ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
ଆମ ଅପରିଣାମଦର୍ଶୀ ବସ୍ତୁବାଦୀ ଜୀବନ ଶୈଳୀ ଏବଂ ରୁଗ୍ଣ ମାନସିକତାରୁ ସର୍ବାଧିକ ପ୍ରଭାବିତ ହେବାରେ ଲାଗିଛି ସବୁଜିମା-ଉଦ୍ଭିଦଜଗତ। ଫଳରେ ପୃଥିବୀରେ ବାର୍ଷିକ ହାରାହାରି ଲୋପ ପାଇବାରେ ଲାଗିଛି ପ୍ରାୟ ୧୦ ନିୟୁତ ହେକ୍ଟର ଅରଣ୍ୟ। ଏହା ମନୁଷ୍ୟ ସମେତ ଅଧିକାଂଶ ଜୀବଜାତିଙ୍କ ଉତ୍ପତ୍ତି, ବିକାଶ ଏବଂ ସ୍ଥିତି ଲାଗି ବିପଦର କାରଣ ହେଉଛି। ଏକ ଆକଳନ ଅନୁସାରେ ଧରାପୃଷ୍ଠର ସମୁଦାୟ ଆୟତନର ଏକ ତୃତୀୟାଂଶ ଅରଣ୍ୟ ମଣ୍ଡିତ ରହିବା ଦରକାର। ସେହିପରି ପ୍ରତ୍ୟେକ ଲୋକ ସୁସ୍ଥ ଜୀବନଯାପନ ପାଇଁ ଆବଶ୍ୟକ କରେ ଅତି କମ୍ରେ ୧୭ଟି ବୃକ୍ଷର ଅବଦାନ। କିନ୍ତୁ ଏହା ଏବେ ସମ୍ଭବ ହେଉନାହିଁ। ଫଳସ୍ବରୂପ, ସେ ମାନସିକସ୍ତରରେ ଏକ ନିମ୍ନମାନର ଜୀବନଯାପନ କରୁଛି, ଯାହାର ଅନ୍ୟତମ ପରିପ୍ରକାଶ ଘଟୁଛି ବିବିଧ ମାନସିକ ବ୍ୟାଧି ରୂପେ।
ନିକଟରେ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଦ୍ୱାରା ପ୍ରକାଶିତ ‘ଓ୍ବାର୍ଲଡ ମେଣ୍ଟାଲ ହେଲ୍ଥ୍ ରିପୋର୍ଟ’ ଅନୁଯାୟୀ ବର୍ତ୍ତମାନ ଦୁନିଆର ପ୍ରାୟ ୧ ହଜାର ନିୟୁତ ବ୍ୟକ୍ତି ନାନା ପ୍ରକାର ମାନସିକ ବ୍ୟାଧିର ଶିକାର। ତନ୍ମଧ୍ୟରୁ ସର୍ବାଧିକ ହେଲା ଦୁଶ୍ଚିନ୍ତା ଏବଂ ମାନସିକ ଚାପ ( ପୁରୁଷ ୧୨.୫ ଶତାଂଶ ଏବଂ ନାରୀ ୧୩.୫ ଶତାଂଶ)। ଏମାନଙ୍କ ମଧ୍ୟରୁ ଅଧିକାଂଶ (୮୨ ଶତାଂଶ) ହେଲେ ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶଗୁଡ଼ିକର, ଯେଉଁଠାରେ କି ଏହାର ଚିକିତ୍ସା ପାଇଁ ବ୍ୟବସ୍ଥା ଖୁବ୍ କମ୍ ଉପଲବ୍ଧ। ଏହା ସେମାନଙ୍କର ୧୦ରୁ ୨୦ ବର୍ଷ ଆୟୁ କ୍ଷୟ ଘଟାଇଲା ବେଳେ ବିଶ୍ୱ ଅର୍ଥନୀତିକୁ ୧ ଟ୍ରିଲିୟନ୍ ଡଲାର କ୍ଷତି ପହଞ୍ଚାଇବାର ଆକଳନ କରାଯାଇଛି (୨୦୧୯), ଯାହା ୨୦୩୦-୩୫ ମଧ୍ୟରେ ୬ରୁ ୭ ଟ୍ରିଲିୟନକୁ ବୃଦ୍ଧି ପାଇବାର ଆଶଙ୍କା କରାଯାଏ। ଏଣୁ ଏଥିରୁ ମୁକ୍ତିଲାଗି ମନସ୍ତତ୍ତ୍ୱବିତ୍ମାନେ ବିଭିନ୍ନ ଦିଗରୁ ଉଦ୍ୟମ ଚଳାଇଛନ୍ତି l ସେମାନଙ୍କ ମତରେ ‘ଅରଣ୍ୟ ସ୍ନାନ’ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ହୋଇପାରିବ।
