ଆମେରିକା ଯାତ୍ରା କରିପାରିବେ ବିଦେଶୀ…

ଓ୍ବାଶିଂଟନ,୧୩।୧୦: ଏବେ ବିଦେଶୀ ଯାତ୍ରୀ ଆମେରିକା ଯାତ୍ରା କରିପାରିବେ। ୧୯ ମାସ ପରେ ଆମେରିକା କରୋନା ଯୋଗୁ ଜାରି ହୋଇଥିବା କଟକଣାକୁ କୋହଳ କରିଛି। କରୋନା ଟିକା ନେଇଥିବା ଯାତ୍ରୀ ଆମେରିକା ଆସି ପାରିବେ ବୋଲି ଜୋ ବାଇଡେନ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି। ନଭେମ୍ବରରୁ ଭାରତ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସ୍ପେନ, ସ୍ବିଜରଲାଣ୍ଡ, ଗ୍ରୀସ, ବ୍ରିଟେନ, ଆୟର୍ଲାଣ୍ଡ, ଚାଇନା, ଦକ୍ଷିଣ ଆଫ୍ରିକା, ଇରାନ ଏବଂ ବ୍ରାଜିଲ ସମେତ ୟୁରୋପର ୨୬ଟି ଦେଶରୁ ବିମାନ ଯାତ୍ରାକୁ ଆମେରିକା ଅନୁମତି ଦେଇଛି। ଟିକା ନେଇଥିବା ପ୍ରମାଣ ପତ୍ର ଦେଖାଇବା ପରେ ଯାତ୍ରୀଙ୍କୁ ଆମେରିକାରେପ୍ରବେଶ କରିବାକୁ ଅନୁମତି ଦିଆଯିବ। କୋଭିଶିଲ୍ଡ ଟିକା ନେଇଥିବା ଭାରତୀୟ ଆମେରିକାରେ ପ୍ରବେଶ କରିପାରିବେ।

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) କେଉଁ ଟିକା ନେଇଥିବା ଲୋକେ ଆମେରିକାରେ ପ୍ରବେଶ କରିବେ ତାହାର ନିଷ୍ପତ୍ତି ଗ୍ରହଣ କରିବ। ଆମେରିକା ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଏହା ସ୍ପଷ୍ଟ କରିଛି ଯେ କେବଳ ଏଫ୍‌ଡିଏ-ଅନୁମୋଦିତ ଅବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ସ୍ବୀକୃତିପ୍ରାପ୍ତ ଟିକା ଗ୍ରହଣ କରିଥିବା ଯାତ୍ରୀଙ୍କୁ ପ୍ରବେଶ ଅନୁମତି ମିଳିବ।

Share