Categories: ଜାତୀୟ

ଲୋକ ସଭାରେ ବନ ସଂରକ୍ଷଣ ବିଲ୍‌ ପାରିତ

ନୂଆଦିଲ୍ଲୀ,୨୭ା୭ : ଲୋକ ସଭାରେ ବୁଧବାର ବନ ସଂରକ୍ଷଣ ବିଲ୍‌ ଗୃହୀତ ହୋଇଛି। ଏହି ବିଲ୍‌ ଆଇନରେ ପରିଣତ ହେଲେ ବନ ବିଭାଗର ମଞ୍ଜୁରୀ ବିନା ଜଙ୍ଗଲ ଜମିକୁ ପର୍ଯ୍ୟଟନ ଆଦି ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବ୍ୟବହାର ପାଇଁ ସୁଯୋଗ ସୃଷ୍ଟି ହେବ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବିଲ୍‌କୁ ଆଗତ କରି ଏହା ଉପରେ ସୂଚନା ଦେଇଥିଲେ। ବିତର୍କ ବେଳେ ଭୂପେନ୍ଦ୍ର କହିଥିଲେ, ଆମେ ସାମାଜିକ ବନୀକରଣକୁ ପ୍ରୋତ୍ସାହନ ଦେଇଆସିଛୁ। ଏହାସତ୍ତ୍ୱେ ଲୋକେ ନିଜ ଜମିରୁ ଗଛ କାଟିପାରିବେ ନାହିଁ ବୋଲି ଆଶଙ୍କା କରୁଛନ୍ତି। ଭାରତ ପର୍ଯ୍ୟାପ୍ତ ଜଙ୍ଗଲଜାତ ସାମଗ୍ରୀ ଆମଦାନୀ କରୁଛି। ଉକ୍ତ ବିଲ୍‌ରେ କୃଷିଭିତ୍ତିକ ଜଙ୍ଗଲକୁ ପ୍ରୋତ୍ସାହନ ଦେବା ବ୍ୟବସ୍ଥା ରହିଛି। ତେବେ ବନ ସଂରକ୍ଷଣ ଆଇନ ୧୯୮୦ର ପ୍ରସ୍ତାବିତ ସଂଶୋଧନ ଫଳରେ ସରକାରୀ ରେକର୍ଡରେ ଜଙ୍ଗଲ ଜମି ଦର୍ଶାଯିବା ନେଇ ୧୯୯୬ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅକାମୀ ହୋଇଯିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

Share