‘ଓ୍ବାର୍କ ହୋଲିକ୍ସ’ ବା କର୍ମ ନିଶାଗ୍ରସ୍ତଙ୍କ ଦେଶ ବୋଲାଉଥିବା ଜାପାନରେ ଏହି ବିଚାରଧାରାର ବିକାଶ ଘଟିଥିଲା ୧୯୮୦ ଦଶକରେ। କର୍ମକ୍ଷେତ୍ରରେ ଦୀର୍ଘ ସମୟ ଅତିବାହିତ କଲାପରେ କୌଣସି ନିକଟବର୍ତ୍ତୀ ଉଦ୍ୟାନରେ କିମ୍ବା ସପ୍ତାହାନ୍ତର ଛୁଟିକୁ ଅରଣ୍ୟ ବା ପ୍ରମୋଦ ଉଦ୍ୟାନରେ କଟାଇବା ଫଳରେ କର୍ମଚାରୀଙ୍କ ମାନସିକ ଚାପ ହ୍ରାସ ପାଇଥିଲା। ଏହା ସହିତ ସେମାନଙ୍କ ହୃଦ୍ସ୍ପନ୍ଦନ ହାର ସ୍ଥିରାବସ୍ଥାକୁ ଆସିବା, ରକ୍ତଚାପ ହ୍ରାସ ହେବା, ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇବା ଏବଂ କେତେକ ରୋଗରୁ ଦ୍ରୁତ ଆରୋଗ୍ୟ ଲାଭ କରିବା ଆଦି ଦେଖାଗଲା। ଫଳରେ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ହେଲା। ତେଣୁ ସେଠାରେ ଏହାକୁ ଯୋଡ଼ି ଦିଆଗଲା କର୍ମସଂହିତା ସହ।
ଏହି ପ୍ରକ୍ରିୟାକୁ ଜାପାନୀ ଭାଷାରେ କୁହାଯାଉଛି ‘ଶ୍ରୀନ୍ରିନ୍-ୟୋକୁ’।
ତହିଁରୁ ପ୍ରଥମ ଅଂଶଟିର ଅର୍ଥ ହେଲା ‘ଅରଣ୍ୟ’ ଏବଂ ଦ୍ୱିତୀୟଟିର ‘ସ୍ନାନ’। ବର୍ତ୍ତମାନ ଏହା ଭାରତ ସମେତ ବହୁ ଦେଶକୁ ବ୍ୟାପିସାରିଲାଣି। ଅନେକ ବଡ଼ ବଡ଼ ସହରରେ ବ୍ୟବସାୟିକ ଭିତ୍ତିରେ ‘ଅରଣ୍ୟ ସ୍ନାନ’ କରାଇବା ପାଇଁ ଅନୁଷ୍ଠାନମାନ ଗଢ଼ିଉଠିଲାଣି। ତନ୍ମଧ୍ୟରୁ ମୁଖ୍ୟଗୁଡିକ ମଧ୍ୟରେ ରହିଛି ଦିଲ୍ଲୀ (ସଞ୍ଜୟବନ), ଚଣ୍ଡିଗଡ଼ (ସିଭାଲିକା ପର୍ବତାଞ୍ଚଳ), ମୁମ୍ବାଇ(ଆରେ ଅରଣ୍ୟ) ଏବଂ ବେଙ୍ଗାଲୁରୁ (କ୍ୟୁବନ ପାର୍କ)। ଏହି ସବୁଜିମା ମଧ୍ୟରେ କିଛିକାଳ ଭ୍ରମଣ କଲାପରେ ମାନସିକ ଚାପଗ୍ରସ୍ତ ଲୋକେ ପିଲାଙ୍କ ଭଳି ଶାନ୍ତ ଓ ସରଳ ଆଚରଣ କରିବାର ଦେଖାଯାଉଛି। ସେମାନଙ୍କ ମଧ୍ୟରୁ କେହି ଗଛରେ ଚଢ଼ିଯାଉଛି ତ ଆଉ କେହି ତାକୁ ଆଲିଙ୍ଗନ କରୁଛି। ଏହାକୁ ନେଇ ଦିଲ୍ଲୀର ଲୋଧି ଉଦ୍ୟାନ, ନୋଇଡାର ମାନସରୋବର ଏବଂ ନୈନ୍ତାଲ୍ର ପାନ୍ଗଟ୍ ଅରଣ୍ୟଠାରେ ଗବେଷଣା ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଛି। ଫଳରେ ଏବେ କେତେଜଣ ଚିକିତ୍ସକ ‘ଅରଣ୍ୟ ଚିକିତ୍ସା’ ଏବଂ ‘ସବୁଜ ଚିକିତ୍ସା ବ୍ୟବସ୍ଥା ପତ୍ର’ କଥା କହିବାକୁ ଆରମ୍ଭ କଲେଣି। ସେମାନଙ୍କ ମତରେ ବିବିଧ ଶାରୀରିକ ଓ ମାନସିକ ରୋଗ ପାଇଁ ଔଷଧ ସାଥେ ସାଥେ ଏହାର ପ୍ରୟୋଗ ଅଧିକ ଫଳପ୍ରଦ ହେବ।
