ବର୍ଜ୍ୟବସ୍ତୁ ପାଇଁ ଜଙ୍ଗଲରେ ଲାଗିଲା ନିଆଁ

କେନ୍ଦୁଝର,୧୧।୧୧(ସ୍ବ.ପ୍ର.): କେନ୍ଦୁଝର ସହର ଉପକଣ୍ଠ ଜୁଡିଆଘାଟି ଜଙ୍ଗଲରେ ଗୁରୁବାର ନିଆଁ ଲାଗି ଯାଇଛି। ଫଳରେ ଶତାଧିକ ଗଛ ପୋଡି ନଷ୍ଟ ହୋଇଛି। ଉକ୍ତ ଅଞ୍ଚଳରେ ବେଆଇନ ଭାବେ ପକାଯାଉଥିବା ସହରର ବର୍ଜ୍ୟବସ୍ତୁରେ ନିଆଁ ବ୍ୟାପିଥିବା କୁହାଯାଉଛି। ନିଆଁକୁ ତୁରନ୍ତ ଆୟତ୍ତ କରା ନ ଗଲେ ଜୀବଜନ୍ତୁ ମୃତ୍ୟୁମୁଖରେ ପଡ଼ିବେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ପ୍ରକାଶ ଯେ, କେନ୍ଦୁଝର ସହରର ବର୍ଜ୍ୟବସ୍ତୁକୁ ପୌରପାଳିକା ପକ୍ଷରୁ ଡମ୍ପିଂୟାର୍ଡ ନ କରି ଜୁଡିଆଘାଟି ତଳେ ଜମା କରାଯାଉଛି। ଫଳରେ ବାୟୁ, ଜଳ ପ୍ରଦୂଷଣ ହେଉଛି। ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା କରିବା ପାଇଁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ମଧ୍ୟ କଡ଼ାକଡ଼ି ନିର୍ଦ୍ଦେଶ ରହିଛି। ତେବେ ଏହାକୁ ମଧ୍ୟ ଠିକ୍‌ ଭାବେ ପାଳନ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅଧିକାରୀ ମାନସ କୁମାର ମୁର୍ମୁଙ୍କୁ ପଚାରିବାରୁ ନିଆଁ ଲିଭାଇବା ସହ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ସ୍ଥାନୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ ପୁଷ୍କର ଚନ୍ଦ୍ର ବେହେରା କହିଛନ୍ତି, ଏହାର ଯାଞ୍ଚ କରି ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।

Share