ଓଡ଼ିଶାର ୮୦ ସ୍ଥାନରେ ବ୍ୟାପିଲାଣି ଜଙ୍ଗଲ ନିଆଁ

ଭୁବନେଶ୍ୱର, ୮।୪(ଅସମାପିକା ସାହୁ)ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ମଣିଷଙ୍କ ସହ ଜୀବଜନ୍ତୁ ବି ପ୍ରଭାବିତ ହେଉଛନ୍ତି। ବନାଞ୍ଚଳରେ ରହିଥିବା ପ୍ରାକୃତିକ ନାଳ ଓ ଜଳାଶୟ ଶୁଖିବା ଆରମ୍ଭ ହୋଇଥିବାବେଳେ ଜଙ୍ଗଲ ନିଆଁ କାଳ ସାଜିଛି। ବିଶେଷକରି ବନ୍ୟପ୍ରାଣୀମାନେ ପାଣି ପାଇଁ ଡହଳବିକଳ ହେବା ସହ ନିଆଁ ଭୟରେ ଗାଁମୁହାଁ ହେଉଛନ୍ତି। ଫଳରେ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ସମ୍ଭାବ୍ୟ ଅଂଶୁଘାତକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ବିଭିନ୍ନ ଅଭୟାରଣ୍ୟ, ଜଙ୍ଗଲ ଓ ଚିଡ଼ିଆଖାନାରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ସବୁ ବନଖଣ୍ଡ ଅଧିକାରୀ, ଅଭୟାରଣ୍ୟ ଓ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗର ସୂଚନାନୁସାରେ, ଜଙ୍ଗଲରେ ପର୍ଯ୍ୟାପ୍ତ ପାଣି ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଜଙ୍ଗଲ ମଧ୍ୟରେ ୧୨୦ଟି ନୂଆ ଜଳାଶୟ ଖୋଳାଯାଇଛି। ୨୭୦ଟି ପୁରୁଣା ଜଳାଶୟର ପୁନରୁଦ୍ଧାର ମଧ୍ୟ କରାଯାଇଛି। ଅଧିକ ଜଳ ସଙ୍କଟ ଥିବା ଅଞ୍ଚଳରେ ଟ୍ୟାଙ୍କର ଜରିଆରେ ଜଳାଶୟରେ ପାଣି ଭରିବାକୁ କୁହାଯାଇଛି। ପାଣି ସନ୍ଧାନରେ ବନ୍ୟଜନ୍ତୁ ଯେପରି ଗାଁ ମୁହାଁ ନ ହେବେ ସେନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାସତ୍ତ୍ୱେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଜଳସଙ୍କଟ ସହ ନିଆଁ ଲାଗୁଥିବାରୁ ବନ୍ୟପ୍ରାଣୀ ଓ ଜଙ୍ଗଲ ସମ୍ପଦର ସୁରକ୍ଷା ବର୍ତ୍ତମାନ ସମୟରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି।
ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ)ର ତଥ୍ୟାନୁସାରେ, ଶନିବାର ରାତି ୮ଟା ଭିତରେ ଦେଶର ୪୯୪ଟି ସ୍ଥାନରେ ବଡ଼ ଧରଣର ବନାଗ୍ନି ହୋଇଛି। ଆସାମରେ ସର୍ବାଧିକ ୯୩ଟି ସ୍ଥାନରେ ବନାଗ୍ନି ନଜରକୁ ଆସିଥିବାବେଳେ ଓଡ଼ିଶାରେ ୮୦ ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିଥିବା ସୂଚନା ଦିଆଯାଇଛି। ସେପଟେ ଗତ ମାର୍ଚ୍ଚ ୩୦ରୁ ୭ଦିନ ଭିତରେ ଓଡ଼ିଶାରେ ତୃତୀୟ ସର୍ବାଧିକ ବନାଗ୍ନି ଘଟଣା ଘଟିଥିଲା। ଏହି ସମୟ ମଧ୍ୟରେ ମଧ୍ୟପ୍ରଦେଶରେ ସର୍ବାଧିକ ୨୯୯ ସ୍ଥାନରେ ନିଆଁ ଲାଗିଥିବାବେଳେ ଛତିଶଗଡ଼ରେ ୨୫୫, ଓଡ଼ିଶାରେ ୨୧୪ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଥିଲା ବୋଲି ଉକ୍ତ ରିପୋର୍ଟରୁ ଜଣାପଡିଛି।
ବିଶେଷକରି ଖରାଦିନ ଆସିଲେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ୁଛି। ପ୍ରବଳ ଉତ୍ତାପରୁ ରକ୍ଷା ପାଇବାକୁ ବନ୍ୟଜନ୍ତୁ ଇତସ୍ତତଃ ହୋଇପଡୁଛନ୍ତି। ଖାଦ୍ୟ ଓ ପାଣି ଖୋଜିବାକୁ ଗାଁ ମୁହାଁ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ଗତବର୍ଷ ପାଣି ଅଭାବରୁ ଆଠଗଡ଼ରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଥିଲା। ଜଙ୍ଗଲରେ ତିନୋଟି ହାତୀଙ୍କ ପାଇଁ ପୋଖରୀ ରହିଥିଲେ ମଧ୍ୟ କୌଣସି ପୋଖରୀରେ ପାଣି ନ ଥିଲା। ଏହା ସହ ଅନେକ ବନ୍ୟଜନ୍ତୁ ଅଧିକ ଖରା ପାଇଁ ଅସୁସ୍ଥ ହୋଇପଡୁଥିବା ନଜିର ରହିଛି। ଗ୍ରୀଷ୍ମ ପ୍ରବାହକୁ ସହି ନ ପାରି ନୂଆପଡ଼ାରେ ଏକ କଲରାପତରିଆ ବାଘ ଅସୁସ୍ଥ ହୋଇପଡିଥିଲା। ତୁରନ୍ତ ବାଘଟିକୁ ସାଲାଇନ ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଖାଦ୍ୟ ଖାଇଥିଲା। ଏ ସମ୍ପର୍କରେ ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଛନ୍ତି, ଶିମିଳିପାଳ, ହଦଗଡ଼ ଏବଂ ଚନ୍ଦକାରେ ଜଳକଷ୍ଟ ଅନୁଭବ ହୁଏ ନାହିଁ। କାରଣ ଏସବୁ ସ୍ଥାନରେ ଯଥେଷ୍ଟ ଜଳଉତ୍ସ ଓ ଜଳାଶୟ ରହିଛି। ସାତକୋଶିଆ, କୁଳଡିହା ଏବଂ ନୟାଗଡ଼ ଭଳି କିଛି ସ୍ଥାନରେ କରାଯାଇଥିବା ବଡ଼ ବଡ଼ ଜଳାଶୟରେ ପାଣି ରଖିବାର ବ୍ୟବସ୍ଥା କରାଯାଇଛି। ବୋର୍‌ଓ୍ବେଲ କରାଯାଇ, ସୋଲାର କିମ୍ବା ଡିଜେଲ ପମ୍ପ ଦ୍ୱାରା ପାଣି ଭର୍ତ୍ତି କରାଯାଉଛି। ସେହିଭଳି ଛୋଟ ଛୋଟ ଜଳାଶୟରେ ନିୟମିତ ବ୍ୟବଧାନରେ ପାଣି ଢଳାଯାଉଥିବା ପିସିସିଏଫ୍‌ ନନ୍ଦ କହିଛନ୍ତି।

Share