୨୦୨୧ରେ ପ୍ରମୁଖ ଚିକିତ୍ସା ବିଜ୍ଞାନ ପତ୍ରିକା ‘ଲାନ୍ସେଟ୍’ରେ ସୂଚିତ କରାଯାଇଥିଲା ଯେ, କୋଭିଡ୍-୧୯ ସଂକ୍ରମଣ ପରେ ସ୍ଥଳ ବିଶେଷରେ ତା’ର ପ୍ରଭାବ ଦୀର୍ଘ ୨ବର୍ଷ ଧରି ଜୀବନକୁ ପ୍ରଭାବିତ କରିଥାଏ। ତେବେ ଅରଣ୍ୟ ମଧ୍ୟରେ କିଛି କିଛି ସମୟ କଟାଇବା ଦ୍ୱାରା ତାହା ଲାଘବ ହୋଇଯାଏ। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ମଧ୍ୟ ପ୍ରକୃତିକୁ ଆମ ସ୍ବାସ୍ଥ୍ୟ ଏବଂ ସୁସ୍ଥ ଜୀବନର ସର୍ବବୃହତ୍ ଉତ୍ସ ରୂପେ ବର୍ଣ୍ଣନା କରି ଏହାକୁ ସ୍ବୀକାର କରିଛି।
ପ୍ରକୃତରେ ଏହି ଚିନ୍ତାଧାରାର ଜନ୍ମପୀଠ ହେଲା ଫିନ୍ଲାଣ୍ଡ। ସେଠାରେ କୋଭିଡ୍-୧୯ରୁ ସୁସ୍ଥ ହେଲାପରେ ମାସକୁ ଅନ୍ତତଃ ୫/୧୦ ଘଣ୍ଟା ଅରଣ୍ୟ ମଧ୍ୟରେ ଅତିବାହିତ କରିବାକୁ ଉପଦେଶ ଦିଆଯାଉଥିଲା। ଯେଉଁମାନେ ତାହା କରିପାରୁ ନ ଥିଲେ ସେମାନେ ବଡ଼ ବଡ଼ ଉଦ୍ୟାନ ମଧ୍ୟରେ କିଛି କିଛି ସମୟ କଟାଉଥିଲେ। କ୍ରମେ ଜାପାନରେ ଏହା ବିଶେଷଭାବେ ଆଦୃତ ହେଲା ଏବଂ ତତ୍ପରେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, କାନାଡା, ଭାରତ ଆଦି ଦେଶ ମଧ୍ୟ ତାକୁ ଅନୁସରଣ କଲେ। ଏବେ ଏସବୁ ଦେଶର ଡାକ୍ତରମାନେ ଏପ୍ରକାର ପ୍ରାକୃତିକ ଚିକିତ୍ସାକୁ ଫୁସ୍ଫୁସ୍ ରୋଗ, ମଧୁମେହ, ଉଚ୍ଚ ରକ୍ତଚାପ, ମାନସିକ ଚାପ, ନିଦ୍ରାହୀନତା, ଅନ୍ତଃସ୍ରାବୀ ବିକୃତି, ଗଳଗ୍ରନ୍ଥି ବିକୃତି, ଚୟାପୟନ ବିକୃତି, ଅସ୍ଥିପୋରିହା, ବନ୍ଧ୍ୟାତ୍ୱ ଇତ୍ୟାଦିର ନିରାକରଣ ପାଇଁ ବ୍ୟବହାର କରୁଛନ୍ତି। ଏପରିକି ସମୁଦ୍ରଯାତ୍ରା ଏବଂ ଧର୍ମପୀଠ ଭ୍ରମଣକୁ ଏହାର ଏକ ଅଂଶରୂପେ ଗ୍ରହଣ କରାଯାଉଛି।
