ବୁଗୁଡ଼ା,୨୫ା୨(ଡି.ଏନ.ଏ.): ଗଞ୍ଜାମ ଜିଲା କରଚୁଲି ସଂରକ୍ଷିତ ଜଙ୍ଗଲ ଭାଗ-୨ ଅନ୍ତର୍ଗତ ତାକରଡା ଗାଁ ଛକ ନିକଟରେ ବନ ବିଭାଗ ପକ୍ଷରୁ ଚଢାଉ କରି ଶାଳ କାଠ ବୋଝେଇ ଏକ ଗାଡିକୁ ଜବତ କରାଯାଇଛି। କାଠ ଚାଲାଣରେ ସମ୍ପୃକ୍ତ ବୁଗୁଡ଼ା ଥାନା ଅନ୍ତର୍ଗତ ଜଗତ ପାଟଣା ଗ୍ରାମର ନାରାୟଣ ଗୌଡ(୪୨) ଏବଂ ଆଦିପୁର ଗ୍ରାମର ବିଦ୍ୟାଧର ଡାକୁଆ (୫୨)ଙ୍କୁ ବନ ବିଭାଗ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଏ ନେଇ ବନ ବିଭାଗ ପକ୍ଷରୁ ଏକ ମାମଲା( ନଂ ୨୭୪/୨୧-୨୨) ରୁଜୁ ହୋଇଛି।
ଶାଳ କାଠ ବୋଝେଇ ଗାଡି (ନଂ-ଓଆର ୧୨ବି-୧୩୯୫) ବୁଗୁଡ଼ା ଅଭିମୁଖେ ଆସୁଥିବା ବନ ବିଭାଗକୁ ଖବର ମିଳିଥିଲା। ଏ ନେଇ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର ଏକ ଟିମ୍ ତାକରଡା ଗାଁ ଛକ ନିକଟରେ ଚଢାଉ କରି ୩୩.୩୪ ଘନଫୁଟର ୮ଟି ଶାଳ ଗଣ୍ଡି ସହ ଗାଡିକୁ ଜବତ କରିଥିଲା। ଚଢାଉରେ ଭିଜିଲାନ୍ସ ଷ୍ଟାଫ୍ ବିନାୟକ ରଞ୍ଜନ କରଙ୍କ ସମେତ ବନକର୍ମଚାରୀ ସାମିଲ ଥିଲେ।