ଆସିଲା ସୁଶାନ୍ତଙ୍କ ମୃତ୍ୟୁର ଫରେନ୍‌ସିକ୍‌ ରିପୋର୍ଟ, ଏହାକୁ ନେଇ ସନ୍ତୁଷ୍ଟ ନୁହନ୍ତି ତାଙ୍କ ସମ୍ପର୍କୀୟ; ଜାଣନ୍ତୁ କାହିଁକି

ମୁମ୍ବାଇ,୩ା୧୦: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୩ ମାସରୁ ଅଧିକ ହୋଇସାରିଲାଣି। ତେବେ ଆଜି ପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇପାରୁନାହିଁ। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ସୁଶାନ୍ତଙ୍କ ପରିବାର ଏବଂ ପ୍ରଶଂସକମାନେ ଜାଣିବାକୁ ଚାହିଁଥିଲେ ଯେ, ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି। ବର୍ତ୍ତମାନ ସୁଶାନ୍ତଙ୍କ ମୃତ୍ୟୁର ଫରେନ୍‌ସିକ୍‌ ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁଯାୟୀ, ଅଭିନେତା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମାତ୍ର ଏହି ପ୍ରସଙ୍ଗରେ ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ପ୍ରତିକ୍ରିୟା ରଖିଛନ୍ତି।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ତାଙ୍କ ସମ୍ପର୍କୀୟ ତଥା ଭାଜପା ବିଧାୟକ ନୀରଜ କୁମାର ସିଂ କହିଛନ୍ତି ଯେ, ଶରୀରରେ ରାସାୟନିକ ପଦାର୍ଥ ନ ଥିବା ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ଆତ୍ମହତ୍ୟା ଏବଂ ହତ୍ୟା ପଛରେ ଆମେ ନିରନ୍ତର କହୁଛୁ ଯେ, ସୁଶାନ୍ତ ଭଳି ପିଲା କେବେ ଆତ୍ମହତ୍ୟା କରିପାରିବ ନାହିଁ। ସେ ବହୁତ ସାହସୀ ଥିଲେ। ତାଙ୍କୁ ହତ୍ୟା କରାଯାଇଛି। ହତ୍ୟା ଘଟଣାର ତଦନ୍ତ କରାଯିବା ଉଚିତ୍‌। ଯଦି ବି ଆତ୍ମହତ୍ୟା କରିଛନ୍ତି ତେବେ ଏଥିପାଇଁ କିଏ ଦାୟୀ ବୋଲି ପୁଙ୍ଖାନୁପୁଙ୍ଖ ଭାବେ ଅନୁସନ୍ଧାନ କରାଯିବା ଉଚିତ୍‌।

Share