ସ୍ପେନ୍‌ରେ ବନାଗ୍ନି ଅଣାୟତ୍ତ

ମାଡ୍ରିଡ୍‌,୧୭।୭: ସ୍ପେନ୍‌ କାନାରି ଆଇଲାଣ୍ଡର ଲା ପାଲମାରେ ବନାଗ୍ନି ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରୁ ପାଖାପାଖି ୪୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ଲଗାତର ସ୍ପେନ୍‌ରେ ସମାନ ସ୍ଥିତି ଲାଗି ରହୁଥିବାରୁ ୟୁରୋପରେ ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଶନିବାର ସକାଳେ ଆଇଲାଣ୍ଡର ଉତ୍ତରାଞ୍ଚଳର ଏଲ୍‌ ପିନାର ଅଞ୍ଚଳର ଜଙ୍ଗଲରେ ପ୍ରଥମେ ନିଆଁ ଲାଗିଥିଲା। କମ୍‌ ସମୟରେ ନିଆଁ ଦ୍ରୁତ ବେଗରେ ବ୍ୟାପିବାକୁ ନେଇ ନିକଟସ୍ଥ ଗ୍ରାମ ପୁଣ୍ଟାଗୋର୍ଡ ଏବଂ ତିଜାରାଫେର ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।
ଜଙ୍ଗଲ ନିଆଁରେ ୧୩ ଘର ପୋଡ଼ିଯାଇଥିବାବେଳେ ପାଖାପାଖି ୪,୬୫୦ ହେକ୍ଟର (୧୧,୪୯୦ ଏକର) ଜମିର ଫସଲ ଜଳି ନଷ୍ଟ ହୋଇଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ୩୦୦ରୁ ଊର୍ଦ୍ଧ୍ୱ ଅଗ୍ନିଶମ କର୍ମଚାରୀ ଏବଂ ୧୦ ଉଡ଼ାଜାହାଜକୁ ନିୟୋଜିତ କରାଯାଇଛି। ଓ୍ବାଟର ଡ୍ରପିଂ ପ୍ଲେନ୍‌କୁ ଏଥିରେ ସାମିଲ କରାଯିବ। କମ୍‌ ସମୟରେ ନିଆଁ ଚାରିଆଡ଼େ ଖେଳିଯାଉଥିବା କାନାରୀ ଆଇଲାଣ୍ଡ ରାଷ୍ଟ୍ରପତି ଫେର୍ନାଣ୍ଡୋ କ୍ଲାଭିଜୋ କହିଛନ୍ତି। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପରିବର୍ତ୍ତିତ ଜଳବାୟୁ ଅଗ୍ନିକାଣ୍ଡର ମୁଖ୍ୟ କାରଣ। ଏ ସଂକ୍ରାନ୍ତରେ ସ୍ପେନ୍‌ ରାଜା ଫେଲିପ୍‌ ଷଷ୍ଠ ରାଷ୍ଟ୍ରପତି କ୍ଲାଭିଜୋଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଲା ପାଲମା ଲୋକଙ୍କୁ ବିପଦରୁ ଉଦ୍ଧାର ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ଲାଗି ସେ ପ୍ରତିଶ୍ରୁତି ଦେଇଛନ୍ତି।
୨୦୨୧ରେ ଲାଭା ଉଦ୍‌ଗିରଣ ଫଳରେ ଆଇଲାଣ୍ଡ ଜଙ୍ଗଲରେ ନିଆଁ ଲାଗିଯାଇଥିଲା। ଏହା ଯୋଗୁ ୨,୦୦୦ ବିଲ୍ଡିଂ ଜଳି ଧ୍ୱଂସ ହୋଇଯାଇଥିଲା। ରିପୋର୍ଟ ମୁତାବକ ଗତବର୍ଷ ସ୍ପେନ୍‌ରେ ୫୦୦ ବନାଗ୍ନି ହୋଇଥିବାବେଳେ ୩୦,୦୦,୦୦୦ ହେକ୍ଟର ପରିମିତ ସ୍ଥାନ ଜଳି ନଷ୍ଟ ହୋଇଯାଇଛି। ୟୁରୋପିଆନ୍‌ ଫରେଷ୍ଟ ଫାୟାର ଇନ୍‌ଫରମେଶନ୍‌ ସିଷ୍ଟମ (ଇଏଫ୍‌ଏଫ୍‌ଆଇଏସ୍‌) ଡେଟା ଅନୁସାରେ ଜଙ୍ଗଲ ନିଆଁରେ ଚଳିତବର୍ଷ ମୋଟ ୬୬,୦୦୦ ହେକ୍ଟର ଜମି ଜଳିଯାଇଛି।

 

Share