ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ହେବାକୁ ଥିବାରୁ ସମଗ୍ର କନ୍ଧମାଳ ଜିଲାରେ ବିଦ୍ୟୁତ ସରବରାହ ଶନିବାର ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଫଳରେ ବିଦ୍ୟୁତ୍‌ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଚାଲିଥିବାରୁ ତାପମାତ୍ରା ୪୨ ଡିଗ୍ରୀରୁ ଊଦ୍ଧର୍‌ବ ରହୁଛି। ଗୁଳୁଗୁଳିରେ ଲୋକମାନେ ଆଉଟୁପାଉଟୁ ହେଉଥିବା ବେଳେ ନା ଘରେ ରହିପାରୁଛନ୍ତି ନା ବାହାରକୁ ଯାଇପାରୁଛନ୍ତି । ଏଥିସହିତ ଟାଓ୍ବାର ଭୋଲ୍‌ଟେଜ୍‌ ଲାଇନ୍‌ଟି କଳିଙ୍ଗା ଘାଟି ଦେଇ ଆସିଥିବା ବେଳେ କଳିଙ୍ଗା ଘାଟି ସମେତ ଅନେକ ପାହାଡ଼ିଆ ଅଞ୍ଚଳରେ ନିଆଁ ଲାଗିଥିବା ବେଳେ କିପରି ଦିନ ତମାମ ଲାଇନ୍‌ରେ କାମ ହେବ ତାହାହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଟାଣଖରାରେ କାମ କରିବା ପାଇଁ ବାରଣ ରହିଛି। ସାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ସହିତ ବିକଳ୍ପ ନ ଥିବାରୁ ରୋଗୀସେବା ଅନ୍ତରାୟ ସୃଷ୍ଟି ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ।

ପ୍ରକାଶ ଥାଉକି, ବିଗତ ଶୀତଦିନରେ ୩ରୁ ୪ ଥର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇଥିଲା। ଏନେଇ ଦାରିଙ୍ଗବାଡ଼ି ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଶିବପ୍ରସାଦ ନାୟକଙ୍କ ସହ ଯୋଗାଯୋଗ କରାଯିବାରୁ ଏହା ଭଞ୍ଜନଗର ଗ୍ରୀଡ୍‌ ପକ୍ଷରୁ କୌଣସି ଏକ ଜରୁରିକାଳୀନ ମରାମତି ପାଇଁ ବିଦ୍ୟୁତ୍‌ ସରବରାହ ବନ୍ଦ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।

Share