ଜାପାନର ଚିକିତ୍ସାବିଜ୍ଞାନୀ ଏସବୁ ରୋଗ ବ୍ୟାପକ ହେବାର ମୂଳ କାରଣ ରୂପେ ଜୈବ ବିଭିନ୍ନତାର ଅବକ୍ଷୟକୁ ଦାୟୀ କରୁଛନ୍ତି। ‘ସେଣ୍ଟର ଫର୍ ସାଇନ୍ସ ଏଣ୍ଡ ଏନ୍ଭାଇରନ୍ମେଣ୍ଟ’ ଦ୍ୱାରା ୨୦୨୧ରେ ପ୍ରସ୍ତୁତ ରିପୋର୍ଟ ଅନୁସାରେ ଆମ ଦେଶର ‘ଜୈବ ବିଭିନ୍ନତା-ଉତ୍ତପ୍ତ କ୍ଷେତ୍ର’ଗୁଡ଼ିକ ମଧ୍ୟରୁ ୯୦ ଶତାଂଶ ଏବେ ଅବକ୍ଷୟର ସମ୍ମୁଖୀନ। ତେଣୁ ଆମେ ସହଜରେ ରୋଗ ସୃଷ୍ଟିକାରୀ ଜୀବାଣୁ, ଭୂତାଣୁ ଆଦିଙ୍କ ଦ୍ୱାରା ସଂକ୍ରମିତ ହେଉଛେ। ଏପରିସ୍ଥଳେ ଦେଶର ସମସ୍ତ ଅରଣ୍ୟ ସମେତ ପ୍ରାୟ ୬୫ରୁ ଊର୍ଦ୍ଧ୍ୱ ଜାତୀୟ ଉଦ୍ୟାନକୁ ‘ସ୍ବାସ୍ଥ୍ୟଦାୟୀ କ୍ଷେତ୍ର’ ରୂପେ ଗଣନା କରାଗଲେ ଏବଂ ଅଧିକରୁ ଅଧିକ ଲୋକଙ୍କୁ ତହିଁରେ ବହୁ ସମୟ କଟାଇବାର ବ୍ୟବସ୍ଥା କରାଗଲେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇପାରିବ । ଆମେରିକା, ଦକ୍ଷିଣ କୋରିଆ, ଜାପାନ ଆଦି ଦେଶରେ ଏ ଦିଗରେ ବ୍ୟାପକ ପଦକ୍ଷେପ ଆରମ୍ଭ ହେଲାଣି।
‘ଅରଣ୍ୟ ସ୍ନାନ’ ବା ପ୍ରକୃତି କୋଳରେ ସମୟ ଅତିବାହିତ ଆମ ମନର ଅବସ୍ଥାକୁ ନିୟନ୍ତ୍ରଣ କରୁଥିବା ‘ସୁଖ ହର୍ମୋନ୍’ ବା ‘ସେରୋଟୋନିନ୍’ର କ୍ଷରଣଠାରୁ ଆରମ୍ଭକରି ଶ୍ୱେତରକ୍ତ କଣିକା ବୃଦ୍ଧି ଆଦିର କାରଣ ମଧ୍ୟ ହୋଇପାରେ ବୋଲି ମତ ଦିଅନ୍ତି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଟିଏଚ୍ ଚାନ୍ ସ୍କୁଲ ଅଫ୍ ପବ୍ଲିକ୍ ହେଲ୍ଥର ଶରୀର ବିଜ୍ଞାନୀ ପିଟର ଜେମ୍ସ୍। ପ୍ରତ୍ୟହ ଉଦ୍ୟାନ, ଜାତୀୟ ଉଦ୍ୟାନ କିମ୍ବା ଅରଣ୍ୟ ମଧ୍ୟରେ କିଛି କିଛି ସମୟ ଅତିବାହିତ କରିବା ଆମକୁ ସୁସ୍ବାସ୍ଥ୍ୟ ପ୍ରଦାନ ଏବଂ ଆମର ସୁସ୍ଥଜୀବନ ଜିଇବାର ସମ୍ଭାବନା ୫୦ ଶତାଂଶ ପର୍ଯ୍ୟନ୍ତ ବୃଦ୍ଧି କରିପାରିବ ବୋଲି ତାଙ୍କର ବିଶ୍ୱାସ। ଏପରିକି ଘର ଝରକା ନିକଟରେ ଥିବା ଗଛଗୁଡ଼ିକୁ ଦେଖିବା, ନିଜ ବାଡ଼ିବଗିଚା ବା ଛାତ ଉପରେ ଗଛ ଲଗାଇ ତାହାର ଯତ୍ନ ନେବା ଏବଂ ଗଛକୁ ଆଲିଙ୍ଗନ କରିବାର ମଧ୍ୟ ସୁଫଳ ରହିଛି ବୋଲି ସେ ମନେକରନ୍ତି।
ବୈଦିକ ଯୁଗରେ ଆମ ମୁନିଋଷିମାନେ ଜନପଦ ଅପେକ୍ଷା ଅରଣ୍ୟ ମଧ୍ୟରେ ବାସ କରିବାକୁ ପସନ୍ଦ କରୁଥିଲେ। ସେମାନେ ଥିଲେ ସୁସ୍ଥ, ଦୀର୍ଘଜୀବୀ ଏବଂ ପ୍ରଜ୍ଞାବାନ୍। ସମ୍ଭବତଃ ଏହାହିଁ ତା’ର କାରଣ ହୋଇପାରେ।
ଉଷାନିବାସ,ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ:୯୯୩୭ ୯୮୫୭୬୭