ଦରମା ନ ଦେଇ ନିର୍ଯାତନା, ବିଷପିଇଲେ ବନ ଜଗୁଆଳି

ରିଆମାଳ,୨୯।୯ (ଡି.ଏନ୍‌.ଏ.): ଦରମା ବଦଳରେ ମିଳିଲା ନିର୍ଯାତନା। ଦରମା ଟଙ୍କା ମାଗିବାରୁ ଗାଳିଗୁଲଜ କରିବା ସହ ଚାକିରିରୁ ବାହାର କରିଦେବାର ଭୟ ଦେଖାଇଲେ ଅଧିକାରୀ। ଫଳରେ ଚାପଗ୍ରସ୍ତ ହୋଇ ଦେବଗଡ଼ ଜିଲା ରିଆମାଳ ଥାନା କଙ୍କରଖୋଳ ଗ୍ରାମର ବନ ଜଗୁଆଳି ପୌଲସ୍ତି ପ୍ରଧାନ ବିଷପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଗୁରୁବାର ଥାନାରେ ଅଭିଯୋଗ କରିଛନ୍ତି। ରିଆମାଳ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ କରୁଛି।

ପ୍ରକାଶ ଯେ, ଦେବଗଡ଼ ବନବିଭାଗ ପକ୍ଷରୁ କଙ୍କରଖୋଳ ନିକଟସ୍ଥ ଜଙ୍ଗଲରେ ବନୀକରଣ କରାଯାଇଥିଲା। ସେଠାରେ ବନ ଜଗୁଆଳି ଭାବେ ଦୈନିକ ମଜୁରିରେ ପୌଲସ୍ତି ନିଯୁକ୍ତ ହୋଇଥିଲେ। ୯ ମାସ ହେଲା ସେଠାରେ କାମ କରୁଥିଲେ ମଧ୍ୟ ତାଙ୍କୁ ଦରମା ଟଙ୍କା ଦିଆଯାଇ ନ ଥିଲା। ଏଥିସହ ତାଙ୍କୁ ଅଧିକ ସମୟ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା। ଦରମା ଟଙ୍କା ମାଗିଲେ ବନବିଭାଗ ଅଧିକାରୀ ଗାଳିଗୁଲଜ କରୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୌଲସ୍ତିଙ୍କର ପୁଅ ନ ଥିବାବେଳେ ଗୋଟିଏ ମାତ୍ର ଝିଅର ବାହାଘର ସରିଛି। ଫଳରେ ଦରମା ଟଙ୍କା ନ ପାଇ ପରିବାର ଚଳାଇବା ସମସ୍ୟା ହେଉଥିବା ବେଳେ ପୌଲସ୍ତି ଚାପଗ୍ରସ୍ତ ରହୁଥିଲେ। ଶେଷରେ ବୁଧବାର ବିଷ ପିଇ ଆତ୍ମହତ୍ୟା କରିଥିବା ରିଆମାଳ ଥାନାରେ ତାଙ୍କ ପୁତୁରା ଅଭିଯୋଗ କରିଛନ୍ତି। ଅନ୍ୟପଟେ ପରିବାର ଲୋକଙ୍କ ଅଭିଯୋଗକୁ ରିଆମାଳ ରେଞ୍ଜର ନିରଞ୍ଜନ ଧରୁଆ ଏବଂ ଫରେଷ୍ଟର ଦୟାସାଗର ପ୍ରଧାନ ଖଣ୍ଡନ କରିଛନ୍ତି।

Share