ଲାଞ୍ଜିଗଡ଼,୧୭।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଦକ୍ଷିଣ ବନାଞ୍ଚଳ ବିଜେପୁର ସେକ୍ସସନରେ ବେଆଇନ ଜଙ୍ଗଲ କାଟିବା ଅଭିଯୋଗରେ ୬ ଜଣଙ୍କୁ କୋର୍ଟ ଚାଲାଣ କରିଛି ବିଜେପୁର ବନବିଭାଗ I ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବନବିଭାଗ ତତ୍ପରତା ଦେଖାଇ ଜଙ୍ଗଲ ମାଫିଆଙ୍କୁ ଗିରଫ କରି କୋଟଚାଲାଣ କରିବାରେ ସଫଳ ହୋଇଛି l
ସୂଚନାନୁସାରେ ବିଜେପୁର ସେକସନ ଘାଟିକୁଣ୍ଡରୁ ଠାରୁ ପାହାଡ଼ ପଦର ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କଡ଼ ଦୂଇ ପାର୍ଶ୍ୱରେ ବେଆଇନ ଭାବେ ହେକ୍ଟର ହେକ୍ଟର ଜଙ୍ଗଲ କଟା ଚାଲିଥିଲା I ଉକ୍ତ ଜଙ୍ଗଲ ବିଜେପୁର ବନାଞ୍ଚଳ କାର୍ଯ୍ୟାଳୟରୁ ହାରାହାରି ୬ କି.ମି. ଦୂରତା ହେଉଥିବା ବେଳେ ସେହି ରାସ୍ତା ଦେଇ ବିଜେପୁର ବନବିଭାଗ କର୍ମଚାରୀ ମାନେ ପ୍ରତିଦିନ ଯିବା ଆସିବା କରୁଥିଲେ ହେଲେ ବନବିଭାଗ କର୍ମଚାରୀ ମାନଙ୍କ ନଜର ପଡ଼ୁ ନ’ଥିଲା କି ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନ’ଥିଲା।
ଲୋକେ ନିର୍ଭୟରେ ହେକ୍ଟର ହେକ୍ଟର ମୂଲ୍ୟବାନ ଗଛ କାଟି ଅବଶିଷ୍ଟାଂଶକୁ ପୋଡିଦେଇ ବେଆଇନ ଭାବେ ପୋଡୁ ଚାଷ କରୁଥିବା ବେଳେ ଏହାକୁ ନେଇଁ ଅଞ୍ଚଳରେ ତୀବ୍ରଅସନ୍ତୋଷ ପ୍ରକାଶ ପାଇବା ସହ ଅଭିଯୋଗ ହୋଇଥିଲା। ଏହି ବେଆଇନ ଜଙ୍ଗଲ କାଟିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବ ପରେ ତତ୍ପରତା ଦେଖାଇ ତଦନ୍ତ ଆରମ୍ଭ କରିଥିଲା ବନ ବିଭାଗ I
ତଦନ୍ତ ପରେ ସତ୍ୟାସତ୍ୟ ଉନ୍ମୋଚନ ହେବାରୁ ମଦନଗୁଡା ଗାଁର ଲାଞ୍ଜି ମାଝୀ(୫୫), ଦିପେନ ସୁନା(୨୦), ରାମ ମାଝୀ( ୨୭), ସାଇବୁ ମାଝୀ( ୨୩), ବନାଙ୍ଗ ମାଝୀ( ୫୦), କାକୁଡା ମାଝୀ( ୫୩) ସମେତ ୬ଜଣଙ୍କୁ ଜଙ୍ଗଲରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଜେପୁର ଫରେଷ୍ଟର ପଦ୍ମଲୋଚନ ଶବର ସୂଚନା ଦେଇଛନ୍ତି।
ତେବେ ଜଙ୍ଗଲ ମାଫିଆଙ୍କ ବିରୋଧରେ ବନବିଭାଗ ଏହି ଭଳି ପଦକ୍ଷେପ ନେଲେ ଆଗାମୀ ଦିନରେ ବନ୍ୟ ଜୀବଜନ୍ତୁଙ୍କ ସହ ଜଙ୍ଗଲ ସୁରକ୍ଷିତ ରହିବ ବୋଲି ଅନୁମାନ କରାଯାଉଛି ଓ ବନବିଭାଗର ଏହିଭଳି ପଦକ୍ଷେପକୁ ଅଞ୍ଚଳ ଲୋକେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତପ୍ରକାଶ କରିଛନ୍ତି।