ରାୟଗଡ଼ାରେ ଆଉ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ

ରାୟଗଡ଼ା,୨୪ା୧୨(ସ୍ବ.ପ୍ର.)

ରାୟଗଡ଼ାଠାରେ ରୁଷୀୟ ପର୍ଯ୍ୟଟକ ଭ୍ଲାଡିମିର ବିଦାନୋଭଙ୍କ ଗୁରୁବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବାବେଳେ ଶନିବାର ହୋଟେଲ ପାର୍ଶ୍ୱ ନୂତନ କୋଠା ନିକଟରୁ ତାଙ୍କର ଅନ୍ୟ ଜଣେ ସାଥୀ ପର୍ଯ୍ୟଟକଙ୍କ ମୃତଦେହ ଠାବ ହୋଇଛି। ସେ ହେଲେ ଆଣ୍ଟୋଭ ପାଭେଲ(୬୫)। ହୋଟେଲ ଛାତରୁ ପଡ଼ି ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଏହାପରେ ଘଟଣା ଅଧିକ ରହସ୍ୟମୟ ହୋଇଛି।
ଗୁରୁବାର ରାୟଗଡ଼ା ସହରସ୍ଥିତ ସାଇ ଇଣ୍ଟରନ୍ୟାଶନାଲ ହୋଟେଲରେ ରହୁଥିବା ଭ୍ଲାଡିମିରଙ୍କର ଅସୁସ୍ଥ ହୋଇ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ଲୋକେ ଶନିବାର ରାୟଗଡ଼ାରେ ପହଞ୍ଚିବା ପରେ ମୃତଦେହ ସତ୍କାର କରାଯିବା କାର୍ଯ୍ୟକ୍ରମ ରହିଥିଲା। ହେଲେ ପରିବାର ଲୋକେ ପହଞ୍ଚି ନ ଥିଲେ। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭ୍ଲାଡିମିରଙ୍କ ବ୍ୟବଚ୍ଛେଦ କରାଯିବା ପରେ ପୋଲିସ ଏବଂ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ସୁନୀଲ ଖରାଙ୍କ ଉପସ୍ଥିତିରେ ମୃତଦେହ ସତ୍କାର ପାଇଁ ସିିରିକଣା ଶ୍ମଶାନକୁ ନିଆଯାଇଥିଲା। ଭ୍ଲାଡିମିରଙ୍କ ସାଙ୍ଗରେ ଆସିଥିବା ଆଣ୍ଟୋଭ ଏବଂ ଅନ୍ୟ ୨ ପର୍ଯ୍ୟଟକ ତାଙ୍କର ସତ୍କାର କରି ଫେରିଥିଲେ। ସନ୍ଧ୍ୟାରେ ଆଣ୍ଟୋଭଙ୍କ ସନ୍ଧାନ ନ ପାଇ ଟୁରିଷ୍ଟ ଗାଇଡ୍‌ ଜିତେନ୍ଦ୍ର ସିଂ ତାଙ୍କୁ ଖୋଜାଖୋଜି କରିବା ପରେ ହୋଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ବହୁ ଖୋଜାଖୋଜି ପରେ ଆଣ୍ଟୋଭଙ୍କ ମୃତଦେହ ହୋଟେଲ ପାର୍ଶ୍ୱ କୋଠା ନିକଟରେ ଦେଖିବାକୁ ମିଳିଥିଲା। ଟାଉନ ଥାନା ଆଇଆଇସି ରଶ୍ମିରଞ୍ଜନ ପ୍ରଧାନ, ଏସ୍‌ପି ବିବେକାନନ୍ଦ ଶର୍ମା ଏବଂ ଏସ୍‌ଡିପିଓ ଦେବଜ୍ୟୋତି ଦାସ ପହଞ୍ଚି ଆଣ୍ଟୋଭଙ୍କୁ ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଚାଲିଥିବାବେଳେ ଆଣ୍ଟୋଭ ୩୦ ଫୁଟ ଉପରୁ ପଡ଼ିଥିବା ସୂଚନା ମିଳିଛି।
ତେବେ ଭ୍ଲାଡିମିର୍‌ ଏବଂ ଆଣ୍ଟୋଭ ବାଲ୍ୟ ବନ୍ଧୁ ହୋଇଥିବାରୁ ସେ ମାନସିକ ଦୁଶ୍ଚିନ୍ତାରେ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ଏଥିରେ ଅନ୍ୟ କିଛି ରହସ୍ୟ ରହିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହେବ ବୋଲି ଏସ୍‌ପି ଶର୍ମା କହିଛନ୍ତି। ସୂଚନାଯୋଗ୍ୟ, ଭ୍ଲାଡିମିର, ଆଣ୍ଟୋଭଙ୍କ ସମେତ ୪ ପର୍ଯ୍ୟଟକ ଏବଂ ଟୁରିଷ୍ଟ ଗାଇଡ୍‌ ଡିସେମ୍ବର ୨୧ ତାରିଖରେ ରାୟଗଡ଼ା ବୁଲିବାକୁ ଆସିଥିଲେ। ତେବେ ଭ୍ଲାଡିମିରଙ୍କ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବାବେଳେ ପୁଣି ସାଥୀ ପର୍ଯ୍ୟଟକଙ୍କ ମୃତ୍ୟୁ ସନ୍ଦେହ ବଢ଼ାଇଛି।