Advertisement

କାଠ ବ୍ୟବସାୟୀଙ୍କ କବ୍‌ଜାରେ ଜଙ୍ଗଲ ଜମି

ଓଡ଼ଗାଁ,୧୬ା୫(ଆଦର୍ଶ କୁମାର ପଟ୍ଟନାୟକ)ନୟାଗଡ଼ ବନଖଣ୍ତ ଓ ବନାଞ୍ଚଳ ଅଧୀନ ମଗରବନ୍ଧ ପଞ୍ଚାୟତ ଖାସରା ଜଙ୍ଗଲ କାଠ ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ସେଠାରେ ମୂଲ୍ୟବାନ ଗଛ କାଟି ଜଙ୍ଗଲ ଜମିରେ ବେଆଇନ କୋଠା ନିର୍ମାଣ କରାଯାଉଛି। କାହା ନିର୍ଦ୍ଦେଶରେ ଏତେ ବଡ଼ ଜଙ୍ଗଲ ଧଂସ କରାଯାଉଛି ତାହା ତଦନ୍ତ ସାପେକ୍ଷ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।
ସୂଚନା ଅନୁଯାୟୀ, ମଗରବନ୍ଧ ନିକଟ ଖାସରା ଜଙ୍ଗଲକୁ ଜଣେ ବ୍ୟକ୍ତି ମାଆ ଫାଶିପଲ୍ଲୀ ନୂଆଗାଁ ଲୋକଙ୍କୁ ହାତକରି ତାଙ୍କ ଜାଗାକୁ କିଣି ସେହି ସ୍ଥାନରେ ଏକ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଅଜାତି ରାଉତଙ୍କ ପୁଅ ସଚିନ ରାଉତ ଓ ଝିଅ କାଜଲ ରାଉତଙ୍କ ନାମରେ ମୋଟ ୧୪ ଏକର ୭୦ ଡିସିମିଲ ଜାଗା ସେ କିଣିବା ପରେ ପାଖରେ ଥିବା ଖସରା ଜଙ୍ଗଲକୁ ଧୀରେ ଧୀରେ କବ୍‌ଜା କରି ଚାଲିଛନ୍ତି। ଜେସିବି,ଟ୍ରାକ୍ଟର ଲଗାଇ ଗଛ କାଟି ସେହି କାଠକୁ ରାତାରାତି ବାହାରେ ନେଇ ବିକ୍ରି କରୁଛନ୍ତି। ଖାଲି ସେତିକି ନୁହେଁ, କାଳେ କିଛି ଧରପଗଡ଼ ହେବ ସେହି ଭୟରେ ଜେସିବିରେ ଗଛ ମୂଳ ଉପାଡି ସେହି ସ୍ଥାନକୁ ମାଟିରେ ପୋତି ଦିଆଯାଉଛି। ପଥର କାଟି ମନ୍ଦିର ନିର୍ମାଣ କାର୍ଯ୍ୟ କରାଯାଉଛି। ପାହାଡ଼ ଉପରେ ଏଭଳି ପଥର ଲୁଟ୍‌ ଚାଲିଥିଲେ ମଧ୍ୟ ବନ ବିଭାଗ ପାଖରେ କୌଣସି ଖବର ନ ଥିବା ଗ୍ରାମବାସୀ କହିଛନ୍ତି। ୨ କିଲୋମିଟର ରାସ୍ତା ତିଆରି କରିବା ପରେ ଏବେ ଜମି ଲୁଟ୍‌ କରିବାକୁ ସେହି ବ୍ୟକ୍ତି ବଳ ପ୍ରୟୋଗ କରିଛନ୍ତି। ଯଦି କିଏ ମୁହଁ ଖୋଲୁଛନ୍ତି ତାଙ୍କୁ ଧମକ ଚମକ ଦେଇ ବନ୍ଦ କରି ଦିଆଯାଉଛି। ଗତ କିଛିମାସ ହେବ ଏପରି ବ୍ୟକ୍ତିଙ୍କ ରାଜ୍‌ ଚାଲିଥିଲେ ମଧ୍ୟ ବନ ବିଭାଗ ସେଠାରେ ପହଞ୍ଚି ନାହିଁ। ଏପରି କି ବେଆଇନ କାଠ ଚାଲାଣ ଓ ଜଙ୍ଗଲ ଜମି ଚିହ୍ନଟ କରାଯାଉନାହିଁ। ଏହାକୁ ଗତ ୫ତାରିଖ ଦିନ ମଗରବନ୍ଧ ଗ୍ରାମବାସୀ ବିରୋଧ କରିଥିଲେ। ଜଙ୍ଗଲ ଜମି ମାଡ଼ି ବସିବାରୁ ଗାଁର ଗାଈ, ବାଛୁରୀ,ଛେଳି,ମେଣ୍ଢା ଚରି ପାରୁନାହାନ୍ତି। ଏଥିପାଇଁ ଲୋକଙ୍କ ଚିନ୍ତା ବଢିଛି। ଏହି ଜାଗା ଅନାବାଦୀ,ଗୋଚର ହୋଇଥିବାରୁ ଗ୍ରାମବାସୀ ଜମି ଛାଡ଼ିବାକୁ ବାରମ୍ବାର କହି ଆସୁଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଜେସିବି, ଟ୍ରାକ୍ଟର ଲଗାଇ ଜାଗା ଦଖଲ କରିବା ପରେ ତାର ବାଡ଼ ଦେଇ ଆବଦ୍ଧ କରିଛନ୍ତି। ଗ୍ରାମବାସୀ ଏକଜୁଟ ହୋଇ ତାରବାଡ଼ ଭାଙ୍ଗିବା ସହିତ ଜାଗା ଖାଲି କରିବାକୁ କହିଥିଲେ। କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଏଥିପ୍ରତି କର୍ଣ୍ଣପାତ ନ କରି କାମ କରୁଥିବା ଗ୍ରାମବାସୀ କହିଛନ୍ତି। ଏହି ବିବାଦ ଆଗକୁ ଉଗ୍ରରୂପ ନେବା ସହିତ ଭୟଙ୍କର ପରିସ୍ଥିତି ଉପୁଜିପାରେ ବୋଲି ଆଲୋଚନା ହେଉଛି। ଏହି ଘଟଣାରେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ନିଖିଳେଶ ମଲିକ କହିଛନ୍ତି, ଅଭିଯୋଗ ପାଇଛୁ। ଆମେ ତଦନ୍ତ କରି ଜମି ଚିହ୍ନଟ କରିବୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share