Categories: ଜାତୀୟ

ଦୁବାଇ ଚାଲିଗଲେଣି ଦେଶର ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତ

ବେଙ୍ଗାଲୁରୁ,୨।୧୨: ପ୍ରଥମ ଥର ପାଇଁ ଦେଶରେ ଚିହ୍ନଟ ହୋଇଥିବା ୨ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନଭେମ୍ବର ୨୦ ତାରିଖରେ ଭାରତ ଆସିଥିଲେ। ୫ ଦିନ ତଳେ ସେ ଦୁବାଇ ଚାଲିଯାଇଥିବା ଅଫିସିଆଲ ରିକର୍ଡରୁ ଜଣାପଡ଼ିଛି।

ବେଙ୍ଗାଲୁରୁର ମ୍ୟୁନିସିପାଲଟି ବୃହତ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍‌ପି) ଅନୁଯାୟୀ, ନଭେମ୍ବର ୨୦ ତାରିଖରେ ନେଗେଟିଭ କୋଭିଡ୍‌-୧୯ ରିପୋର୍ଟ ସହ ୬୬ ବର୍ଷୀୟ ବ୍ୟକ୍ତି ଦକ୍ଷିଣ ଆଫ୍ରିକାରୁ ଆସିଥିଲେ। ସେ କରୋନା ଭାଇରସର ଟିକାର ଉଭୟ ଡୋଜ ନେଇ ସାରିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ଏକ ହୋଟେଲରେ ରହିଥିଲେ। ସେହି ଦିନ ସେ ପଜିଟିଭ ଥିବା ଜଣାପଡ଼ିଥିଲା। ତାଙ୍କ ନିକଟରେ ଲକ୍ଷଣ ଦେଖାଯାଉ ନ ଥିବାରୁ ସେଲ୍ଫ ଆଇସୋଲେଶନରେ ରହିବାକୁ ପରାମର୍ଶ ଦେଇଥିଲେ ସରକାରୀ ଡାକ୍ତର। ଓମିକ୍ରନ ସଂକ୍ରମିତ ଦେଶରୁ ଫେରିଥିବାରୁ ଦ୍ୱିତୀୟ ଥର ପାଇଁ ତାଙ୍କ ନମୁନା ସଂଗ୍ରହ କରାଯାଇ ୨୨ ତାରିଖରେ ଜେନମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା।

ତାଙ୍କ ସଂସ୍ପର୍ଶରେ ଆସିଥିବା ୨୪ ଜଣଙ୍କ ଟେଷ୍ଟ କରାଯାଇଥିଲା। ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି। ଅକ୍ରାନ୍ତଙ୍କ ସିଧାସଳଖ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ପାଇଁ ଅଧିକାରୀମାନେ ୨୪୦ ଜଣଙ୍କ ଟେଷ୍ଟ କରିଥିଲେ। ସେମାନେ ମଧ୍ୟ ଆକ୍ରାନ୍ତ ନ ଥିବା ଜଣାପଡ଼ିଥିଲା।

କିନ୍ତୁ ନଭେମ୍ବର ୨୩ ତାରିଖରେ ୬୬ ବର୍ଷୀୟ ବ୍ୟକ୍ତି ଏକ ପ୍ରାଇଭେଟ ଲ୍ୟାବ କୋଭିଡ୍‌-୧୯ ଟେଷ୍ଟ କରାଇଥିଲେ, ଯାହାର ରିପୋର୍ଟ ନେଗେଟିଭ ଆସିଥିଲା। ୨୭ ତାରିଖରେ ପ୍ରାୟ ଅଧରାତିରେ ସେ ହୋଟେଲରୁ କ୍ୟାବ ନେଇ ବିମାନ ବନ୍ଦର ଯାଇଥିଲେ। ସେଠାରୁ ସେ ଫ୍ଲାଇଟ୍‌ ଯୋଗେ ଦୁବାଇ ଚାଲିଯାଇଥିବା ଜଣାପଡ଼ିଛି।

Share