୫ଦେଶ ସହ କଥା ହେଲେ ବୈଦେଶିକ ମନ୍ତ୍ରୀ

ଓ୍ବାଶିଂଟନ୍‌,୮।୮: ମହାମାରୀ କରୋନା ଭାଇରସ୍‌ ବିରୋଧରେ ସାମୂହିକ ଭାବେ ଲଢ଼ିବା ପାଇଁ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍‌ ପାମ୍ପିଓ ଅଷ୍ଟ୍ରେଲିଆ, ବ୍ରାଜିଲ, ଭାରତ, ଇସ୍ରାଏଲ୍‌ ଓ କୋରିଆର ବିଦେଶ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ମାର୍ଗନ ଅର୍ଟୋଗସ୍‌ ଏନେଇ ସୂଚନା ଦେଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହୋଇଥିବା ଆଲୋଚନାରେ ମହାମାରୀ କରୋନା ସହ ମୁକାବିଲା ପାଇଁ ସବୁ ଦେଶ ଭିତରେ ସମନ୍ବୟ ରଖିବା ଜରୁରୀ ବୋଲି ପାମ୍ପିଓ ଉକ୍ତ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ କହିଛନ୍ତି। ଏଥିସହ ଦେଶରେ ଅର୍ଥନୀତିକୁ ପୁଣି ଥରେ ସୁଦୃଢ଼ କରିବା ସହ ମିଥ୍ୟା ଅପପ୍ରଚାର ବିରୋଧରେ ଅଭିଯାନ ଚଳାଇବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ଭବିଷ୍ୟତରେ ମହାମାରୀଗୁଡ଼ିକୁ ବ୍ୟାପିବାରୁ ରୋକିବା ପାଇଁ ସବୁ ଦେଶ ମଧ୍ୟରେ ସମନ୍ବିତ ପ୍ରୟାସର ଆବଶ୍ୟକତା ରହିଛି ବୋଲି ଏହି ଆଲୋଚନାରେ ପାମ୍ପିଓ କହିଛନ୍ତି। ସୂଚନା ମୁତାବକ ମହାମାରୀ କରୋନାକୁ ନେଇ ନିୟମିତ ଭାବେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ପାମ୍ପିଓ ବାର୍ତ୍ତାଳାପ କରିଥାନ୍ତି। ଭାରତ ଓ ଆମେରିକା ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କର ଦ୍ୱିପାକ୍ଷିକ ସହଯୋଗକୁ ବୃଦ୍ଧି କରିଥାନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share