ହେନ୍ତାଳ ବନ ସୁରକ୍ଷା ଚିନ୍ତାରେ ବନ ବିଭାଗ

ବ୍ରହ୍ମପୁର,୧୮।୯(ଅଶୋକ କୁମାର ସାହୁ): ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷୟକ୍ଷତିକୁ ପ୍ରଶମିତ କରିବା ପାଇଁ ବନ ବିଭାଗ ନଜର ରଖିଛି। ଏଥିପାଇଁ ସମୁଦ୍ର ଉପକୂଳରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ପାଇଁ ନୂଆ ତରିକା ଆପଣେଇଛି। ଗତ ୨ମାସ ତଳେ ରାଜ୍ୟରେ ପ୍ରଥମ କରି ଏଥିପାଇଁ ରୋପଣ କରାଯାଇଥିବା ହେନ୍ତାଳ ଚାରା ବଡ ହୋଇଛି। ଏହାକୁ ନେଇ ଫିସ୍‌ବୋନ (ମାଛକଣ୍ଟା) ପ୍ରଣାଳୀରେ ଗଞ୍ଜାମ ଜିଲାର ୪ ବ୍ଲକରେ ରୋପଣ ପ୍ରକ୍ରିୟା ସରିଛି।

ଏହାର ସୁରକ୍ଷା ପାଇଁ ଧ୍ୟାନ ଦିଆଯାଉଛି ବୋଲି ଟ୍ବିଟରରେ ସୋମବାର ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୋନି ଖୋଖର କହିଛନ୍ତି। ସେ କହିଛନ୍ତି, ଗଞ୍ଜାମ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳ ସବୁବେଳେ ବାତ୍ୟା ଓ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେଉଛି। ସମୁଦ୍ର କୂଳ ଲଂଘୁଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ବ୍ଲକର ଋଷିକୁଲ୍ୟା ନଦୀ ମୁହାଣ ତଥା ପୁରୁଣାବନ୍ଧ ଅଞ୍ଚଳରେ ୬ ଏକର ଜମିରେ ୧୫ ହଜାର ହେନ୍ତାଳ ଚାରା ରୋପଣ କରାଯାଇଥିଲା। ସେହି ଚାରା ଏବେ ବଡ ହୋଇଛି। ଚିକିଟି, ରଙ୍ଗେଇଲୁଣ୍ଡା, ଖଲ୍ଲିକୋଟ, ଗଞ୍ଜାମର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ରୋପଣ କରାଯାଇଛି। ୟୁଏନଡିପି ପାଣ୍ଠି ଜରିଆରେ ଏନହାନ୍ସିଂ କ୍ଲାଇମେଟ ରିସାଇଲେନ୍ସ ଅଫ ଇଣ୍ଡିଆସ କୋଷ୍ଟାଲ କମୁନିଟି (ଏକ୍ରିକ) ପ୍ରକଳ୍ପ ଏହି କାର୍ଯ୍ୟ ହାତକୁ ନେଇଛି।

ଏହି ପ୍ରକଳ୍ପ ପାଇଁ ପ୍ରାୟ ୩୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହା ଦ୍ୱାରା ୪ ବ୍ଲକର ୩୩ ପଞ୍ଚାୟତର ସମୁଦ୍ର ଉପକୂଳରେ ରହୁଥିବା ମାଛଧରା ସମ୍ପ୍ରଦାୟ ଲାଭବାନ ହେବେ। କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଏବଂ ଜଳ ପରିଚାଳନା ବିଭାଗ ପକ୍ଷରୁ ଏହାର ସଫଳତା ପାଇଁ ସହଯୋଗ ରହିଛି। ତେବେ ଏହି ପ୍ରକଳ୍ପର ନୋଡାଲ ଅଫିସର ଥିବା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ କହିଛନ୍ତି ଯେ, ଜୁଲାଇ ମାସରେ ଯେଉଁ ପରିକଳ୍ପନା କରାଯାଇଥିଲା ତାହା ସଫଳ ହୋଇଛି।

ବନ ବିଭାଗ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଏଭଳି ଜଙ୍ଗଲ ସୃଷ୍ଟି କରି ନିଜ ପରିସୀମା ବୃଦ୍ଧି କରିବାକୁ ବନ ବିଭାଗ ଲକ୍ଷ୍ୟ ରଖିଛି। ତେବେ ଖାଲି ଚାରା ବଢ଼ିଗଲେ ହେବନାହିଁ। ତାହାର ରୋପଣ ପ୍ରଣାଳୀ ଯଦି ଠିକ ହେବ ତାହା ସମସ୍ତଙ୍କ ପାଇଁ ଫଳପ୍ରଦ ହେବ। ତେଣୁ ମାଛକଣ୍ଟା ପ୍ରଣାଳୀରେ ତାହାକୁ ରୋପଣ କରାଯାଇଛି, ଯାହାକି ରାଜ୍ୟରେ ପ୍ରଥମ। ତେବେ ଏହାର ସୁରକ୍ଷା କେବଳ ବନବିଭାଗର ନୁହେଁ, ସମସ୍ତଙ୍କର ହେବା ଉଚିତ ବୋଲି ବନଖଣ୍ଡ ଅଧିକାରୀ ଖୋଖର କହିଛନ୍ତି।