ମାନୁନି ବନ ବିଭାଗ, ଜିଦ୍‌ରେ ଅଟଳ ପରିବାର

ତରବୋଡ଼/ନୂଆପଡ଼ା ଅଫିସ,୧୩।୨(ଡି.ଏନ୍‌.ଏ.): ସୁନାବେଡ଼ା ଅଭୟାରଣ୍ୟର ଗୋଡ଼ା ଜଙ୍ଗଲକୁ ଲାଗି ରହିଥିବା ନୂଆପଡ଼ା ସଦର ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଛୋଟଲୋର୍ରା ଗ୍ରାମର ଭାନୋବାଇ ମାଝି (୪୭) ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବା ବେଳେ କଲରାପତରିଆ ବାଘ ଆକ୍ରମଣ କରି ମାରିଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ଭାଲୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବନ ବିଭାଗ କହୁଛି। ହେଲେ ପରିବାର ଏବଂ ଗ୍ରାମବାସୀ ନିଜର ପୂର୍ବ ଦାବି ଦୋହରାଇଛନ୍ତି। ବାଘ ଆକ୍ରମଣରେ ଭାନୋବାଈଙ୍କ ଜୀବନ ଯାଇଥିବା ସେମାନେ ଜୋର୍‌ ଦେଇ କହିଛନ୍ତି। ଅନ୍ୟପଟେ ଶୁକ୍ରବାର ଡିଏଫ୍‌ଓ ରମେଶ ଚନ୍ଦ୍ର ପ୍ରଧାନ, ରେଞ୍ଜର ଦିଲୀପ ଚମ୍ପତ୍ତିରାୟ, ଧରମବନ୍ଧା ଆଇଆଇସି ଦିଲୀପ କୁମାର ଲେର୍କ୍ରା, ବୃନ୍ଦାବନ ପୁରୋହିତ ସଦଳବଳ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରିଥିଲେ। ନୂଆପଡ଼ା ଜିଲା ଚିକିତ୍ସାଳୟରେ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି। ମୃତକ ପରିବାରକୁ ୪ ଲକ୍ଷ ଟଙ୍କା ସରକାରୀ ସହାୟତା ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, ଗୁରୁବାର ପୂର୍ବାହ୍ନ ୧୧ଟାରେ ଭାନୋବାଇ ଛୋଟଲୋର୍ରା ନିକଟ ଜଙ୍ଗଲକୁ ଭେଲୁଅଁା (କାଜୁ) ସଂଗ୍ରହ କରିବା ଲାଗି ଯାଇ ଆଉ ଫେରି ନ ଥିଲେ। ସନ୍ଧ୍ୟାରେ ପରିବାର ଲୋକେ ତାଙ୍କୁ ଜଙ୍ଗଲରେ ଖୋଜାଖୋଜି କରିବା ସମୟରେ ଏକ ନାଳରେ ତାଙ୍କର ମୁଣ୍ଡ ବିହୀନ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିଥିଲେ। ମୃତଦେହ ପାଖରେ ଏକ ବାଘ ଜଗିଥିବା ଦେଖି ଭୟଭୀତ ହୋଇ ପଡ଼ିଥିଲେ। ଏଥିରୁ ମହିଳାଙ୍କୁ ବାଘ ଖାଇଯାଇଥିବା ସ୍ପଷ୍ଟ ହୋଇଥିଲା। ବାଘ ଗର୍ଜନରେ ଭୟଭୀତ ହୋଇ ସେମାନେ ଜୀବନ ବିକଳରେ ପଳାଇ ଆସିଥିଲେ। ମାଓବାଦୀପ୍ରବଣ ସୁନାବେଡ଼ା ଅଭୟାରଣ୍ୟ ଭିତରକୁ ଯିବାକୁ ଭୟ କରିଥିଲେ ପୋଲିସ ଏବଂ ବନ କର୍ମଚାରୀ। ଫଳରେ ମୃତଦେହ ଜବତ ହୋଇପାରି ନ ଥିଲା।
ଉଲ୍ଲେଖଯୋଗ୍ୟ, ଗତ ଜାନୁୟାରୀ ୭ରେ କୋମନା ବନାଞ୍ଚଳ ଭରୁଆମୁଣ୍ଡା ଗଁାରେ ବାଘ ଆତଙ୍କ ଦେଖାଦେଇଥିଲା। ଜନବସତିରେ ପଶି ଛେଳି, ମେଣ୍ଢା, ଗାଈ, ବାଛୁରୀ ଖାଇ ଯାଇଥିବା ଅଭିଯୋଗ ହୋଇଥିଲା। ୧୪ ତାରିଖରେ ସିଆଲଟି ପଞ୍ଚାୟତ ବାଗମୁଣ୍ଡା ଗ୍ରାମରେ ୨ ବାଘ ଆତଙ୍କ ଖେଳାଇଥିଲେ। ୨୫ ତାରିଖରେ ଖରିଆରରୋଡ ବନାଞ୍ଚଳ ଡୁମେରପାଣି ପଞ୍ଚାୟତ ହଳଦୀ ଗ୍ରାମରେ ୪ ବାଘଙ୍କ ଉପସ୍ଥିତି ଭୟର ବାତାବରଣ ସୃଷ୍ଟି କରିଥିଲା। ଗତ ଗୁରୁବାରଠରୁ ଉପାନ୍ତ ସିନାପଲି ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ଘଟମାଲ ପଞ୍ଚାୟତ ଯୋଗଭଟା, ତିଲେଇପାଲନା, ଦୁମେରାହାଲ, ବୈଜଲପୁର ଅଞ୍ଚଳରେ ଗୁହାଳରେ ପଶି ବାଘ ଛେଳି, ମେଣ୍ଢା, ଗାଈ, ବଳଦ, ମଇଁଷି, କୁକୁର ଖାଇଯାଉଥିବା ଅଭିଯୋଗ ହେଉଛି।