ଶିକାରୀଙ୍କ ଟେର୍‌ ପାଉନି ବନବିଭାଗ

ନୀଳଗିରି, ୨୯।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ୧୦୦ରୁ ଊଦ୍ଧର୍‌ବ ହାତୀ ରହୁଥିବା କୁଲଡ଼ିହା ଅଭୟାରଣ୍ୟ ଦିନେ ହାତୀ ପାଇଁ ସ୍ବତନ୍ତ୍ର ପରିଚୟ ପାଇଥିବା ବେଳେ ଏବେ ହାତୀ ପାଇଁ ବିପଦ ସାଜିଛି। ଗତ ୧୪ମାସ ମଧ୍ୟରେ କ୍ରମାଗତ ଭାବେ ୭ଟି ହାତୀର ମୃତ୍ୟୁ ହୋଇଛି। ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କେତେବେଳେ ଅସୁସ୍ଥତା କାରଣରୁ ତ କେତେବେଳେ ଶିକାରୀଙ୍କ ଦ୍ୱାରା ଯାଉଛି ହାତୀଙ୍କ ଜୀବନ। ଗତ ୪ ଦିନ ପୂର୍ବରୁ ମୃତ ଦନ୍ତା ହାତୀର ଦାନ୍ତ ଉଦ୍ଧାର ହେଲା କିନ୍ତୁ ଶିକାରୀ ଟେର ପାଉନି ବନବିଭାଗ। ସେହିପରି ଅଭୟାରଣ୍ୟ ଅଞ୍ଚଳରେ କେତେକ ବେଆଇନ ଇଟାଭାଟି ତିଆରି କରି ଚୋରାରେ ଖୁଲମ୍‌ଖୁଲା ଚାଲିଥିବା ବେଳେ ପ୍ରଶାସନ ନୀରବ ସାଜିଛି। ଏନେଇ ସୋମବାର ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରିବା ସହ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସ୍ପେଶାଲ ପୋଲିସ ବା ସୈନ୍ୟ ବିଭାଗକୁ ଜଗିବାକୁ ଦାୟିତ୍ୱ ଦିଆଯାଉ, ଅଧିକ ସଂଖ୍ୟାରେ ଦକ୍ଷ ଅଫିସର ପୋଷ୍ଟିଂ କରାଯାଉ, ଯେଉଁମାନେ କର୍ତ୍ତବ୍ୟରେ ଅବହେଳା କରିଛନ୍ତି ସେମାନଙ୍କ ବିରୋଧରେ ଦଣ୍ଡ ବିଧାନ କରାଯାଉ ବୋଲି ଦାବି କରିଛନ୍ତି।
ସୂଚନା ଯେ, ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟ ବାବନ୍ଦ ବିଟ ଅଧୀନ କଳମାଚତୁରୀଠାରେ ଗୋଟିଏ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦୁଇଟି ଦାନ୍ତ ଲୁଟ୍‌ ହୋଇଥିଲା। ଘଟଣା ସମ୍ପର୍କରେ ତଦନ୍ତ ପାଇଁ ସ୍ପେଶାଲ ଟାକ୍ସ ଫୋର୍ସ, ବାରିପଦା ଆର୍‌ସିସିଏଫ୍‌ ପ୍ରକାଶ ଗୋଗିନାନି, ବାଲେଶ୍ୱର ଡିଏଫ୍‌ଓ ଖୁସବନ୍ତ ସିଂହ, ଏସିଏଫ୍‌ ସୋଭନ ଦିଗନ୍ତ ଚାନ୍ଦ, କୁଲଡ଼ିହା ରେଞ୍ଜର ଅନନ୍ତ କୁମାର ଜେନା ଓ ସ୍ଥାନୀୟ ଫରେଷ୍ଟର ପ୍ରାଣୀ ଚିକିତ୍ସକ ପହଞ୍ଚତ୍ ହାତୀ ମୃତ୍ୟୁର ପ୍ରାଥମିକ ତଦନ୍ତ କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡ଼ିବ ବୋଲି କହି ବ୍ୟବଚ୍ଛେଦ କରି ପୋଡ଼ି ଦେଇଥିଲେ। ଦାନ୍ତ ଶିକାରୀ ଲୁଟି ନେଇଥିବା ବେଳେ ଗୋଟିଏ ରାତି ମଧ୍ୟରେ ଦାନ୍ତ ମିଳିବା ଓ ଶିକାରୀଙ୍କ ନାମ ଗୋପନ ରଖିଥିବା ଘଟଣା ନେଇ ଅସନ୍ତୋଷ ଦେଖାଦେଇଛି।